ଲାହୋର/ନୂଆଦିଲ୍ଲୀ : ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍ ଏବଂ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ବଞ୍ଚିଛି ବୋଲି ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି। ଭାରତୀୟ ଏବଂ ଅନ୍ୟ ବିଦେଶୀ ଗଣମାଧ୍ୟମ ଗୁଡ଼ିକରେ ଆଝାରର ମୃତ୍ୟୁକୁ ନେଇ ପ୍ରକାଶିତ ଖବରକୁ ଗ୍ରହଣ କରିନାହିଁ ପାକିସ୍ତାନୀ ଗଣମାଧ୍ୟମ।
ରବିବାର ଜିଓ ଊର୍ଦ୍ଦୁ ନିଉଜ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇ କୁହାଯାଇଛି ଯେ, ଜେଇଏମ୍ ମୁଖ୍ୟ ମାସୁଦ ଆଝାର ଜୀବିତ ଅଛି ଏବଂ ତା’ର ମୃତ୍ୟୁ ଖବର ଭିତ୍ତିହୀନ । ମାସୁଦ ଆଝାରର ପରିବାର ନିକଟତମ ମହଲରୁ ଏହି ଖବର ମିଳିଛି ବୋଲି ଜିଓ ଊର୍ଦ୍ଦୁ ନିଉଜ୍ ଦାବି କରିଛି।
ମାସୁଦ୍ ଅଝାରର ମାର୍ଚ୍ଚ ୨ ତାରିଖ ଦିନ ପାକିସ୍ତାନୀ ସେନା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଛି ବୋଲି ଭାରତ ସମେତ ଅନ୍ୟ ଦେଶର ପ୍ରମୁଖ ଗଣମାଧ୍ୟମଗୁଡିକରେ ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯକୃତ କର୍କଟ (ଲିଭର କ୍ୟାନସର)ରେ ପୀଡ଼ିତ ମାସୁଦ ଆଝାରର ଇସାଲାମାବାଦରେ ଥିବା ପାକିସ୍ତାନର ଏକ ଆର୍ମି ହସ୍ପିଟାଲରେ ମୁତ୍ୟୁ ହୋଇଛି। ସାମାଜିକ ଗଣମାଧ୍ୟମଗୁଡ଼ିକରେ ମଧ୍ୟ ମାସୁଦ୍ର ମୁତ୍ୟୁକୁ ନେଇ ହଜାର ହଜାର ସଂଖ୍ୟାରେ ଖବର ଆସୁଛି। ତେବେ, ଏନେଇ ଅଦ୍ଭୁତପୂର୍ବ ନିରବତା ଅବଲମ୍ବନ କରିଛି ପାକିସ୍ତାନ। ମାସୁଦ୍ର ମୁତ୍ୟୁ ଖବରକୁ ସ୍ୱୀକାର କରିନାହିଁ କି ଆନୁଷ୍ଠାନିକ ଭାବେ ଖଣ୍ଡନ ମଧ୍ୟ କରି ନାହିଁ। ପାକିସ୍ତାନର ଏପ୍ରକାର ଆଭିମୁଖ୍ୟ ଫଳରେ ମାସୁଦ୍ ଅଝାରର ମୁତ୍ୟୁ ଖବରକୁ ସୃଷ୍ଟି ହୋଇଛି ପ୍ରହେଳିକା।
ଏହାପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ ସିଏନ୍ଏନ୍କୁ ଏକ ସାକ୍ଷାତକାର ଦେଇ କହିଥିଲେ ଯେ ମାସୁଦ ଆଝାର ପାକିସ୍ତାନରେ ଅଛି। ଏବଂ ସେ ଗୁରୁତର ରୋଗରେ ପୀଡିତ ହେବା ସହ ହସ୍ପିଟାଲରେ ଚିକିତ୍ସିତ ହେଉଛି। ତେବେ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ମାସୁଦ ଅଝାର ବାଲାକୋଟ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବା କୁହାଯାଉଛି।
Follow Us