Image Courtesy of Zee News
ପିଥୋରାଗଡ଼: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ସୁଦୂର ଗାଁ ନିକଟ ପାହାଡ଼ ଉପରୁ ଆକସ୍ମିକ ଭାବେ ଖସିପଡ଼ି ଆହତ ହୋଇଥିବା ଜଣେ ମହିଳାଙ୍କୁ ଶନିବାର ଦିନ ଭାରତ-ତିବ୍ବତୀୟ ସୀମାନ୍ତ ପୁଲିସ ଉଦ୍ଧାର କରିଛି।
ଚଳିତ ମୌସୁମୀ ବର୍ଷାରେ ବିଶେଷଭାବେ ପ୍ରଭାବିତ ଅନ୍ୟତମ ଅଞ୍ଚଳରୁ ସେ ମହିଳାଙ୍କୁ ଉଦ୍ଧାର କରିବାକୁ ଭାରତ-ତିବ୍ବତୀୟ ସୀମାନ୍ତ ପୁଲିସର ୧୪ଶ ବାଟାଲିୟନ୍ ସମସ୍ତ ବାଧାବିପତ୍ତିକୁ ସାହସର ସହ ମୁକାବିଲା କରିଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ସ୍ଥାନୀୟ ମହିଳାଙ୍କ ଘର ହେଉଛି ପିଥୋରାଗଡ଼ ଜିଲ୍ଲାର ମୁନ୍ସୟାରି ଉପଖଣ୍ଡ ଅନ୍ତର୍ଗତ ଏକ ସୁଦୂର ଗ୍ରାମରେ। ଅଗଷ୍ଟ ୨୦ ତାରିଖ ଦିନ ସେ ପାହାଡ଼ ଉପରୁ ପଡ଼ିଯିବାରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା।
Image Courtesy of India Timesତାଙ୍କୁ ଉଦ୍ଧାର କରିବାକୁ ଡକାଯାଇଥିବା ହେଲିକପ୍ଟର୍ଟି ବାଜେ ପାଗ ଯୋଗୁଁ ଦୁଇ ଦିନ ପର୍ଯ୍ୟନ୍ତ ଅବତରଣ କରି ପାରି ନ ଥିଲା। ଏ ସମ୍ବାଦ ପାଇ ଭାରତ-ତିବ୍ବତୀୟ ସୀମାନ୍ତ ପୁଲିସର କର୍ମଚାରୀମାନେ ସେମାନଙ୍କ ବର୍ଡର୍ ଆଉଟ୍ ପୋଷ୍ଟ୍ରୁ ୨୨ କିଲୋମିଟର୍ ଯାତ୍ରା କରି ଅଗଷ୍ଟ ୨୨ ତାରିଖ ଦିନ ସେ ଗାଁରେ ପହଞ୍ଚିଥିଲେ। ଏତେ ଲମ୍ବା ରାସ୍ତାର ଅଧିକାଂଶ ଭାଗ ସେମାନେ ଚାଲି ଚାଲି ଯାଇଥିଲେ।
ଗାଁରେ ପହଞ୍ଚିବା ପରେ ୨୫ଜଣ ସାହସୀ ଭାରତ-ତିବ୍ବତୀୟ ସୀମାନ୍ତ ପୁଲିସ ଯବାନ ସେ ମହିଳାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଗୋଟିଏ ଷ୍ଟ୍ରେଚର୍ରେ ଶୁଆଇ ବନ୍ୟା ପ୍ଳାବିତ ନାଳ, ଭୂସ୍ଖଳ ଜୋନ୍ ଅଞ୍ଚଳ ଏବଂ ଖସଡ଼ା ଢାଲୁ ଅଞ୍ଚଳ ଦେଇ ଚାଲି ଚାଲି ୪୦ କିଲୋମିଟର୍ ଦୂରସ୍ଥିତ ରାସ୍ତାକୁ ବୋହି ଆଣିଥିଲେ।
ଏହାପରେ ତାଙ୍କୁ ତୁରନ୍ତ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କଥା ଡାକ୍ତରମାନେ କହିଛନ୍ତି।
Follow Us