ଶ୍ରୀନଗର: ଜମ୍ମୁ-ଶ୍ରୀନଗର ରାଜପଥରେ ରବିବାର ସାଧାରଣ ଜନତାଙ୍କ ପାଇଁ ବନ୍ଦ କରିଦିଆଯାଇଛି। ନିର୍ବାଚନ ଆଗକୁ ଥିବା ବେଳେ ଜମ୍ମୁ କଶ୍ମୀରରେ ସୁରକ୍ଷାବଳଙ୍କୁ ନିୟୋଜିତ କରିବା ପାଇଁ ବିଭିନ୍ନ ସ୍ଥାନକୁ ପଠାଯାଉଥିବାରୁ ସାଧାରଣ ଜନତାଙ୍କ ପାଇଁ ରାଜପଥ ସିଲ୍ କରାଯାଇଥିବା ଜଣାପଡିଛି I ପୁଲୱାମା ଆକ୍ରମଣ ପରେ ଜମ୍ମୁ କଶ୍ମୀରରେ ସୁରକ୍ଷାଜବାନଙ୍କ ଯାତ୍ରା ବେଳେ ସପ୍ତାହକୁ ଦୁଇ ଦିନ ରାଜପଥକୁ ସାଧାରଣ ଜନତାଙ୍କ ପାଇଁ ବନ୍ଦ କରିଦିଆଯାଉଛି । ରାଜପଥକୁ ସଂଯୋଗ ହେଉଥିବା ସଡ଼କପଥ ଗୁଡିକୁ ମଧ୍ୟ ସିଲ୍ କରାଯାଇଛି। ସେନାର ଗାଡି ଚଳାଚଳ ବ୍ୟତୀତ ଅନ୍ୟ କୌଣସି ଯାନବାହନ ଜାତାୟତକୁ ଅନୁମତି ଦିଆଯାଉନାହିଁ। ପ୍ରତି ୫୦୦-୧୦୦୦ ମିଟର ବ୍ୟବଧାନରେ ସେନା ଏବଂ ସିଆର୍ପିଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ନୋଟିସ୍ରେ କୁହାଯାଇଛି ଯେ ସେନା କର୍ମଚାରୀଙ୍କ ସୁରକ୍ଷିତ ଯାତ୍ରା ନିମନ୍ତେ ରବିବାର ଏବଂ ବୁଧବାର ରାଜପଥ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ। ଏହି ବନ୍ଦ ବେଳେ ଜରୁରୀ ପରିସ୍ଥିତରେ ଲୋକଙ୍କୁ ସାହାଯ୍ୟ କରିବା ସହ ଏହି ବନ୍ଦକୁ ସୁଚାରୁ ରୂପେ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ମାଜିଷ୍ଟ୍ରେଟମାନଙ୍କୁ ନିୟୋଜିତ କରାଯାଇଛି। ନିର୍ଦିଷ୍ଟ ଭାବେ ରୋଗୀଙ୍କୁ ଏହି ବନ୍ଦ ସମୟରେ ଯାତାୟାତ ପାଇଁ ଅନୁମତି ଦେବାକୁ ମାଜିଷ୍ଟ୍ରେଟ୍ମାନଙ୍କୁ କୁହାଯାଇଛି। କିନ୍ତୁ ସାଧାରଣ ଲୋକଙ୍କ ଅନୁରୋଧକୁ ବହୁ ସ୍ଥାନରେ ମାଜିଷ୍ଟ୍ରେଟ୍ମାନେ ରଖୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ରୋଗୀଙ୍କୁ ନେଇଯାଉଥିବା ଗାଡିକୁ ମଧ୍ୟ ବାରଣ କରାଯାଉଥିବାରୁ ପିଡିପିର ବହୁ ନେତା ଏବଂ କର୍ମୀ ବନ୍ଦକୁ ଅବମାନନା କରିବା ସହ ପାନ୍ଥ ଛକ ନିକଟରେ ପ୍ରତିବାଦ କରିଛନ୍ତି।
ଜମ୍ମୁ-ଶ୍ରୀନଗର ରାଜପଥ ବନ୍ଦ, ଶହ ଶହ ଗାଡ଼ି ଅଟକ
Advertisment
Follow Us