Image Courtesy of Outlook India
ଶ୍ରୀନଗର: କଠୋରପନ୍ଥୀ ବିଚ୍ଛିନ୍ନତାବାଦୀ ନେତା ସୈୟେଦ୍ ଅଲି ଶାହ ଗିଲାନୀଙ୍କ ଶବ ପାକିସ୍ତାନୀ ପତାକାଦ୍ବାରା ଆବୃତ ହେବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ଏବଂ ତାଙ୍କ ମୃତ୍ୟୁପରେ ଦେଶ-ବିରୋଧୀ ‘ସ୍ଲୋଗାନ୍’ ଦିଆଯାଇଥିବା ହେତୁ ଜମ୍ମୁ ଓ କଶ୍ମୀର ପୁଲିସ ‘ଅନ୍ଲଫୁଲ୍ ଆକ୍ଟିଭିଟିଜ୍ (ପ୍ରିଭେନ୍ସନ୍) ଆକ୍ଟ୍’ରେ ମାମଲା ରୁଜୁ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ପ୍ରାପ୍ତ ତଥ୍ୟାନୁସାରେ, ଉପରୋକ୍ତ ଆଇନର ବିଭିନ୍ନ ଦଫାରେ ବଡ଼ଗାମ ପୁଲିସ ସମ୍ପୃକ୍ତ ଅନାମିତ ବ୍ୟକ୍ତିମାନଙ୍କ ବିରୋଧରେ ଶନିବାର ଦିନ ‘ଏଫ୍ଆଇଆର୍’ ରେଜିଷ୍ଟ୍ରି କରିଛି। ପାକିସ୍ତାନୀ ପତାକାରେ ଗିଲାନୀଙ୍କ ଶବ ଆବୃତ କରାଯାଇଥିବା ଭିଡିଓ ମଧ୍ୟ ପୁଲିସ ଦେଖିଛି।
Image Courtesy of The New Indian Expressଗତ ବୁଧବାର ରାତିରେ ଆପଣା ବାସଭବନରେ ପରଲୋକଗତ ୯୧ ବର୍ଷିୟ ଗିଲାନୀ ଦୀର୍ଘକାଳ ଧରି ଅସୁସ୍ଥ ଥିଲେ। ଗୁରୁବାର ପ୍ରତ୍ୟୁଷରେ ଶ୍ରୀନଗର ଅନ୍ତର୍ଗତ ହାଇଦରପଡ଼ା ଅଞ୍ଚଳର ଗୋଟାଏ ମସ୍ଜିଦ୍ ନିକଟରେ ଥିବା କବରସ୍ତାନରେ ତାଙ୍କର ‘ନିରବ ଶେଷକୃତ୍ୟ’ କରାଯାଇ କବର ଦିଆଯାଇଥିଲା। ପୁଲିସ କେବଳ ତାଙ୍କର ନିବିଡ଼ ଆତ୍ମୀୟସ୍ବଜନ ଏବଂ ପଡ଼ୋଶୀମାନଙ୍କୁ ଶେଷକୃତ୍ୟରେ ଯୋଗ ଦେବାକୁ ଅନୁମତି ଦେଇଥିଲା। କବରସ୍ତାନକୁ ପୁଲିସମାନେ ସମ୍ପୂର୍ଣ୍ଣରୂପେ ବେଢ଼ି ରହିଥିଲେ।
ଗିଲାନୀଙ୍କ ଆତ୍ମୀୟମାନେ ଶ୍ରୀନଗରରେ ପହଞ୍ଚି ପାରିବା ପୂର୍ବରୁ ପୁଲିସ ବଳପୂର୍ବକ ତାଙ୍କ ଶବକୁ ନେଇ କବର ଦେଇଥିବା କଥା ପରିବାର ଲୋକେ ଗଣମାଧ୍ୟମକୁ କହିଛନ୍ତି। ପୁଲିସ ସେମାନଙ୍କ ସହ ଦୁର୍ବ୍ୟବହାର କରିଥିବା କଥା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।
Follow Us