Operation in Delhi: ଆତ୍ମଘାତୀ ବିସ୍ଫୋରଣ ପଛରେ ଜୈସ ସ୍ଲିପର୍‌ ସେଲ୍‌: ଫରିଦାବାଦରେ ଯୋଜନା, ଦିଲ୍ଲୀରେ ଅପରେସନ୍‌

ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଗତକାଲି ସନ୍ଧ୍ୟାରେ ହୋଇଥିବା ଭୟାନକ ବିସ୍ଫୋରଣ ଏକ ଆତ୍ମଘାତୀ ଆତଙ୍କୀ ଆକ୍ରମଣ  ବୋଲି ଆଜି ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଛି। ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର ଫରିଦାବାଦ....

adgdagadgzvcvc

ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଗତକାଲି ସନ୍ଧ୍ୟାରେ ହୋଇଥିବା ଭୟାନକ ବିସ୍ଫୋରଣ ଏକ ଆତ୍ମଘାତୀ ଆତଙ୍କୀ ଆକ୍ରମଣ  ବୋଲି ଆଜି ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଛି। ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର ଫରିଦାବାଦ ମଡ୍ୟୁଲ୍‌ ଏହି ଆକ୍ରମଣ କରିଛି ବୋଲି  ତଦନ୍ତରୁ ଜଣାପଡ଼ିଛି। ଜୈସର ସ୍ଲିପର୍‌ ସେଲ୍‌ ଆତଙ୍କୀମାନେ  ବିପୁଳ ପରିମାଣର ଆମୋନିୟମ୍ ନାଇଟ୍ରେଟ୍ ଏବଂ ଡିଟୋନେଟର୍‌ ବ୍ୟବହାର କରି ଏହି ବିସ୍ଫୋରଣ ଘଟାଇଛନ୍ତି। ଆମୋନିୟମ୍ ନାଇଟ୍ରେଟ୍‌କୁ ଏଭଳି ପ୍ରଚଣ୍ଡ ଅସ୍ତ୍ରରେ ପରିଣତ କରି ଆତ୍ମଘାତୀ ଆକ୍ରମଣ କରାଯିବା ଭାରତରେ ପ୍ରଥମ ବୋଲି କୁହାଯାଇଛି।

ଆଜି ସୁରକ୍ଷା ଏଜେନ୍ସିମାନେ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍‌ର ପରିବହନ ଏବଂ ସାମଗ୍ରୀ ହାସଲ କରାଯିବା ନେଟ୍‌ୱର୍କକୁ ଠାବ କରିବା ପାଇଁ ବଡ଼ଧରଣର ପ୍ରୟାସ ଆରମ୍ଭ କରିଛନ୍ତି। ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ଗୁଜରାଟ ଏବଂ ଜମ୍ମୁକାଶ୍ମୀରର ଅନେକ ସ୍ଥାନରେ ଚଢ଼ଉ ଜାରି ରହିଥିବା ବେଳେ ୨୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି।    କାର୍ ବିସ୍ଫୋରଣର ତଦନ୍ତ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)। ଗ୍ରହଣ କରିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇ ତଦନ୍ତ ଦାୟିତ୍ବ ଏନ୍‌ଆଇଏକୁ ହସ୍ତାନ୍ତର କରିଛି। ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରି ଏହି ନିଷ୍ପତ୍ତି ଘୋଷଣା କରିଥିଲେ। ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ଘଟଣାସ୍ଥଳରୁ ବିସ୍ଫୋରଣ ସମ୍ପର୍କରେ ସୂଚନା ସଂଗ୍ରହ କରୁଛନ୍ତି।  ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ନିର୍ଦ୍ଦେଶକ ତପନ ଡେକା, ଦିଲ୍ଲୀ ପୁଲିସ କମିସନର ସତୀଶ ଗୋଲଚା ଏବଂ  ଏନ୍ଆଇଏ ମହାନିର୍ଦ୍ଦେଶକ ସଦାନନ୍ଦ ବସନ୍ତ ଦାତେ ଯୋଗ ଦେଇଥିଲେ।

ଦିଲ୍ଲୀ ପୁଲିସ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଓ ବିସ୍ଫୋରକ ଆଇନର ଧାରା ଅନୁଯାୟୀ ଏଫ୍ଆଇଆର୍ ରୁଜୁ କରିଛି। ଏହା ବ୍ୟତୀତ ଜାତୀୟ ରାଜଧାନୀର ଅନେକ ସ୍ଥାନରେ ଚଢ଼ଉ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିବା କାର୍‌ର ଚାଳକ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍‌ର ଅନ୍ୟତମ ମୁଖ୍ୟ ସଂଚାଳକ ଥିଲା ବୋଲି ପ୍ରମାଣ ମିଳିଛି।

