ପ୍ରଥମ ‘ଜେମ୍‌ସ୍‌ ବଣ୍ଡ୍‌’ ଅଭିନେତା ସାର୍‌ ସାନ୍‌ କନେରିଙ୍କ ଦେହାନ୍ତ

Advertisment
ପ୍ରଥମ ‘ଜେମ୍‌ସ୍‌ ବଣ୍ଡ୍‌’ ଅଭିନେତା ସାର୍‌ ସାନ୍‌ କନେରିଙ୍କ ଦେହାନ୍ତ

Image Courtesy of Hindustan Times

ଲଣ୍ଡନ୍: ବହୁଚର୍ଚ୍ଚିତ ଅନ୍ତର୍ଜାତୀୟ  ଗୁଇନ୍ଦା ଚରିତ୍ର  ‘ଜେମ୍‌ସ୍‌ ବଣ୍ଡ୍‌’ ଭୂମିକାରେ ଅଭିନୟ କରିଥିବା କିଂବଦନ୍ତି ବ୍ରିଟିସ୍‌ ଅଭିନେତା ସାର୍‌ ଟୋମାସ୍‌ ସାନ୍‌ କନେରିଙ୍କର ୯୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିବା କଥା ଶନିବାର ଦିନ ‘ବିବିସି’ ରିପୋର୍ଟ କରିଛି।

ସର୍ବ ପ୍ରଥମେ ବଡ଼ ପରଦାରେ ଏହି ଗୁଇନ୍ଦା ଚରିତ୍ରକୁ ରୂପାୟିତ କରିଥିବା ସାନ୍‌ କନେରି ଏଜେଣ୍ଟ୍ ‘୦୦୭’ ଭାବେ ସାତଟିଯାକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୬୨ରୁ ୧୯୮୩ ମଧ୍ୟରେ ନିର୍ମିତ ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ଡକ୍ଟର୍‌ ନୋ’, ‘ୟୁ ଓନ୍‌ଲି ଲିଭ୍‌ ଟ୍ବାଇସ୍‌’, ‘ଡାଇମଣ୍ଡ୍‌ସ୍‌ ଆର୍‌ ଫର୍‌ଏଭର୍’‌ ଏବଂ ‘ନେଭର୍‌ ସେ’ ନେଭର୍‌ ଏଗେନ୍’।

ଜନପ୍ରିୟ ଚଳଚ୍ଚିତ୍ର ତାରକା ଭାବେ ସେ ଅଭିନୟ କରିଥିବା ଅନ୍ୟାନ୍ୟ ଚଳଚ୍ଚିତ୍ରଗୁଡ଼ିକ ହେଉଛି- ‘ମେରାଇନ୍‌’ (୧୯୬୪), ‘ମର୍ଡର୍‌ ଅନ୍‌ ଦି ଓରିଏଣ୍ଟ୍‌ ଏକ୍ସପ୍ରେସ୍‌’ (୧୯୭୪), ‘ଦି ମ୍ୟାନ୍‌ ହୁ ଉଡ୍‌ ବି କିଙ୍ଗ୍’ (୧୯୭୫), ‘ଦି ନେମ୍ ଅଫ୍ ଦି ରୋଜ୍’ (୧୯୮୬), ‘ହାଇଲାଣ୍ଡର୍‌’ (୧୯୮୬), ‘ଇଣ୍ଡିଆନା ଜୋନ୍‌ସ୍‌’, ‘ଲାଷ୍ଟ୍‌ କ୍ରୁସେଡ୍’ (୧୯୮୯), ‘ଦି ହଣ୍ଟ୍‌ ଫର୍‌ ରେଡ୍‌ ଅକ୍ଟୋବର’ (୧୯୯୦), ‘ଡ୍ରାଗନ୍‌ହାର୍ଟ’ (୧୯୯୬), ‘ଦି ରକ୍‌’ (୧୯୯୬) ଏବଂ ‘ଫାଇଣ୍ଡିଙ୍ଗ୍‌ ଫରେଷ୍ଟର୍‌’ (୨୦୦୦)।

