Image Courtesy of India Today
ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଦୁଇ ସପ୍ତାହ ଯାଏ ସ୍ଥଗିତ ରଖିବାକୁ ମହାନଗର ନଗମକୁ ଆଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ଏଥି ସହ ଏ ସମ୍ପର୍କରେ ଆଗତ ଆବେଦନର ଶୁଣାଣିକୁ ମଧ୍ୟ ଘୁଞ୍ଚାଇ ଦେଇଛନ୍ତି। ସୁପ୍ରିମ୍କୋର୍ଟ କହିଲେ ଯେ, ବୁଧବାର ଉଚ୍ଛେଦ ଅଭିଯାନ ବନ୍ଦ କରିବାକୁ ଆଦେଶ ଦେବା ସତ୍ତ୍ବେ ଯଦି ଭଙ୍ଗାଭଙ୍ଗି କରାଯାଇଥିବ ତେବେ ଏହା ଉପରେ ନ୍ୟାୟପାଳିକା ଗୁରୁତର ଦୃଷ୍ଟିଭଙ୍ଗୀ ପୋଷଣ କରିବେ। ଉତ୍ତର ଦିଲ୍ଲୀ ପୌର ନିଗମ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଜାହାଙ୍ଗୀରପୁରୀରେ ରାସ୍ତାକୁ ମଡ଼ାଇ କରାଯାଇଥିବା ନିର୍ମାଣ କାର୍ଯ୍ୟକୁ ହଟାଇବା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ଜବରଦଖଲକାରୀଙ୍କ ଦୋକାନ, ପାଚେରି ଆଦି ଭଙ୍ଗାଯାଇଥିଲା। ସେ ପୁଣି କହିଥିଲେ ଯେ ଏହି ଉଚ୍ଛେଦ କାର୍ଯ୍ୟ ଜାନୁଆରି ୧୯ରୁ ଆରମ୍ଭ ହୋଇଥିଲା ଏବଂ ବୁଧବାର ପଞ୍ଚମଥର ପାଇଁ ଭଙ୍ଗାଭଙ୍ଗି କରାଯାଇଥିଲା।
ଜଷ୍ଟିସ୍ ଏଲ୍ଏନ୍ ରାଓ ଓ ବିଆର୍ ଗୱାଇଙ୍କ ଦୁଇଜଣିଆ ବେଞ୍ଚ ପଚାରିଥିଲେ, ରାସ୍ତାକଡ଼ରୁ ଦୋକାନ ଆଦି ହଟାଇବା ପାଇଁ କ’ଣ ବୁଲ୍ଡୋଜର ଦରକାର? ଏହାର ଉତ୍ତରରେ ମେହେଟ୍ଟା କହିଥିଲେ, ଯେଉଁ ଘର ଭଙ୍ଗାଯିବା କଥା ତାଙ୍କୁ ପୂର୍ବରୁ ନୋଟିସ ଦିଆଯାଇଥିଲା ଏବଂ ଏଥିରେ କୌଣସି ଆଇନର ଉଲ୍ଲଂଘନ ହୋଇ ନାହିଁ। ଯେକୌଣସି ପ୍ରଭାବିତ ଲୋକଙ୍କୁ ଡାକନ୍ତୁ ଓ ପଚାରନ୍ତୁ, ତାଙ୍କୁ ପୂର୍ବରୁ ନୋଟିସ୍ ଦିଆଯାଇଛି କି ନାହିଁ, ନା ସେମାନେ କେବଳ ଦଙ୍ଗାରେ ଭାଗ ନେଇଥିଲେ ବୋଲି ତାଙ୍କ ଦୋକାନ ଆଦି ଭଙ୍ଗାଯାଇଛି।
ମେହେଟ୍ଟା କହିଥିଲେ, ଏଠି ସମସ୍ୟାର ମୂଳ କାରଣ ହେଲା ଜାମିଆତ ପରି ସଂଗଠନ ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ ପିଟିସନକୁ ସମ୍ବେଦନଶୀଳ କରିବା ଏବଂ ତା’ପରେ ସବୁ ରାଜନୈତିକ ଦଳ ଏଥିରୁ ଫାଇଦା ହାସଲ ପାଇଁ ବାହାରିପଡ଼ିବା। କାହିଁକି ଗୋଟିଏ ପ୍ରଭାବିତ ପକ୍ଷ ସୁପ୍ରିମ୍କୋର୍ଟ ଆସିଲେ ନାହିଁ ବା ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର କଲେ ନାହିଁ? ସେହିପରି ଖାରଗୋନ ଉଚ୍ଛେଦ ଅଭିଯାନକୁ ରାଜନୈତିକ ଦଳଗୁଡ଼ିକ ସାମ୍ପ୍ରଦାୟିକୀକରଣ କରିଥିଲେ। ଖାରଗୋନରେ ଉଚ୍ଛେଦ ଯୋଗୁ ୮୮ ଜଣ ହିନ୍ଦୁ ଏବଂ ୨୬ ଜଣ ମୁସଲମାନ ପ୍ରଭାବିତ ହୋଇଥିଲେ। ସେହିପରି ଜାହାଙ୍ଗୀରପୁରୀରେ ବି ରାଜନୈତିକ ଦଳଗୁଡ଼ିକ ଘଟଣାର ସାମ୍ପ୍ରଦାୟିକୀକରଣ କରିଛନ୍ତି।
ଜାମିଆତ ତରଫରୁ ବରିଷ୍ଠ ଓକିଲ ଦୁଷ୍ୟନ୍ତ ଡାଭେ ଓ କପିଲ ଶିବଲ କହିଥିଲେ, ସାରା ଦେଶରେ ମୁସଲମାନ ସମ୍ପ୍ରଦାୟ ବିରୋଧରେ ବୁଲଡୋଜର ଚାଳନା ବନ୍ଦ କରାଯାଉ। କୋର୍ଟ ଏପରି ଏକ ବାର୍ତ୍ତା ଦିଅନ୍ତୁ ଯାହାଦ୍ବାରା ଲୋକେ ବୁଝିବେ ଦେଶରେ ଆଇନର ଶାସନର ଚାଲିଛି।
Follow Us