ନୂଆଦିଲ୍ଲୀ: ଜାନୁଆରି ମାସରେ ଦେଶରେ ୨୭.୨ ଲକ୍ଷ ୟୁନିଟ୍‌ ଗାଡ଼ି ବିକ୍ରି ହୋଇଛି। ଗତବର୍ଷ ଜାନୁଆରି ତୁଳନାରେ ଏହା ୧୭.୬ ପ୍ରତିଶତ ଅଧିକ। ଗ୍ରାମାଞ୍ଚଳ ବଜାର ଜାନୁଆରିରେ ଉତ୍ତମ ପ୍ରଦର୍ଶନ କରିଛି। ଜାନୁଆରି ମାସରେ ଦେଶରେ ପାସେଞ୍ଜର ଯାନ ବିକ୍ରି ୭.୨୨ ପ୍ରତିଶତ ବୃଦ୍ଧି ଘଟି ୫,୧୩,୪୭୫ ୟୁନିଟରେ ପହଞ୍ଚିଛି ବୋଲି ଫାଡା (ଫେଡେରେସନ୍‌ ଅଫ୍‌ ଡିଲର୍ସ ଆସୋସିଏସନ୍ସ) ରିପୋର୍ଟରୁ ଜଣାଯାଇଛି। ମୋଟ ପାସେଞ୍ଜର ବିକ୍ରିରେ ସହରାଞ୍ଚଳର ଯୋଗଦାନ ୫୯.୨ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳର ଯୋଗଦାନ ୪୦.୮ ପ୍ରତିଶତ ରହିଛି। କିନ୍ତୁ ଗ୍ରାମାଞ୍ଚଳରେ ପାସେଞ୍ଜର ଯାନ ବିକ୍ରି ୧୪.୪ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ସହରାଞ୍ଚଳରେ ଏହା ୨.୭୫ ପ୍ରତିଶତ ରହିଛି।

Advertisment

ହୁଣ୍ଡାଇ ମୋଟର୍ସ  ହେଲା ଦେଶର ଦ୍ବିତୀୟ ବୃହତ୍‌ କାର୍‌ 

ଦୀର୍ଘ ମାସର ବ୍ୟବଧାନ ପରେ ଜାନୁଆରିରେ ହୁଣ୍ଡାଇ ମୋଟର୍ସ ଦେଶର ଦ୍ବିତୀୟ ବୃହତ୍‌ କାର୍‌ ବିକ୍ରେତାର ସ୍ଥାନ ହାସଲ କରିଛି। କମ୍ପାନି ୬୫,୯୧୪ ୟୁନିଟ୍‌ ଗାଡ଼ି ବିକ୍ରି କରି ୧୨.୮୪ ପ୍ରତିଶତ ବଜାର ଅଂଶ ହାସଲ କରିଛି। ଏହା ପଛକୁ ଟାଟା ମୋଟର୍ସ ୬୩,୫୫୮ ୟୁନିଟ୍‌ ଗାଡ଼ି ବିକ୍ରି କରି ୧୨.୩୮ ପ୍ରତିଶତ ବଜାର ଅଂଶ ହାସଲ ସହ ତୃତୀୟ ସ୍ଥାନରେ ରହିଛି। ସେହିଭଳି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ୬୩,୩୬୬ ୟୁନିଟ୍‌ ଗାଡ଼ି ବିକ୍ରି କରି ୧୨.୩୪ ପ୍ରତିଶତ ଅଂଶ ସହ ଚତୁର୍ଥ ସ୍ଥାନରେ ରହିଛି। ମାରୁତି ସୁଜୁକି ଇଣ୍ଡିଆ ୨,୧୬,୦୪୩ଟି କାର ବିକ୍ରି କରି ୪୨ ପ୍ରତିଶତ ଅଂଶଧନ ସହ ପ୍ରଥମ ସ୍ଥାନରେ ରହିଛି।

ଜାନୁଆରିରେ ୩ ଚକିଆ ଯାନ ବିକ୍ରିରେ ୧୮.୮୦ ପ୍ରତିଶତ ବୃଦ୍ଧି ଘଟିଛି

ଜାନୁଆରିରେ ଦେଶରେ ମୋଟ ୧୮.୫ ଲକ୍ଷ ଦୁଇ ଚକିଆ ଯାନ ବିକ୍ରି ହୋଇଛି, ଯାହାକି ୨୦୨୫ ଜାନୁଆରି ତୁଳନାରେ ୨୦.୮୨ ପ୍ରତିଶତ ଅଧିକ। ମୋଟ ଦୁଇ ଚକିଆ ଯାନ ବିକ୍ରିରେ ଗ୍ରାମାଞ୍ଚଳର ଯୋଗଦାନ ୫୬ ପ୍ରତିଶତ ଥିବାବେଳେ ସହରାଞ୍ଚଳର ଅଂଶ ୪୪ ପ୍ରତିଶତ ରହିଛି। ଜାନୁଆରିରେ ୩ ଚକିଆ ଯାନ ବିକ୍ରିରେ ୧୮.୮୦ ପ୍ରତିଶତ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ବିକ୍ରି ଜାନୁଆରିରେ ୨୧.୦୯ ପ୍ରତିଶତ ହ୍ରାସ ଘଟିଛି।

ଆହୁରି ପଢନ୍ତୁ - Plane Landing On US Highway: ରାସ୍ତାରେ ଜରୁରୀକାଳୀନ ଅବତରଣ କଲା ବିମାନ: ଭାଙ୍ଗିରୁଜି ଗଲା ବହୁ କାର୍