publive-image Image Courtesy of NDTV

୨୦୦୦ ମସିହାରେ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କଦ୍ବାରା ‘ନାଇଟ୍‌’ ଉପାଧି ପ୍ରାପ୍ତ ଏହି ସ୍କଟିସ୍‌ ଅଭିନେତା ତାଙ୍କ ଅଭିନୟ କ୍ୟାରିୟର୍‌ରେ ଗୋଟିଏ ‘ଓସ୍କାର୍‌’, ଦୁଇଟି ‘ଗୋଲ୍‌ଡେନ୍‌ ଗ୍ଲୋବ୍‌’ ଏବଂ ଦୁଇଟି ‘ବାଫ୍‌ଟା ପୁରସ୍କାର’ ସମେତ ଅନେକ ପୁରସ୍କାର ଓ ସମ୍ମାନରେ ଭୂଷିତ ହୋଇଥିଲେ। ବ୍ରାଇଏନ୍‌ ଡି ପାଲ୍‌ମାଙ୍କ ‘ଦି ଅନ୍‌ଟଚେବଲ୍‌’ ଚଳଚ୍ଚିତ୍ରରେ ଜଣେ ଆଇରିସୀୟ ପୁଲିସ ଭୂମିକା ନିମନ୍ତେ ସେ ‘ଓସ୍କାର୍‌’ ପୁରସ୍କାର ପାଇଥିଲେ।

ଗତ ଅଗଷ୍ଟ ମାସରେ ୯୦ ବର୍ଷରେ ପଦାର୍ପଣ କରିଥିବା ସାନ୍‌ କନେରି ସ୍କଟ୍‌ଲାଣ୍ଡ୍‌ ଅନ୍ତର୍ଗତ ଏଡିନ୍‌ବରାରେ ୧୯୩୦, ଅଗଷ୍ଟ ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଜୋସେଫ୍‌ କନେରି ଥିଲେ କାରଖାନା ଶ୍ରମିକ ତଥା ଲରି ଡ୍ରାଇଭର୍‌ ଏବଂ ମା’ ମ୍ୟାକ୍‌ବେନ୍‌ ମ୍ୟାକ୍‌କ୍ଲିନ୍‌ ସଫେଇ କାର୍ଯ୍ୟ କରୁଥିଲେ। କିଶୋର ବୟସରେ ସାନ୍ କନେରି ଘରକୁ ଘର ବୁଲି ଦୁଗ୍ଧ ଯୋଗାଇବା କାର୍ଯ୍ୟ କରୁଥିଲେ। ଅବଶ୍ୟ ଏହା ପୂର୍ବରୁ ୧୬ ବର୍ଷ ବୟସରେ ସେ ‘ରୟାଲ୍‌ ନେଭି’ରେ ଯୋଗ ଦେଇଥିଲେ। ସ୍ବାସ୍ଥ୍ୟ ସମସ୍ୟା ଦୃଷ୍ଟିରୁ ତିନି ବର୍ଷ ପରେ ସେ ଚାକିରି ଛାଡ଼ିଥିଲେ।

publive-image Image Courtesy of India Today

୧୯୫୧ରେ ସେ ‘କିଙ୍ଗ୍‌ସ୍‌ ଥିଏଟର୍‌’ରେ ମଞ୍ଚ ଆଢୁଆଳରେ କାମ କଲେ। ଏହାର ଅଳ୍ପ କିଛି ବର୍ଷ ପରେ ସେ ‘କୋରସ୍‌ ବୟ’ ଭାବେ ଛୋଟମୋଟ ଭୂମିକାରେ ଅଭିନୟ କଲେ। ୧୯୫୭ରେ ‘ନୋ ରୋଡ୍‌ ବ୍ୟାକ୍‌’ ସେ ପ୍ରଥମେ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଲେ। ଏହାର ପାଞ୍ଚ ବର୍ଷ ପରେ ଯାଇ ସାନ୍‌ କନେରି ଅବତୀର୍ଣ୍ଣ ହେଲେ ‘ସର୍ବ ପ୍ରଥମ ଜେମ୍‌ସ୍‌ ବଣ୍ଡ୍‌’ ଭୂମିକାରେ, ଯେଉଁ ଚରିତ୍ର ନିମନ୍ତେ ସେ ଚିରକାଳ ସ୍ମରଣୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe