Image Courtesy of ALJAZEERA
ଟୋକିଓ: ଚଳିତ ମାସରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତ୍ୟେଷ୍ଟିକ୍ରିୟା ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ କରିବା ଲାଗି ସରକାର କରୁଥିବା ଯୋଜନାକୁ ବିରୋଧ କରି ଆତ୍ମାହୁତି ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
‘ଟିଭି ଆସାହି’ କହିଛି, ଆଜି ପ୍ରତ୍ୟୁଷରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ କାର୍ଯ୍ୟାଳୟ ନିକଟରେ ଲୋକଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ତାଙ୍କର ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ତାଙ୍କ ଦେହରୁ ନିଆଁ ଲିଭାଇବାକୁ ଉଦ୍ୟମ କରିଥିବା ଜଣେ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।
‘କ୍ୟୋଡୋ’ ଓ ଅନ୍ୟାନ୍ୟ ନିଉଜ୍ ଏଜେନ୍ସି କହିଛନ୍ତି, ଲୋକଟି ପୋଡ଼ିଯାଉଛି ବୋଲି ସକାଳ ୭ଟା ବେଳେ ପୁଲିସକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରୁ ଆବେଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟିକୁ ବିରୋଧ କରି ଲେଖାଯାଇଥିବା ଚିଠିଟାଏ ମଧ୍ୟ ମିଳିଛି।
Image Courtesy of NDTVକିନ୍ତୁ, ଉପରୋକ୍ତ ରିପୋର୍ଟ ବିଷୟରେ ପୁଲିସ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କ୍ୟାବିନେଟ୍ ଅଫିସ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।
ସ୍ମରଣଯୋଗ୍ୟ, ଶାସକ ‘ଲିବେରାଲ୍ ଡେମୋକ୍ରେଟିକ୍ ପାର୍ଟି’ (ଏଲ୍ଡିପି) ପାଇଁ ପ୍ରଚାର ଅଭିଯାନରେ ଭାଷଣ ଦେଉଥିବା ବେଳେ ଜୁଲାଇ ୮ ତାରିଖ ଦିନ ଦୀର୍ଘ ଦିନ ଜାପାନ ଶାସନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କୁ ହତ୍ୟା କରାଯାଇଥିଲା।
ସର୍ବସାଧାରଣଙ୍କଠାରୁ ସଂଗୃହୀତ ଅର୍ଥରେ ସେପ୍ଟେମ୍ବର ୨୭ ତାରିଖ ଦିନ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ସମ୍ପନ୍ନ କରାଯିବ। ଏଥିରେ ଜାପାନ ଓ ବିଦେଶରୁ ପ୍ରାୟ ୬୦୦୦ ଜନତା ଯୋଗ ଦେବେ।
ସୂଚନାଯୋଗ୍ୟ, ଜାପାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାସମ୍ପନ୍ନ ଶେଷକୃତ୍ୟ ଖୁବ୍ ବିରଳ ହୋଇଥିବାରୁ ଏ ବିଷୟରେ ନିଷ୍ପତ୍ତି ନେବା ବିବାଦୀୟ ହୋଇଥାଏ। ଜାପାନର ଅର୍ଦ୍ଧେକ ଜନତା ଆବେଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟିକୁ ବିରୋଧ କରୁଥିବା କଥା ନିକଟ ଅତୀତରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି।
Follow Us