Image Courtesy of Hindustan Times
ନୂଆଦିଲ୍ଲୀ: ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କଳ୍ପନା ସାକାର କରାଇବା, ସ୍ବତନ୍ତ୍ର ରଣକୌଶଳର ଉନ୍ନତିକରଣ ଓ ଦୁଇ ପକ୍ଷ ମଧ୍ୟରେ ବୈଶ୍ବିକ ଭାଗିଦାରୀ ଆଦି ଦ୍ବିପାକ୍ଷିକ ସମ୍ପର୍କ ମାଧ୍ୟମରେ ହାସଲ କରାଯାଇଥିବା ପ୍ରମୁଖ ସଫଳତା ବୋଲି ଗୁରୁବାର ଦିନ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଫୋନ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି। ଭାରତ ଓ ଜାପାନ ଗ୍ରହଣ କରିଥିବା ପଦକ୍ଷେପ ଯୋଗୁଁ ଏସବୁ ସମ୍ଭବ ହୋଇଥିବା କଥା ସେ କହିଛନ୍ତି।
ଜାପାନର ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ବିବରଣୀରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୩୦ ମିନିଟ୍ ଧରି ଫୋନ୍ରେ କଥାବାର୍ତ୍ତା ହେବା ସମୟରେ ଆବେ ଏସବୁ କଥା କହିଥିଲେ। ଦୀର୍ଘ ଦିନ ଧରି ଜାପାନର ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ଆବେ ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଇସ୍ତଫା ଦେବେ ବୋଲି ଗତ ମାସରେ ଗ୍ରହଣ କରିଥିବା ନିଷ୍ପତ୍ତି ସଂକ୍ରାନ୍ତରେ ବୁଝାଇବାକୁ ଫୋନ୍ କରିଥିଲେ।
Image Courtesy of Asia Timesଇସ୍ତଫା ଦେବା ସଂକ୍ରାନ୍ତ ନିଷ୍ପତ୍ତି କଥା ବୁଝାଇବା ବେଳେ ଆବେ ମୋଦୀଙ୍କ ସହ ବନ୍ଧୁତ୍ବ ଏବଂ ବିଶ୍ବାସର ସମ୍ପର୍କ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହା ବ୍ୟତିରେକେ, ଆବେ ସେମାନଙ୍କ ପାରସ୍ପରିକ ବାର୍ଷିକ ଗସ୍ତର ସ୍ମୃତି କଥା ମଧ୍ୟ ଉଲ୍ଲେଖ କରିଥିଲେ।
ସେ ଯାହାହେଉ, ଜାପାନରେ ନେତୃତ୍ବ ପରିବର୍ତ୍ତନ ହେଲେ ମଧ୍ୟ ଦ୍ବିପାକ୍ଷିକ ସମ୍ପର୍କର ସେତୁ ପ୍ରଭାବିତ ହେବନାହିଁ ବୋଲି ଦୁଇ ନେତା ସ୍ପଷ୍ଟ କରିଛନ୍ତି।
ଏହି ବିବୃତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଜାପାନ ଓ ଭାରତ ଗୁରୁତ୍ବାରୋପ କରୁଥିବା ମୌଳିକ ନୀତି ଅପରିବର୍ତ୍ତିତ ରହିବ ବୋଲି ଉଭୟ ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରି କହିଛନ୍ତି। ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମେତ ନିରାପତ୍ତା, ଅର୍ଥନୀତି ଓ ଅର୍ଥନୈତିକ ସହଯୋଗ ଆଦି କ୍ଷେତ୍ରରେ ଦୁଇ ଦେଶ ନିବିଡ଼ ଭାବେ କାମ କରିବେ ବୋଲି ଉଭୟ ସହମତି ପ୍ରକାଶ କରିଥିଲେ।
ଗଲା କିଛି ବର୍ଷ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ଗୁରୁତ୍ବପୂର୍ଣ୍ଣ ଅଭିବୃଦ୍ଧି ପ୍ରସଙ୍ଗରେ ଆବେ କହିଲେ ଯେ, ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ କଳ୍ପନା ସାକାର କରାଇବା ଓ ସ୍ବତନ୍ତ୍ର ରଣକୌଶଳ ଏବଂ ଜାପାନ ଓ ଭାରତ ମଧ୍ୟରେ ବୈଶ୍ବିକ ଭାଗିଦାରୀ ଉଚ୍ଚତର ଉତୁଙ୍ଗକୁ ନେବାରେ ଦୁଇ ପ୍ରଧାନମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିଛନ୍ତି।
ଏଥିସହ ବୁଧବାର ଦିନ ଭାରତ ଓ ଜାପାନ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ପ୍ରସଙ୍ଗରେ ମଧ୍ୟ ଆବେ ଧନ୍ୟବାଦ ଜ୍ଞାପନ କରିଥିଲେ। ଭାରତ ଓ ଜାପାନର ପ୍ରତିରକ୍ଷା ବଳଙ୍କ ମଧ୍ୟରେ ପାରସ୍ପରିକ ଯୋଗାଣ ଓ ସେବା ସମ୍ବନ୍ଧୀୟ ଏହି ଗୁରୁତ୍ବପୂର୍ଣ୍ଣ ରାଜିନାମା ସାମରିକ ସହଯୋଗକୁ ନିବିଡ଼ କରିବା ସହ ଆଞ୍ଚଳିକ ନିରାପତ୍ତା କ୍ଷେତ୍ରକୁ ମଧ୍ୟ ଅବଦାନ ଦେବ। ନୂଆଦିଲ୍ଲୀଠାରେ କରାଯାଇଥିବା ରାଜିନାମାରେ ଜାପାନୀ ରାଷ୍ଟ୍ରଦୂତ ସାତୋସି ସୁଜୁକି ଏବଂ ଭାରତର ପ୍ରତିରକ୍ଷା ସଚିବ ଅଜୟ କୁମାର ସ୍ବାକ୍ଷର କରିଥିଲେ।
Follow Us