ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ କମିଶନ ଗଠନ

Advertisment
ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ କମିଶନ ଗଠନ

ଚେନ୍ନାଇ, : ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ଅନ୍ତରାଳରେ ବହୁ ରହସ୍ୟ ରହିଥିବା ନେଇ ଅଭିଯୋଗ ହେଉଥିବାରୁ ଏହାର ତଦନ୍ତ ନିମନ୍ତେ ରାଜ୍ୟ ସରକାର କମିଶନ ଗଠନ କରିଛନ୍ତି। ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ. ଅରୁମୁଘସ୍ୱାମୀଙ୍କୁ ଏହି କମିଶନ୍‌ର ମୁଖ୍ୟଭାବେ ନିଯୁକ୍ତ କରାଯାଇ ସରକାରଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ମୁଖ୍ୟମନ୍ତ୍ରୀ ଇକେ ପଲାନିସାମି କହିଛନ୍ତି ଯେ ଜୟାଙ୍କ ମୃତ୍ୟୁର ତଦନ୍ତ ପାଇଁ ବିଭିନ୍ନ ସଙ୍ଗଠନ ଓ ଗୋଷ୍ଠୀ ପକ୍ଷରୁ କ୍ରମାଗତ ଦାବି ହୋଇ ଆସିଥିଲା। ଏହାକୁ ଭିତ୍ତିକରି ଗଣମାଧ୍ୟମରେ ବହୁ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିପାଇଁ ସତ୍ୟର ପରିପ୍ରକାଶ ନିମନ୍ତେ ସରକାର ତଦନ୍ତ କମିଶନ ଗଠନ କରିଛନ୍ତି। ଏହି ତଦନ୍ତ ପାଇଁ ଶାସକ ଆନ୍ନା ଡିଏମ୍‌କେର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ’ପନିରସେଲଭମ ମଧ୍ୟ ଦାବି କରିଥିଲେ। ଜୟଲଳିତା ଗତବର୍ଷ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଯାହା ପ୍ରଚାର ହେଉଥିଲା ଏବଂ ନେତାମାନେ ଯେଉଁ ବୟାନ ଦେଉଥିଲେ ତାହା ସଂପୂର୍ଣ୍ଣ ମିଥ୍ୟା ଥିଲା ବୋଲି ରାଜ୍ୟର ବରିଷ୍ଠ ମନ୍ତ୍ରୀ ଡି.ସି. ଶ୍ରୀନିବାସନ ଗତ ୨୩ ତାରିଖରେ ଗଣମାଧ୍ୟମକୁ କହିବା ପରେ ଏହା ରାଜ୍ୟବାସୀଙ୍କ ମଧ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା।
ରାଜ୍ୟ ସରକାରଙ୍କ ଦ୍ୱାରା କମିଶନ ଗଠନ ଓ ବିଚାରପତି ନିଯୁକ୍ତି ପରେ ଆନ୍ନାଡିଏମ୍‌କେରୁ ବହିଷ୍କୃତ ନେତା ଟିଟିଭି ଦିନାକରନ କମିଶନ ନିକଟରେ ଜୟାଙ୍କ ସ୍ୱାସ୍ଥ୍ୟନେଇ ଏକ ଭିଡିଓ ଉପସ୍ଥାପନ କରିବେ ବୋଲି ଆଜି କହିଛନ୍ତି। ଆପୋଲୋ ହସପିଟାଲରେ ଜୟା ଚିକିତ୍ସିତ ହେଉଥିବାବେଳେ ତାଙ୍କର କ୍ରମାଗତ ଓଜନ ହାନି ହେବାରୁ ଜୟାଙ୍କ ନିର୍ଦ୍ଦେଶରେ ତାଙ୍କ ଚିକିତ୍ସା ନେଇ ଭିଡିଓ ପ୍ରସ୍ତୁତ କରାଯାଇଥିଲା। କମିଶନ ନିକଟରେ ଏହି ଭିଡିଓ ଦାଖଲ କରିବାକୁ ତାଙ୍କୁ ଶଶିକଳା ନିର୍ଦ୍ଦେଶ ଦେଇଛନ୍ତି ବୋଲି ଦିନାକରନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe