ୟୁରୋପକୁ ଜୟଶଙ୍କରଙ୍କ ପ୍ରଶ୍ନ, ଏସିଆର ବିପଦ ବେଳେ କେଉଁଠି ଥିଲେ?

Advertisment

ନାଟୋର ସଂପ୍ରସାରଣ ହିଁ ୟୁକ୍ରେନ୍‌ ପରିସ୍ଥିତି ପାଇଁ ଦାୟୀ, ଭାରତ ନିଜ ସର୍ତ୍ତରେ ବିଶ୍ବ ସହ ସଂପର୍କ ରଖିବ

ନାଟୋର ସଂପ୍ରସାରଣ ହିଁ ୟୁକ୍ରେନ୍‌ ପରିସ୍ଥିତି ପାଇଁ ଦାୟୀ, ଭାରତ ନିଜ ସର୍ତ୍ତରେ ବିଶ୍ବ ସହ ସଂପର୍କ ରଖିବ

ରୁଷ୍‌ରୁ ତେଲ କିଣା: ୟୁରୋପକୁ ଜୟଶଙ୍କରଙ୍କ କଡ଼ା ଜବାବ

Livemint

ନୂଆଦିଲ୍ଲୀ: ଭାରତର ରୁଷ୍-ୟୁକ୍ରେନ୍ ନୀତି ଉପରେ ପ୍ରଶ୍ନ କରୁଥିବା ୟୁରୋପକୁ କଡ଼ା ଜବାବ ଦେଇଛନ୍ତି ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର। ଆଜି ବାର୍ଷିକ ‘ରାଇସିନା ଡାଏଲଗ୍‌’ରେ ଅଂଶଗ୍ରହଣ କରି ଜୟଶଙ୍କର କହିଛନ୍ତି, ଯେତେବେଳେ ଏସିଆରେ ନିୟମ ଆଧାରିତ ବ୍ୟବସ୍ଥା ବିପଦରେ ଥିଲା ସେତେବେଳେ ୟୁରୋପ ସେମାନଙ୍କ ଆଡ଼କୁ ଚାହିଁ ନ ଥିଲା। ୟୁକ୍ରେନ୍ ସଂକଟ ୟୁରୋପ ପାଇଁ ଚେତନା ଉଦ୍ରେକକାରୀ ହୋଇପାରେ, ଯାହାଫଳରେ ସେମାନେ ଏସିଆର ସମସ୍ୟା ଉପରେ ବି ନଜର ଦେବେ। ଗତ ୧୦ ବର୍ଷ ହେଲା ଏସିଆ ବିଶ୍ବର ଅସହଜ ଅଂଶରେ ପରିଣତ ହୋଇଛି ବୋଲି ସେ କହିଛନ୍ତି। ଆଫଗାନିସ୍ତାନ ପ୍ରତି ବିଶ୍ବ ଯାହା କରିଛି, କେଉଁ ନିୟମ ଆଧାରିତ ବ୍ୟବସ୍ଥା ଦ୍ବାରା ତାହା ଯୁକ୍ତିଯୁକ୍ତ ବିବେଚିତ ହେଉଛି? ସେଠାକାର ଉଚ୍ଚ ତୈଳ ମୂଲ୍ୟ, ଖାଦ୍ୟ ମୁଦ୍ରାସ୍ଫୀତି ଆଦି ଯୁଦ୍ଧର ବାସ୍ତବ ପରିଣତି ବିଷୟରେ କୌଣସି ରାଷ୍ଟ୍ର ଚିନ୍ତା କରିନାହାନ୍ତି। ସମସ୍ତେ ନିଜ ସ୍ବାର୍ଥ ପାଇଁ ଆଫଗାନିସ୍ତାନ ନାଗରିକଙ୍କୁ ତାଙ୍କ ଭାଗ୍ୟ ଉପରେ ଛାଡ଼ିଦେଇଛନ୍ତି ବୋଲି ଜୟଶଙ୍କର କହିଛନ୍ତି।

ଗତ ଫେବ୍ରୁଆରି ମାସରେ ନାଟୋର ସମ୍ପ୍ରସାରଣ ହିଁ ୟୁକ୍ରେନ୍ ପରିସ୍ଥିତି ପାଇଁ ଦାୟୀ ବୋଲି ଜୟଶଙ୍କର କହିଛନ୍ତି ଏବଂ ଇଂଲଣ୍ଡର ବିଦେଶ ସଚିବ ଏଲିଜାବେଥ ଟ୍ରସଙ୍କ ଉପସ୍ଥିତିରେ ପାଶ୍ଚାତ୍ୟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଭାରତ ରୁଷିଆରୁ ତେଲ କିଣିବାକୁ ନେଇ ପଶ୍ଚିମ ରାଷ୍ଟ୍ରମାନେ ସମାଲୋଚନା କରୁଛନ୍ତି, କିନ୍ତୁ ୟୁରୋପ ଫେବ୍ରୁଆରି ଅପେକ୍ଷା ମାର୍ଚ୍ଚରେ ୧୫ ପ୍ରତିଶତ ଅଧିକ ତେଲ ରୁଷ୍‌ରୁ ଖରିଦ କରିଛି। ଅତୀତରେ ଚୀନ୍ ପଡ଼ୋଶୀ ଦେଶକୁ ମାଡ଼ୁଥିବା ବେଳେ ୟୁରୋପ ନୀରବ ରହିଥିଲା। ତେଣୁ ରୁଷିଆରୁ ତେଲ କିଣା ନେଇ ଭାରତକୁ ପ୍ରଶ୍ନ କରିବାର ଅଧିକାର ପଶ୍ଚିମ ରାଷ୍ଟ୍ରମାନଙ୍କର ନାହିଁ ବୋଲି ଜୟଶଙ୍କର ସ୍ପଷ୍ଟ କରିଦେଇଛନ୍ତି।

ଜୟଶଙ୍କର କହିଛନ୍ତି ଯେ ଦୁଇମାସ ହେଲା ଆମେ ଶୁଣିବାକୁ ପାଉଛୁ, ୟୁରୋପରେ ଯାହା ହେଉଛି ଏସିଆକୁ ସେ ବିଷୟରେ ଚିନ୍ତା କରିବାକୁ ପଡ଼ିବ କାରଣ ଏସିଆରେ ବି ସେଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। କିନ୍ତୁ ଗତ ୧୦ ବର୍ଷ ହେଲା ଏସିଆରେ ଏପରି ଘଟଣା ଘଟି ଚାଲିଛି। ୟୁରୋପ ତା’ ଉପରେ ଧ୍ୟାନ ଦେଇନାହିଁ। ତେଣୁ ଏହା ୟୁରୋପ ପାଇଁ ଚେତାବନୀ ଯେ ଏହା କେବଳ ୟୁରୋପକୁ ନ ଦେଖୁ, ଏସିଆ ଉପରେ ବି ନଜର ପକାଉ। ଭାରତ ନିଜ ସର୍ତ୍ତରେ ବିଶ୍ବ ସହ ସଂପର୍କ ରଖିବ ଏବଂ କାହାକୁ ଖୁସି କରିବା ପାଇଁ ଆମେ ସଂପର୍କ କାଏମ ରଖିବାକୁ ପ୍ରୟାସ କରିବୁ ନାହିଁ ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe