ତିରୁବନନ୍ତପୁରମ୍(କେରଳ): କେରଳର ପଲକ୍କଡ଼ ଜିଲ୍ଲା ଅନ୍ତର୍ଗତ ଆୟାଲୁର୍ ଗାଁରେ ଦୀର୍ଘ ୧୧ ବର୍ଷ ହେଲା ଘରୁ ନିଖୋଜ ଥିବା ଜଣେ ମହିଳା ନିଜ ପିତ୍ରାଳୟଠାରୁ ମାତ୍ର ୫୦୦ ମିଟର ଦୂର ଏକ ଭଡ଼ା ଘରେ ସେହି ଗାଁର ଜଣେ ପ୍ରେମିକଙ୍କ ସହ ଗୋପନରେ କାଳ କାଟୁଥିବା ଘଟଣା ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ୨୦୧୦ ଫେବ୍ରୁଆରିରେ ସଜିତା ନାମ୍ନୀ ଏହି ଯୁବତୀ ଜଣକ ନିଜ ୨୫ ବର୍ଷୀୟ ପ୍ରମିକ ରେହମନ ଘରକୁ ଚାଲି ଆସିଥିଲେ। ପରିବାର ଲୋକେ ତାଙ୍କ ନିଖୋଜ ସମ୍ପର୍କରେ ପୁଲିସରେ ଅଭିଯୋଗ କରିଥିଲେ ହେଁ ସେବେଠାରୁ ତାଙ୍କର ପତ୍ତା ମିଳୁନଥିଲା। ପାଖରେ ତାଙ୍କର ସେତେବେଳେ କୌଣସି ଫୋନ୍ ନଥିବାରୁ ପୁଲିସକୁ ଟ୍ରାକିଂ କରିବା କଷ୍ଟକର ହୋଇଥିଲା।
ରେହମନ୍ ତାଙ୍କ ପରିବାରର ଏକ ଅଲଗା ଘରେ ରହୁଥିବା ବେଳେ ସେଠିକି କାହାକୁ ଯିବାକୁ ଦେଉନଥିଲେ। ଅପରପକ୍ଷେ, ସେ ଭାରି ବଦ୍ରାଗି ଥିବାରୁ ବାପାମାଆ କି ପରିବାର ଲୋକେ ମଧ୍ୟ କିଛି କହୁନଥିଲେ। ଏହି ଅବସରରେ ସେ ସେହି ନିରୋଳା ଘରେ ହିଁ ପ୍ରେମିକା ସଜିତାଙ୍କୁ ଆଣି ରଖିଥିଲେ। ଉକ୍ତ ଘରର ଝରକା ନଥିଲା କି ପାଖରେ ଶୌଚାଳୟ ନଥିଲା। ତେବେ ରେହମନ୍ ଘର ପଛପାଖ କାନ୍ଥରେ ଏକ ଜଳାବାଟ କରିଥିଲେ ଯାହା ଦେଇ ଅନ୍ଧାରୁ ଅନ୍ଧାରୁ ସଜିତା ନିତ୍ୟକର୍ମ ସାରିବାକୁ ବାହାରକୁ ଯାଇଥାନ୍ତି।
ଏ ସମ୍ପର୍କରେ କେହି କିଛି ଟେର୍ ପାଇନଥିଲା ବେଳେ ପରିବାର ଲୋକେ ମଧ୍ୟ ଅଯଥାରେ ମୁଣ୍ଡ ଖେଳାଉନଥିଲେ। ଏମିତି ଭାବେ ଦୀର୍ଘ ୧୧ ବର୍ଷ ବିତିଲା ପରେ ତିନି ମାସ ତଳେ ରେହମନ୍ ଘରୁ କୁଆଡ଼େ ନିଖୋଜ ହୋଇଯାଇଛନ୍ତି ବୋଲି ତାଙ୍କ ଭାଇ ଥାନାକୁ ଜଣାଇଥିଲେ। ତେବେ ଗତ ମଙ୍ଗଳବାର ରେହମାନ୍ଙ୍କୁ ରାସ୍ତାକଡ଼ରେ ବସିଥିବା ତାଙ୍କ ଭାଇ ଦେଖିଲା ପରେ ଖୋଳତାଡ଼ କରିବାରୁ ପାଖ ଗାଁରେ ଏକ ଭଡ଼ା ଘରେ ପ୍ରେମୀଯୁଗଳ ରହୁଥିବା ଜଣାପଡ଼ିଥିଲା।
Follow Us