ନୂଆଦିଲ୍ଲୀ: ୧୮ ଘଣ୍ଟାର ସଫଳ ଅସ୍ତ୍ରୋପଚାରରେ ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅଲଗା କରାଯିବାପରେ ସେମାନଙ୍କୁ ଆଇସିୟୁରେ ରଖାଯାଇଛି। ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ୨୦ ଜଣିଆ ଡାକ୍ତରୀ ଦଳ ଓ ୨୫ ଜଣ ନର୍ସ ତୀକ୍ଷଣ ନଜର ରଖିଛନ୍ତି। ଅସ୍ତ୍ରୋପଚାର ପରର ଜଟିଳତା ଏବଂ ସଂକ୍ରମଣକୁ ରୋକିବାପାଇଁ ଡାକ୍ତରୀଦଳ ସେମାନଙ୍କୁ ଲଗାତାର ନୀରିକ୍ଷଣ କରୁଛନ୍ତି। ନିଶ୍ଚେତକର ପ୍ରଭାବ ଅପସରି ଯାଇଛି କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅପରିବର୍ତ୍ତିତ ରହିଥିବା ସୁତ୍ରରୁ ଜଣାପଡ଼ିଛି। ତେବେ ୭୨ ଘଣ୍ଟା ପରେ ହିଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଏକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଅନୁମାନ କରାଯାଉଛି। ଅପରେସନ ପରେ ମସ୍ତିଷ୍କ ଏବଂ ହୃତ୍ପିଣ୍ଡ ସଂକ୍ରାନ୍ତିୟ କୌଣସି ସମସ୍ୟା ଦେଖାଦେଲେ ତତ୍କାଳ ପଦକ୍ଷେପ ପାଇଁ ଡାକ୍ତରୀ ଦଳ ସଜାଗ୍ ରହିଛନ୍ତି। ତେବେ ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆଜି ଏମ୍ସ ପକ୍ଷରୁ କୌଣସି ଖବର ପ୍ରକାଶ କରାଯାଇନାହିଁ। ଅପରପକ୍ଷେ ଦିଲ୍ଲୀ ଏବଂ ଏନସିଆରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ପ୍ରାର୍ଥନା କରିବା ସହ ଜଗା ବଳିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରବାସୀ ଓଡ଼ିଆମାନେ ଏମ୍ସ ପରିସରରେ ବିଭିନ୍ନ ଡାକ୍ତରମାନଙ୍କଠାରୁ ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଲଗାତାର ଖବର ରଖୁଛନ୍ତି। ତେବେ ଅପରେସନ୍ ପରେ ଜଗା ବଳିଆଙ୍କ ବାପା ମା’ ଏଯାବତ୍ ଦୁଇ ଶିଶୁଙ୍କୁ ଦେଖିପାରିନାହାନ୍ତିି। ସଂକ୍ରମଣ ଆଶଙ୍କା ଥିବାହେତୁ ସେମାନଙ୍କୁ ଶିଶୁଙ୍କ ନିକଟକୁ ଯିବା ଲାଗି ବାରଣ କରାଯାଇଛି। କିନ୍ତୁ ସେମାନେ ଟିଭିରେ ନିଜ ପିଲା ଦୁହିଁଙ୍କୁ ଅଲଗା କରାଯାଇଥିବାର ଫଟୋ ଦେଖି ବହୁ ଖୁସି ଅଛନ୍ତି ଏବଂ ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରୁଛନ୍ତି।
ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର
Advertisment
Follow Us