 ସୂଚନା ମୁତାବକ, ପୁଲୱାମା ବାସିନ୍ଦା ତଥା ପେସାରେ ଡାକ୍ତର ମହମ୍ମଦ ଉମର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟସ୍ଥ ପାର୍କିଂ ଅଞ୍ଚଳରେ ବିସ୍ଫୋରଣରେ ବ୍ୟବହୃତ ହୁଣ୍ଡାଇ ଆଇ-୨୦ କାର୍ ଚଳାଉଥିଲେ। ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିବା କାର୍ ଚଳାଉଥିବା ବ୍ୟକ୍ତିର ପ୍ରଥମ ଫଟୋ ସେହି ଅଞ୍ଚଳର ସିସିଟିଭି ଫୁଟେଜରେ ସାମନାକୁ ଆସିବା ପରେ ଖୋଳତାଡ଼ରୁ ତା’ର ପରିଚୟ ମିଳିଥିଲା। ବିସ୍ଫୋରଣ ପୂର୍ବରୁ ପ୍ରାୟ ୧୧ ଘଣ୍ଟା ଧରି ମହମ୍ମଦ ଉମର୍‌ର ଗତିବିଧି ସଂକ୍ରାନ୍ତ ଅନେକ ପ୍ରମାଣ ହସ୍ତଗତ ହୋଇଛି। ତଦନ୍ତକାରୀ ସଂସ୍ଥାମାନେ ଉକ୍ତ କାର୍‌ ଚାଳକ ଫରିଦାବାଦ ଅଲ୍‌ ଫଲାହ ହସ୍ପିଟାଲର ଡାକ୍ତର ମହମ୍ମଦ ଉମର (ଉମର ନବୀ) ବୋଲି ସ୍ପଷ୍ଟ କରିଛନ୍ତି। ଉମର ଓ ତା’ର ସହଯୋଗୀମାନେ ବିପୁଳ ପରିମାଣର ଆମୋନିୟମ୍‌ ନାଇଟ୍ରେଟ୍‌ ବ୍ୟବହାର କରି ଏହାକୁ ଏକ ଭୟାନକ କାର୍‌ ବିସ୍ଫୋରଣର ମାଧ୍ୟମ  କରିଥିଲେ।

ଆମୋନିୟମ୍ ନାଇଟ୍ରେଟ୍ ଓ ‌ଡିଟୋନେଟର୍‌ ବ୍ୟବହାର ପ୍ରମାଣ ମିଳିଲା
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ଆମୋନିୟମ୍ ନାଇଟ୍ରେଟ୍, ଇନ୍ଧନ ତେଲ ଓ ଡିଟୋନେଟର୍‌ ବ୍ୟବହାର ହୋଇଛି। ପ୍ରାଥମିକ ତଦନ୍ତରୁ ଦିଲ୍ଲୀ ବିସ୍ଫୋରଣ ଓ ଫରିଦାବାଦ ଆତଙ୍କୀ ମଡ୍ୟୁଲ୍‌ ମଧ୍ୟରେ  ଲିଙ୍କ୍ ଥିବା ନେଇ ସୂଚନା ମିଳିଛି, ଯେଉଁଠାରୁ ୩୬୦ କିଲୋଗ୍ରାମ୍ ଆମୋନିୟମ୍ ନାଇଟ୍ରେଟ୍ ଜବତ କରାଯାଇଥିଲା।  ସୋମବାର ସନ୍ଧ୍ୟାରେ ଜାତୀୟ ରାଜଧାନୀରେ ଏକ ବିସ୍ଫୋରଣରେ ଅତି କମ୍‌ରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୫ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ବିସ୍ଫୋରଣ ସମୟରେ କାରଟି ଧୀର ବେଗରେ ଗତି କରୁଥିଲା ଏବଂ ଲାଲକିଲ୍ଲା ନିକଟରେ ଏକ ଟ୍ରାଫିକ୍ ସିଗନାଲରେ ଅଟକିବା ପରେ ବିସ୍ଫୋରଣ ହୋଇଥିଲା, ଯାହାଫଳରେ ଆଖପାଖରେ ଥିବା ଅନେକ ଗାଡ଼ି ଜଳିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe