କେନ୍ଦ୍ରମନ୍ତ୍ରୀ ଆର୍‌ସିପି ସିଂହଙ୍କ ଟିକଟ କାଟିଲା ଜେଡିୟୁ

ରାଜ୍ୟସଭା ପାଇଁ ବିଜେପି ତାଲିକାରେ ପୀୟୂଷ, ସୀତାରମଣ

କେନ୍ଦ୍ରମନ୍ତ୍ରୀ ଆର୍‌ସିପି ସିଂହଙ୍କ ଟିକଟ କାଟିଲା ଜେଡିୟୁ

Indian PSU

ନୂଆଦିଲ୍ଲୀ : ବିହାରରେ ବିଜେପି ସହିତ ନୀତୀଶଙ୍କ ଜେଡିୟୁର ସଂପର୍କ ତିକ୍ତ‌ ହେବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତ‌ରେ ସେମାନଙ୍କ ମେଣ୍ଟ ଭାଙ୍ଗିଯିବାର ଆଶଙ୍କା ମଧ୍ୟ ରହିଛି। ଜେଡିୟୁ ନେତା ତଥା କେନ୍ଦ୍ରମନ୍ତ୍ରୀ ଆର୍‌ସିପି ସିଂହଙ୍କ ରାଜ୍ୟସଭା ଟିକଟ କଟିବା ପରେ ଏଭଳି ସନ୍ଦେହ ଘନୀଭୂତ ହୋଇଛି। କାରଣ ବିଜେପି ସହ ଆରସିପି ସିଂହଙ୍କ ଘନିଷ୍ଠ ସଂପର୍କ ନେଇ ନୀତୀଶ କ୍ଷୁବ୍ଧ ଥିଲେ। ସିଂହଙ୍କୁ ଟିକଟରୁ ବଞ୍ଚିତ କରି ନୀତୀଶ ବିଜେପିକୁ ବି କଡ଼ା ବାର୍ତ୍ତା ଦେଇଛନ୍ତି। ଜଣାଇ ଦେଇଛନ୍ତି ଯେ ନୀତୀଶ ଏବେ ବି କ୍ଷମତାଶାଳୀ।

ବିଜେପି ହାତ ଛାଡ଼ି ଲାଲୁଙ୍କ ଆରଜେଡି ସହିତ ନୀତୀଶ ସଂପର୍କ ଯୋଡ଼ୁଥିବାର ଖବର ପ୍ରଚାରିତ ହେବାପରେ ଜେଡିୟୁରେ ବିଭାଜନ ପାଇଁ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିବାର ଖବର ମିଳୁଥିଲା। କୁହାଯାଉଥିଲା ‌ଯେ ଏହାର ନେତୃତ୍ବ ନେଉଥିଲେ ଆରସିପି ସିଂହ। ଏଥିରେ କ୍ଷୁବ୍ଧ ହୋଇ ତାଙ୍କୁ ତୃତୀୟ ଥର ପାଇଁ ରାଜ୍ୟସଭାକୁ ନପଠାଇବା ଲାଗି ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ସ୍ଥିର କରିଛନ୍ତି। ତାଙ୍କ ସ୍ଥାନରେ ରାଜୀବ ରଂଜନ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷରେ ବିଜେପି ରାଜ୍ୟରେ ନିଜ କୋଟାର ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ତେଣୁ ସିଂହଙ୍କୁ ଟିକଟ ଦେବାର ସମ୍ଭାବନା କମ୍।

ଇତିମଧ୍ୟରେ ବିଜେପି ରବିବାର ଦିନ ବିଭିନ୍ନ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ଲାଗି ୧୬ ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି। କର୍ଣ୍ଣାଟକରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମହାରାଷ୍ଟ୍ରରୁ ପୀୟୂଷ ଗୋୟଲଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି। ତେବେ ଅନ୍ୟତମ କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଅବାସ ନକବୀଙ୍କ ନାମ ଏହି ତାଲିକାରେ ନାହିଁ। ଜୁନ ୧୦ ତାରିଖରେ ୫୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ହରିୟାଣା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡ଼ୁ ସମେତ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନିର୍ବାଚନ ହେବ। ମଧ୍ୟପ୍ରଦେଶରୁ କବିତା ପଟିଦାର, କର୍ଣ୍ଣାଟକରୁ ନିର୍ମଳା ସୀତାରମଣ ଓ ଜାଗେଶ, ମହାରାଷ୍ଟ୍ରରୁ ପୀୟୂଷ ଗୋୟଲ ଓ ଅନିଲ ସୁଖଦେବରାଓ ବୋନ୍ଦେ, ରାଜସ୍ଥାନରୁ ଘନଶ୍ୟାମ ତିୱାରୀ, ଉତ୍ତରପ୍ରଦେଶରୁ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧାମୋହନ ଅଗ୍ରୱାଲ ପ୍ରାର୍ଥୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe