ପୂର୍ବରୁ ଜମ୍ମୁ-କଶ୍ମୀର ଆତଙ୍କବାଦୀଙ୍କ ହଟସ୍ପଟ୍ ଥିଲା, ଏବେ ପର୍ଯ୍ୟଟକଙ୍କ ହଟସ୍ପଟ୍; ବାରାମୁଲାରେ ଏଭଳି କହିଲେ ଶାହ

ପୂର୍ବରୁ ଜମ୍ମୁ-କଶ୍ମୀର ଆତଙ୍କବାଦୀଙ୍କ ହଟସ୍ପଟ୍ ଥିଲା, ଏବେ ପର୍ଯ୍ୟଟକଙ୍କ ହଟସ୍ପଟ୍; ବାରାମୁଲାରେ ଏଭଳି କହିଲେ ଶାହ

ବାରାମୁଲା: ଜମ୍ମୁ କଶ୍ମୀର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବାରାମୁଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସାଧାରଣ ସଭାକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ, ପୂର୍ବରୁ ଜମ୍ମୁ-କଶ୍ମୀର ଆତଙ୍କବାଦୀଙ୍କ ହଟସ୍ପଟ୍ ଥିଲା, ଆଜି ଏହା ପର୍ଯ୍ୟଟକଙ୍କ ହଟସ୍ପଟ୍ ପାଲଟିଛି। ପୂର୍ବରୁ ପ୍ରତିବର୍ଷ ୬ଲକ୍ଷ ପର୍ଯ୍ୟଟକ ଏଠାକୁ ଆସୁଥିଲେ, ଏବେ ଅକ୍ଟୋବର ପର୍ଯ୍ୟନ୍ତ ୨୨ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସିଛନ୍ତି। ଏହା ଅନେକ ଯୁବକଙ୍କୁ ରୋଜଗାର ଦେଇଛି। ଗତ ୭୦ବର୍ଷ ଧରି ମୁଫତି ଆଣ୍ଡ କମ୍ପାନି ଓ ଅବଦୁଲ୍ଲାଙ୍କ ପୁଅ ଏଠାରେ କ୍ଷମତାରେ ଥିଲେ। କ୍ଷମତାରେ ଥାଇ ବି ୧ ଲକ୍ଷ ଭୂମିହୀନଙ୍କ ପାଇଁ ସେମାନେ ଘର ଯୋଗାଇ ପାରିନଥିଲେ। ୨୦୧୪-୨୨ ମଧ୍ୟରେ ମୋଦୀଜୀ ସେହି ୧ ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦେଇଛନ୍ତି।

ଅମିତ ଶାହା ଆହୁରି କହିଛନ୍ତି ଯେ, ଯେଉଁମାନେ ୭୦ବର୍ଷ ଧରି ଏଠାରେ ଶାସନ କରିଥିଲେ ସେମାନେ ମୋତେ ପାକିସ୍ତାନ ସହ କଥା ହେବାକୁ ପରାମର୍ଶ ଦେଉଥିଲେ। ହେଲେ ମୁଁ ସେମାନଙ୍କୁ ସ୍ପଷ୍ଟ କହିଥିଲି ଯେ, ମୁଁ ପାକିସ୍ତାନ ସହ କଥା ହେବାକୁ ଚାହେଁ ନାହିଁ। ମୁଁ ବାରାମୁଲାର ଯୁବକଯୁବତୀମାନଙ୍କ ସହ କଥା ହେବାକୁ ଚାହେଁ। ଆଜି ଦେଶର ସମସ୍ତ ରାଜ୍ୟ ଆଗକୁ ବଢ଼ୁଛନ୍ତି, କଶ୍ମୀରକୁ ମଧ୍ୟ ଦେଶ ସହ ଚାଲିବାକୁ ପଡିବ। ଗୁପକର ମଡେଲରେ ଯୁବପିଢ଼ିଙ୍କ ପାଇଁ ପଥର, ବନ୍ଦ କଲେଜ, ବନ୍ଧୁକ ରହିଥିବା ବେଳେ ମୋଦୀ ମଡେଲରେ ଯୁବପିଢ଼ିଙ୍କ ପାଇଁ ଆଇଆଇଏମ୍, ଆଇଆଇଟି, ଏମ୍ସ, NEET ରହିଛି। ଯୁବପିଢ଼ିଙ୍କ ପାଇଁ ଶିକ୍ଷା ଅଛି। ସେମାନେ ପଥର ଚାହାଁନ୍ତି ନାହିଁ। ଯୁବପିଢ଼ିଙ୍କ ହାତରୁ ପଥର ଛଢ଼ାଇ ସେମାନଙ୍କ ପଢ଼ାଇବା କାମ ମ‌ୋଦୀଜୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe