କେକ୍‌ କାଟି ନୂଆବର୍ଷ ପାଳିଲେ ଜଗାବଳିଆ

Advertisment
କେକ୍‌ କାଟି ନୂଆବର୍ଷ ପାଳିଲେ ଜଗାବଳିଆ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା ବଳିଆ ପ୍ରାଇଭେଟ୍‌ ଓ୍ଵାର୍ଡରେ ନୂଆବର୍ଷ ପାଳିଛନ୍ତି। ଗତ ଅକ୍ଟୋବର ୨୮ରେ ଯୋଡ଼ାମୁଣ୍ଡ ଶିଶୁ ଅସ୍ତ୍ରୋପଚାର ଦ୍ୱାରା ଅଲଗା ହେବା ପରେ ଦୁଇ ଶିଶୁ ଜଗା ବଳିଆ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ବେଳେ ଗତ ୨୫ରେ ଖ୍ରୀଷ୍ଟମାସ ଉପଲକ୍ଷେ ଦୁଇ ଭାଇଙ୍କୁ ‘ଶାନ୍ତାକ୍ଲଜ୍‌’ ବେଶରେ ସଜାଯାଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଜି ଦୁଇ ଶିଶୁଙ୍କ ମଙ୍ଗଳ କାମନା କରି ଡାକ୍ତରୀଦଳ ସେମାନଙ୍କ ନିମନ୍ତେ ନୂଆବର୍ଷ ଉତ୍ସବ ପାଳନର ଆୟୋଜନ କରିଥିଲେ।

ପ୍ରାଇଭେଟ୍‌ ଓ୍ଵାର୍ଡକୁ ବେଲୁନ୍‌ ଦ୍ୱାରା ସଜାଯିବା ସହ ଜଗା ବଳିଆଙ୍କୁ ନୂଆ ଡ୍ରେସ୍‌, ଜୋତା ଏବଂ ଟୋପି ପିନ୍ଧାଯାଇଥିଲା। କେକ୍‌ କଟାଯାଇ ୨୦୧୮ ସାରା ବର୍ଷ ଜଗାବଳିଆଙ୍କ ମଙ୍ଗଳମୟ ହେଉ ବୋଲି ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଗତକାଲି ଅବସର ଗ୍ରହଣ କରିଥିବା ଏମ୍ସ ନ୍ୟୁରୋ ସର୍ଜରି ବିଭାଗର ମୁଖ୍ୟ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସହିତ ଡାକ୍ତରୀ ଦଳର ଅନ୍ୟ ସଦସ୍ୟ ଏବଂ ଜଗା ବଳିଆଙ୍କ ବାପା ମା’ ମଧ୍ୟ ଉପସ୍ଥିତ ଥିଲେ। ସଂଗୀତ ବାଜିବା କ୍ଷଣି ଜଗା ହାତ ହଲାଇ ହସିଥିଲା। କିଛି ଡାକ୍ତର ଆଜି ଜଗାବଳିଆଙ୍କୁ ସଫ୍ଟ ଟୟ ଓ ବିସ୍କୁଟ୍‌ ଉପହାର ଦେଇଥିଲେ।

ଜଗାର ସ୍ୱାସ୍ଥ୍ୟରେ ଦ୍ରୁତ ଅଗ୍ରଗତି ହୋଇଥିବା ବେଳେ ତା’ର ମାନସିକ ବିକାଶ ପାଇଁ ଡାକ୍ତରୀ ଦଳ କିଛି ନୂଆ ପ୍ରୟୋଗ ମଧ୍ୟ ଆରମ୍ଭ କରିଛନ୍ତି। ଜଗା ଡ୍ରଇଁ ପେପରରେ ପେନ୍‌ସିଲ ଦ୍ୱାରା ରଙ୍ଗକରିବା ଉଦ୍ୟମ ଆରମ୍ଭ କରିଛି। ଆଜି ଜଗାକୁ ଇଂରାଜୀ ଅକ୍ଷର ଚିହ୍ନାଇବା ସହ ବର୍ଣ୍ଣବୋଧ ପୁସ୍ତକ ମଧ୍ୟ ଦିଆଯାଇଥିଲା। ଅନ୍ୟପକ୍ଷରେ, ବଳିଆ ବସି ରହୁଛି ଓ ମଝିରେ ମଝିରେ ପ୍ରତିକ୍ରିୟା ସ୍ୱରୂପ ବାପା ମା’ଙ୍କୁ ଦେଖି ହସୁଛି। ତେବେ ପ୍ରଫେସର ଅଶୋକ ମହାପାତ୍ର ଅବସର ଗ୍ରହଣ କରିବାପରେ ମଧ୍ୟ ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତାଙ୍କର ନଜର ରଖିବେ ବୋଲି କହିଥିଲେ। ଫ୍ରଫେସର ମହାପାତ୍ରଙ୍କ ଅନନ୍ୟ ସାହାଯ୍ୟ ଓ କୃତଜ୍ଞତା ପାଇଁ ତାଙ୍କୁ ଜଗା ବଳିଆଙ୍କ ବାପା ମା’ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe