ଜଗା ସ୍ୱାସ୍ଥ୍ୟରେ ଉନ୍ନତି, ବଳିଆର ମାଇନର ଅପରେସନ୍‌

Advertisment
ଜଗା ସ୍ୱାସ୍ଥ୍ୟରେ ଉନ୍ନତି, ବଳିଆର ମାଇନର ଅପରେସନ୍‌

ନୂଆଦିଲ୍ଲୀ : ଗତକାଲି ଆଇସିୟୁରୁ ଜେନେରାଲ୍‌ ଓ୍ଵାର୍ଡକୁ ସ୍ଥାନାନ୍ତରିତ ହୋଇଥିବା ଜଗା ସ୍ୱାସ୍ଥ୍ୟରେ କ୍ରମାଗତ ସୁଧାର ଆସୁଥିବା ମେଡିକାଲ ସୁତ୍ରରୁ ଜଣାପଡ଼ିଛି। ଜଗାକୁ ନିୟମିତ ପାଟିବାଟେ ତରଳ ଖାଦ୍ୟ ଦେବାପାଇଁ ଡାଏଟିସିଆନ୍‌ମାନେ ଯେଉଁ ଚାର୍ଟ ପ୍ରସ୍ତୁତ କରିଛନ୍ତି ସେହି ଅନୁସାରେ ଜଗାକୁ ନିର୍ଦ୍ଦିଷ୍ଟ ସମୟରେ ଦିଆଯାଉଥିବା ଖାଦ୍ୟ ସେ ଗ୍ରହଣ କରୁଥିବା ଜଣାପଡ଼ିଛି। ଡାକ୍ତରୀ ଦଳ ଦ୍ୱାରା ଲଗାତାର ଜଗାର ସ୍ୱାସ୍ଥ୍ୟ ନିରୀକ୍ଷଣ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଶ୍ୱାସକ୍ରିୟା ଠିକ୍‌ ଥିବାରୁ ଜଗା ପ୍ରତିକ୍ରିୟା ପ୍ରକାଶ କରୁଛି। ଜଗାର ବେଡ୍‌ରେ ତା’ ସ୍ୱାସ୍ଥ୍ୟର ସମସ୍ତ ପ୍ରକାର ଗତିବିଧିକୁ ନିରୀକ୍ଷଣ ପାଇଁ ଅତ୍ୟାଧୁନିକ ଉପକରଣ ଖଞ୍ଜାଯାଇଛି ଯାହାଦ୍ୱାରା ସମସ୍ତ ପ୍ରକାର ରିଡିଂକୁ ରେକର୍ଡ କରାଯାଉଛି। ବର୍ତ୍ତମାନ ଜଗାର ସ୍ୱାସ୍ଥ୍ୟରେ ଯେଉଁଭଳି ଭାବେ ଉନ୍ନତି ପରିଲକ୍ଷିତ ହେଉଛି ସେ ୨ ମାସ ଭିତରେ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିବ ବୋଲି ଡାକ୍ତରୀଦଳ ଅନୁମାନ କରୁଛନ୍ତି। ଆଜି ତରଳ ପଦାର୍ଥରେ ଜଗାକୁ ମହୁ ଦିଆଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଜଗାର ମା’ ଆଜି ଜେନେରାଲ୍‌ ଓ୍ଵାର୍ଡରେ ଜଗା ପାଖରେ ଅନେକ ସମୟ ପର୍ଯ୍ୟନ୍ତ ରହିଥିଲେ। ଜଗା ମା’ ଡାକ ଶୁଣି ହସିଥିବା ଜଣାଯାଇଛି। ଜଗା ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ମା’ଙ୍କ ଉପସ୍ଥିତି ଅନୁକୂଳ ପ୍ରଭାବ ପକାଇବ ବୋଲି ଡାକ୍ତରୀଦଳ ମତ ଦେବାପରେ ଜଗାର ମା’ଙ୍କୁ ଜଗା ପାଖରେ ରହିବାର ଅନୁମତି ମିଳିଛି। ଆଜି ଜେନେରାଲ୍‌ ଓ୍ଵାର୍ଡରେ ଜଗାର ନିୟମିତ ସ୍ୱାସ୍ଥ୍ୟ ସମ୍ପର୍କିତ ଯାଞ୍ଚ ମଧ୍ୟ କରାଯାଇଥିଲା। ଅପରପକ୍ଷେ ଦ୍ୱିତୀୟ ପର୍ଯ୍ୟାୟ ଅପରସେନ ପରେ ବର୍ତ୍ତମାନ ସୁଦ୍ଧା ଆଇସିୟୁରେ ଥିବା ବଳିଆ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିବା କୁହାଯାଉଛି। ଡାକ୍ତରୀଦଳ ବଳିଆର ଆଜି ଏକ ମାଇନର ଅପରେସନ କରିଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ମୁଣ୍ଡକୁ ଅଲଗା କରାଯିବାପରେ ପ୍ଲାଷ୍ଟିକ୍‌ ସର୍ଜନଙ୍କ ଦ୍ୱାରା ମୁଣ୍ଡରେ ଖପୁରୀ କିମ୍ବା ଚର୍ମ ନଥିବାରୁ ଖପୁରୀ ଏବଂ ଚର୍ମ ପ୍ରତିରୋପଣ କରାଯାଇଥିଲା। ତେବେ ଆଜି ଚର୍ମ ପ୍ରତିରୋପଣର ମାଇନର ଅପରେସନ କରାଯାଇଥିବା ଜଣାଯାଇଛି। ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଧୀରେଧୀରେ ସୁଧାର ଆସିବ ଏବଂ ସେ ଆହୁରି ଅଧିକ ଦିନ ଆଇସିୟୁରେ ରହିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe