ଆଜି ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ଜମ୍ମୁ ଓ କଶ୍ମୀର, କିନ୍ତୁ କେବଳ ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ

ଆଜି ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ଜମ୍ମୁ ଓ କଶ୍ମୀର, କିନ୍ତୁ କେବଳ ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ

Image Courtesy of Hindustan Times

ନୂଆଦିଲ୍ଲୀ: ଜୁଲାଇ ୧୪ ତାରିଖରୁ ପର୍ଯ୍ୟାୟକ୍ରମେ ପର୍ଯ୍ୟଟନ ପାଇଁ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଉନ୍ମୁକ୍ତ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ଜମ୍ମୁ ଓ କଶ୍ମୀର ସରକାର କେତେକ ମାର୍ଗଦର୍ଶିକା ଜାରି କରିଛନ୍ତି। କେବଳ ବିମାନରେ ଆସିଥିବା ଯାତ୍ରୀମାନଙ୍କୁ ପର୍ଯ୍ୟଟନ ପାଇଁ ଅନୁମତି ମିଳିବ।

ଅଳ୍ପଦିନ ତଳେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ ଓ କଶ୍ମୀର ସରକାର ପୁଣି ପର୍ଯ୍ୟଟନ ଖୋଲିବାକୁ ନି‌ଷ୍ପତ୍ତି ଗ୍ରହଣ କରିଥିଲେ। ଜମ୍ମୁ ଓ କଶ୍ମୀର ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟଟନ ସେକ୍ଟର୍ ଆଂଶିକ ଖୋଲିବ। ଏବେ କେବଳ ବିମାନରେ ଆସି ପହଞ୍ଚୁଥିବା ପର୍ଯ୍ୟଟକମାନଙ୍କୁ ଏଥିପାଇଁ ଅନୁମତି ମିଳିବ।

ଏ ସଂକ୍ରାନ୍ତରେ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି, କୋଭିଡ୍-୧୯ ସଂକ୍ରାନ୍ତ କଟକଣା ଯୋଗୁଁ ପର୍ଯ୍ୟଟକ ଏବଂ ସେମାନଙ୍କ ଆତିଥ୍ୟତା ସେକ୍ଟର୍‌ରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ କେତେକ ନିୟମ ପାଳନ କରିବାକୁ ପଡ଼ିବ।

କେବଳ ବିମାନରେ ଆସୁଥିବା ଯାତ୍ରୀମାନଙ୍କୁ ପର୍ଯ୍ୟଟନ ପାଇଁ ଅନୁମତି ମିଳିବ। ପହଞ୍ଚୁଥିବା ସମସ୍ତ ପର୍ଯ୍ୟଟକମାନଙ୍କ ପାଇଁ କୋଭିଡ୍-୧୯ ପରୀକ୍ଷା ବାଧ୍ୟତାମୂଳକ। ରହଣୀ ସମୟ ପାଇଁ ସେମାନେ ହୋଟେଲ୍ ବୁକିଙ୍ଗ୍ କନ୍‌ଫର୍ମ କରାଇଥିବା ଆବଶ୍ୟକ। ସେମାନେ ପୂର୍ବରୁ ଅନ୍‌ଲାଇନ୍‌ରେ ହୋଟେଲ୍, ହାଉସ୍‌ବୋଟ୍ କିଂବା ଗେଷ୍ଟ୍‌ହାଉସ୍ ବୁକିଙ୍ଗ୍ କରାଇଥିବା ଆବଶ୍ୟକ। ପହଞ୍ଚିବା ସମୟରେ ଏ ସବୁର ପ୍ରମାଣ ଯାଞ୍ଚ କରାଯିବ। ଏହାଛଡ଼ା ସବୁ ଯାତ୍ରୀଙ୍କ ପାଖରେ ନିଶ୍ଚୟ ଫେରନ୍ତି ଟିକେଟ୍ ମଧ୍ୟ ଥିବା ଆବଶ୍ୟକ।

publive-image Image Courtesy of Zee News

ପହଞ୍ଚିବା ପରେ ପର୍ଯ୍ୟଟକମାନଙ୍କର କୋଭିଡ୍-୧୯ ପରୀକ୍ଷା ହେବ। ଫଳାଫଳ ନେଗେଟିଭ୍ ଆସିବା ପର୍ଯ୍ୟନ୍ତ ସମ୍ପୃକ୍ତ ପର୍ଯ୍ୟଟକ ହୋଟେଲ୍ ରୁମ୍‌ରେ ରହିବେ। ପଦାକୁ ବାହାରିବାକୁ ଅନୁମତି ଦିଆଯିବ ନାହିଁ। ବିମାନ ବନ୍ଦରରେ ପର୍ଯ୍ୟଟକଙ୍କୁ ଏକ ଫର୍ମରେ ଦସ୍ତଖତ କରିବାକୁ ପଡ଼ିବ।

ଯଦି କୌଣସି ପର୍ଯ୍ୟଟକଙ୍କ ପଜିଟିଭ୍ ବାହାରନ୍ତି ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାଯିବ। ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ପର୍ଯ୍ୟଟନରେ ଆସି ପାରିବେ ନାହିଁ।

ପ୍ରାୟ ଚାରି ମାସ ପରେ ସେଠାକାର ସରକାର ଟୁରିଜମ୍ ସେକ୍ଟର୍ ଖୋଲିଛନ୍ତି। ଟୁର୍ ଏବଂ ଟ୍ରଭେଲ୍ ଅପରେଟର୍ ଫୟାଜ୍ ଅହମଦ୍ ଶାଲା କହିଛନ୍ତି, ପର୍ଯ୍ୟଟନ ଆରମ୍ଭ ହୋଇଛି। ଆମେ ଏ ସଂକ୍ରାନ୍ତରେ ଗଣମାଧ୍ୟମରୁ ଜାଣିଲୁ। ଏ ପଦକ୍ଷେପକୁ ଆମେ ସ୍ବାଗତ କରୁଛୁ। କିନ୍ତୁ, ଆମର ସନ୍ଦେହ ହେଉଛି ଏୟାର୍‌ଲାଇନ୍ ଲୋକେ ଏକଥା ଜାଣିଲେ, ସେମାନେ ବିମାନଯାତ୍ରା ଶୁଳ୍କ ବଢ଼ାଇ ଦେଇ ପାରନ୍ତି। ଫଳରେ ପୁଣି ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରଭାବିତ ହେବ। ଏକଥା ବିଚାର କରିବାକୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe