ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରର ଛଅ ମାସ ପରେ ପୁଣି ଥରେ ସୀମାରେ ଆତଙ୍କବାଦୀ ଗତିବିଧି ବଢ଼ିବାରେ ଲାଗିଛି। ପାକିସ୍ତାନ ପଟୁ ଜମ୍ମୁ-କାଶ୍ମୀରକୁ ଅନୁପ୍ରବେଶ ବଢ଼ୁଛି। ଗୁଇନ୍ଦା ତଥ୍ୟ ଅନୁଯାୟୀ, ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦ ମିଳିତ ଭାବେ ଆକ୍ରମଣ କରିବାକୁ ଯୋଜନା ଚଲାଇଛନ୍ତି। ସେପ୍ଟେମ୍ବରରୁ ଆତଙ୍କବାଦୀ ସଙ୍ଗଠନ ଅନୁପ୍ରବେଶ ବୃଦ୍ଧି କରିବା ସହିତ ଭାରତୀୟ ଅଞ୍ଚଳ ଉପରେ ଡ୍ରୋନ୍ ମାଧ୍ୟମରେ ନଜର ରଖିଛନ୍ତି। ପାକିସ୍ତାନର ସ୍ବତନ୍ତ୍ର ସର୍ଭିସ ଗ୍ରୁପ୍ (ଏସ୍ଏସ୍ଜି) ଓ ଆଇଏସ୍ଆଇ ଅନୁପ୍ରବେଶରେ ଆତଙ୍କବାଦୀଙ୍କୁ ସହାୟତା କରୁଛନ୍ତି।
ଆତଙ୍କବାଦୀ ସମସେର୍ ଲସ୍କରର ନେତୃତ୍ବ ନେଉଥିବା ବେଳେ ଆକାଶମାର୍ଗରୁ ଡ୍ରୋନ ସାହାଯ୍ୟରେ ନଜର ରଖିବା ସହିତ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି। ତା’ର ଗତିବିଧି ଭାରତରେ ଆତ୍ମଘାତୀ ଆକ୍ରମଣ କିମ୍ବା ଅନୁପ୍ରବେଶକାରୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ସୂଚାଉଛି। ଗୁଇନ୍ଦା ତଥ୍ୟରୁ ଆହୁରି ଜଣାପଡ଼ିଛି ଯେ ପାକ୍-ଅଧିକୃତ କାଶ୍ମୀର (ପିଓକେ)ରେ ପାକିସ୍ତାନ ପୁଣି ଥରେ ବର୍ଡ଼ର ଆକ୍ସନ ଟିମ୍ (ବିଏଟି) ମୁତୟନ କରିଛି। ଜମ୍ମୁ-କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାକୁ ଅପରେସନ ସିନ୍ଦୂର ପରେ ପାକିସ୍ତାନର ଏହା ବଡ଼ଧରଣ ଯୋଜନା। ଅକ୍ଟୋବରରେ ପିଓକେରେ ଜମାତ-ଏ-ଇସଲାମ , ହିଜବୁଲ ମୁଜାହିଦ୍ଦିନ ଓ ଆଇଏସ୍ଆଇ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା। ଏଥିରେ ସୁପ୍ତ ଅବସ୍ଥାରେ ଥିବା ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ପୁଣି ଥରେ ସକ୍ରିୟ କରିବାକୁ ଆଲୋଚନା ହୋଇଥିଲା। ପୂର୍ବତନ କମାଣ୍ଡରମାନଙ୍କୁ ମାସିକିଆ ଷ୍ଟାଇପେଣ୍ଡ ଦେବାକୁ ମଧ୍ୟ ସ୍ଥିର ହୋଇଥିଲା। ଭାରତରେ ସେନା ଓ ରାଜନେତାଙ୍କ ବିରୋଧରେ ପ୍ରତିଶୋଧମୂଳକ ଆକ୍ରମଣ କରିବାକୁ ଆଇଏସ୍ଆଇ ପକ୍ଷରୁ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କବାଦୀଙ୍କ ସମର୍ଥକଙ୍କୁ ସେମାନଙ୍କ ପରିସରକୁ ଅଣାଯିବାକୁ ଚେଷ୍ଟା କରାଯାଉଛି, ଯାହାକି ସବୁଠୁ ବିପଜ୍ଜନକ। ପଞ୍ଜାବ ଓ ରାଜସ୍ଥାନରେ ନାର୍କୋ-ଟେରର୍ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ନେଟୱର୍କ ମାଧ୍ୟମରେ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ପାଣ୍ଠି ସଂଗ୍ରହ କରୁଛନ୍ତି। ଜମ୍ମୁ-କାଶ୍ମୀରକୁ ପର୍ଯ୍ୟଟକଙ୍କ ଆଗମନ ଲାଗିଥିବାବେଳେ ସ୍ବାଭାବିକ ସ୍ଥିତି ଫେରି ଆସିଛି। ଏପରି ସମୟରେ ପୁଣି ଥରେ ଭୟର ବାତାବରଣ ସୃ୍ଷ୍ଟି କରିବାକୁ ଆଇଏସ୍ଆଇ ସମର୍ଥିତ ଆତଙ୍କବାଦୀ ଚେଷ୍ଟା ଚଳାଇଛନ୍ତି। ଭାରତ ପକ୍ଷରୁ ଏହି ଗୁଇନ୍ଦା ତଥ୍ୟକୁ ଗମ୍ଭୀର ଚେତାବନୀ ଭାବେ ଗ୍ରହଣ କରାଯାଇଛି। ନର୍ଦର୍ଣ୍ଣ କମାଣ୍ଡ ସେକ୍ଟରରେ ଭାରତୀୟ ସେନା ଓ ଗୁଇନ୍ଦାକୁ ହାଇ ଆଲର୍ଟରେ ରହିବାକୁ କୁହାଯାଇଛି। ଶୀତ ଦିନେ ଅନୁପ୍ରବେଶ କମ୍ ରହିଥାଏ। କିନ୍ତୁ ଏଥର ପାକିସ୍ତାନ ଜମ୍ମୁ-କାଶ୍ମୀରରେ ଆତଙ୍କ ସୃ୍ଷ୍ଟି କରିବାକୁ ନୂଆ ଯୋଜନା କରୁଥିବା ବିଶେଷଜ୍ଞ ଚେତାଇଛନ୍ତି।
Follow Us