ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତି ପରିଚାଳନାକୁ ଅଭୂତପୂର୍ବ ବୋଲି ବର୍ଣ୍ଣନା କରି କହିଛନ୍ତି। ସେ କହିଛନ୍ତି, ଏଭଳି ବୈଦେଶିକ ନୀତି ପରିଚାଳନା କରିଥିବା ରାଷ୍ଟ୍ରପତି ଆମେରିକାରେ କେବେ ବି ନ ଥିଲେ। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି, ଟ୍ରମ୍ପଙ୍କ ଏଭଳି ବ୍ୟବହାର କେବଳ ଭାରତ ପାଇଁ ସୀମିତ ନୁହେଁ। ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଶ୍ୱ ସହ ମୁକାବିଲା କରିବାର ଶୈଳୀ, ଏପରିକି ନିଜ ଦେଶ ସହ ମୁକାବିଲା କରିବାର ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ।
ଟ୍ରମ୍ପଙ୍କ ବାରମ୍ବାର ଦାବି ସତ୍ତ୍ୱେ ମେ ମାସରେ ୪ ଦିନ ଧରି ଚାଲିଥିବା ଭାରତ-ପାକିସ୍ତାନ ବିବାଦର ଅନ୍ତ ଘଟାଇବାରେ ଆମେରିକାର କୌଣସି ମଧ୍ୟସ୍ଥତା ନାହିଁ ବୋଲି ଜୟଶଙ୍କର ଦୋହରାଇଛନ୍ତି। ସେ କହିଛନ୍ତି, ୧୯୭୦ ମସିହାରୁ ଭାରତ-ପାକ୍ ସଂଘର୍ଷ ପ୍ରସଙ୍ଗରେ ୫୦ ବର୍ଷରୁ ଅଧିକ ସମୟ ଧରି ଏହି ଦେଶରେ ଏକ ଜାତୀୟ ସହମତି ରହିଛି ଯେ ଆମେ ପାକିସ୍ତାନ ସହ ସମ୍ପର୍କରେ ମଧ୍ୟସ୍ଥତାକୁ ଗ୍ରହଣ କରୁନାହୁଁ। ଆମେରିକା ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପ୍ରସଙ୍ଗରେ ଜୟଶଙ୍କର କହିଛନ୍ତି ଯେ କୌଣସି ବାଣିଜ୍ୟ ଆଲୋଚନାରେ ଘରୋଇ କୃଷକଙ୍କ ସ୍ୱାର୍ଥ ସର୍ବୋଚ୍ଚ ରହିଥାଏ। ଯେତେବେଳେ ବାଣିଜ୍ୟ, କୃଷକଙ୍କ ସ୍ୱାର୍ଥ କଥା ଆସେ, ଯେତେବେଳେ ଆମର ରଣନୈତିକ ସ୍ୱାଧୀନତା କଥା ଆସେ, ଯେତେବେଳେ ମଧ୍ୟସ୍ଥତାକୁ ବିରୋଧ କରିବା କଥା ଆସେ, ସେତେବେଳେ ଏହି ସରକାର ବହୁତ ସ୍ପଷ୍ଟ। ଜୟଶଙ୍କର କହିଛନ୍ତି, ଯଦି ଆପଣଙ୍କର ଭାରତରୁ କୌଣସି ସାମଗ୍ରୀ କିଣିବାରେ ଅସୁବିଧା ହେଉଛି, ତେବେ ଏହାକୁ କିଣନ୍ତୁ ନାହିଁ। ଏହାକୁ କିଣିବାକୁ କେହି ଆପଣଙ୍କୁ ବାଧ୍ୟ କରନ୍ତି ନାହିଁ। ଯଦିଓ ଆମେରିକୀୟ ପ୍ରତିନିଧି ଦଳ ଅଗଷ୍ଟ ମାସରେ ଭାରତ ଗସ୍ତ ବାତିଲ କରିଛନ୍ତି, ତଥାପି ଜୟଶଙ୍କର କହିଛନ୍ତି ଯେ, ନୂଆଦିଲ୍ଲୀ ଓ ୱାସିଂଟନ ମଧ୍ୟରେ ବାଣିଜ୍ୟ ଆଲୋଚନା ଜାରି ରହିଛି। ତେବେ ବାଣିଜ୍ୟ ବୁଝାମଣା ବେଳେ କୃଷକ ଓ କ୍ଷୁଦ୍ର ଉତ୍ପାଦକଙ୍କ ଅଧିକାରକୁ ସୁରକ୍ଷିତ ରଖିବାକୁ ଆମେ ବଦ୍ଧପରିକର।
Follow Us