ଶ୍ରୀନଗର: ବାହାଓ୍ଵାଲ୍ପୁର ଠାରେ ଥିବା ଜୈଶ୍-ଏ-ମହମ୍ମଦ୍ର ମୁଖ୍ୟାଳୟ ‘ମର୍କଜ୍ ସୁଭାନାଲ୍ଲା’ ଗୋଟାଏ ପ୍ରାସାଦ ତୁଲ୍ୟ ପରିସର। ପାକିସ୍ତାନରେ ଅବସ୍ଥିତ ଏହି ନିଷିଦ୍ଧ ଆତଙ୍କବାଦୀ ସଂଗଠନରେ ‘ଜୈଶ୍’ର ୬୦୦ରୁ ଅଧିକ କ୍ୟାଡର୍ ରହୁଛନ୍ତି। ସମସ୍ତ ଜୈଶ୍ କ୍ୟାଡର୍ଙ୍କ ନିମନ୍ତେ ବାହାଓ୍ଵାଲ୍ପୁର ପରିସର ହେଉଛି ପ୍ରବେଶ ପଥ। ପରେ ସେମାନଙ୍କୁ ବାଲାକୋଟ୍ ଠାରେ ତାଲିମ୍ ଦିଆଯାଏ। ଏହି ପରିସର ମଧ୍ୟରେ ମହମ୍ମଦ୍ ମାସୁଦ୍ ଆଝାର, ତାଙ୍କ ଭାଇ ଏବଂ ଜୈଶ୍-ଏ-ମହମ୍ମଦ୍ ସହ ସମ୍ପୃକ୍ତ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ବାସଭବନ ରହିଛି।
ଉଭୟ ପ୍ରାଦେଶିକ ଏବଂ ସଙ୍ଘୀୟ ସରକାରଙ୍କ ସହାୟତାରେ ଏହି ପରିସର ନିର୍ମିତ। ଏଥିପାଇଁ ମାସୁଦ୍ ଆଝାର ମଧ୍ୟ ମଧ୍ୟ ପ୍ରାଚ୍ୟ, ଆଫ୍ରିକା ଏବଂ ଇଂଲଣ୍ଡ୍ରୁ ପାଣ୍ଠି ସଂଗ୍ରହ କରିଥିଲେ।
‘ମର୍କଜ୍ ସୁଭାନାଲ୍ଲା’ରେ ଜୈଶ୍ର ବରିଷ୍ଠତମ କାର୍ଯ୍ୟକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସେ। ପ୍ରତି ଶୁକ୍ରବାର ଦିନ ମାସୁଦ୍ ଆଝାରଙ୍କ ଭାଇ ମୁଫ୍ତି ଅବ୍ଦୁଲ୍ ରୌଫ୍ ଅସ୍ଗର୍ କିଂବା ଅନ୍ୟ କୌଣସି ବରିଷ୍ଠ କାର୍ଯ୍ୟକର୍ତ୍ତା ‘ଜିହାଦ’ରେ ଅଂଶଗ୍ରହଣ କରିବାକୁ ଯୁବକମାନଙ୍କୁ ପ୍ରରୋଚନା କରିବାକୁ ଭାଷଣ ଦିଅନ୍ତି।
ଏହି ବିଶାଳ ରାଜପ୍ରାସାଦତୁଲ୍ୟ ପରିସରର ନିର୍ମାଣ ୨୦୧୨ରେ ଆରମ୍ଭ ହୋଇଥିଲା। ଶରିଫ୍ଙ୍କ ଶାସନକାଳ ୨୦୧୫ ବେଳକୁ ଏହା କାର୍ଯ୍ୟକ୍ଷମ ହୋଇଥିଲା। ଏଥିରେ ଅତ୍ୟାଧୁନିକ ସୁଇମିଙ୍ଗ୍ ପୁଲ୍ ଓ ଜିମ୍ ମଧ୍ୟ ରହିଛି।
Follow Us