ନୂଆଦିଲ୍ଲୀ: ଏମସର ମହିଳା ଡାକ୍ତରଙ୍କ ହଷ୍ଟେଲରେ ହୋଇଥିବା ଚୋରି ଘଟଣାର ତଦନ୍ତ ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଦିଲ୍ଲୀ ପୁଲିସ୍ ତଦନ୍ତ କରି ଏବେ ଜଣେ ୪୩ ବର୍ଷୀୟା ମହିଳାଙ୍କ ପାଖରେ ପହଞ୍ଚିଛି; ଯାହାଙ୍କର ପୂର୍ବରୁ ମଧ୍ୟ ଅନେକ ଗହଣା ଚୋରି କରିବାର ରେକର୍ଡ ରହିଛି।
ଗାଜିଆବାଦରେ ରହୁଥିବା ଅଭିଯୁକ୍ତା ମହିଳା ପୁଲିସ୍କୁ କହିଛନ୍ତି ଯେ ସେ ମେଡିକାଲ୍ ଲ୍ୟାବ୍ ଟେକ୍ନୋଲୋଜିରେ ଡିପ୍ଲୋମା କରିଛନ୍ତି। ଅଭିଯୁକ୍ତା କହିଛନ୍ତି ଯେ ସେ ଅଳଙ୍କାରକୁ ଖୁବ୍ ଭଲପାଆନ୍ତି। ହେଲେ ଅଳଙ୍କାର କିଣିବା ପାଇଁ ତାଙ୍କ ନିକଟରେ ଯଥେଷ୍ଟ ଟଙ୍କାନଥାଏ। ତେଣୁ ସେ ସେଗୁଡ଼ିକୁ ଚୋରି କରିବାକୁ ଲାଗିଲେ।
ମାର୍ଚ୍ଚ ୨୭ ତାରିଖରେ, ଏମ୍ସର ଜଣେ ମହିଳା ଡାକ୍ତର ତାଙ୍କ ରୁମରେ ଚୋରି ପାଇଁ ପୁଲିସରେ ଅଭିଯୋଗ କରିଥିଲେ। ସେ ପୁଲିସକୁ କହିଥିଲେ ଯେ ତାଙ୍କ ରୁମରୁ ଦୁଇଟି ସୁନା ଚେନ୍, ଗୋଟିଏ ସୁନା ମୁଦି, ଗୋଟିଏ ସୁନା କାନଫୁଲ, ଗୋଟିଏ ସୁନା କଙ୍କଣ ଏବଂ ନଗଦ ୪,୫୦୦ ଟଙ୍କା ଗାଏବ୍ ହୋଇଛି ତା’ପରେ ପୁଲିସ ଏକ ଏଫଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ତଦନ୍ତର ଅଂଶ ସ୍ୱରୂପ, ପୁଲିସ ଏମ୍ସ ହସ୍ପିଟାଲ ପରିସରରେ ଥିବା ପ୍ରାୟ ୧୦୦ଟି ସିସି ଟିଭି କ୍ୟାମେରାର ଫୁଟେଜ୍ ସ୍କାନ୍ କରିଥିଲା। ଅଧିକାଂଶ ଡାକ୍ତର କାମକୁ ଯିବା ପରେ ସେମାନେ ହଷ୍ଟେଲ କରିଡରରେ ଜଣେ ସନ୍ଦିଗ୍ଧ ମହିଳାଙ୍କୁ ଦେଖିଥିଲେ। ମହିଳା ଜଣକ ଡାକ୍ତରଙ୍କ କୋଟ୍ ପିନ୍ଧିଥିଲେ ଏବଂ ଅନେକ କୋଠରୀ ଖୋଲିବାକୁ ଚେଷ୍ଟା କରୁଥିବାର ଦେଖାଯାଇଥିଲା। ଅନ୍ୟ ଏକ ସିସି ଟିଭିରେ ସେ ସ୍କୁଟରରେ ଏମ୍ସ ପରିସରରେ ଆସିବା ଏବଂ ବାହାରକୁ ଯିବାର ଦୃଶ୍ୟ କଏଦ ହୋଇଥିଲା। ପୁଲିସ ସ୍କୁଟରଟିକୁ ଟ୍ରାକ୍ କରି ଏହାର ପଞ୍ଜିକରଣ ନମ୍ବର ପାଇାବରେ ସଫଳ ହୋଇଥିଲା। ଏହି ନମ୍ବରଟି ଗାଜିଆବାଦର ବ୍ରିଜ ବିହାରର ଏକ ଠିକଣାରେ ଟ୍ରାକ୍ କରାଯାଇଥିଲା ଏବଂ ମହିଳାଙ୍କୁ ଗିରଫ କରାଯାଇଥିଲା।
ଅଭିଯୁକ୍ତ କହିଛନ୍ତି ଯେ ସେ ଏକ ଘରୋଇ ହସ୍ପିଟାଲରେ ଲ୍ୟାବ ସହାୟକ ଭାବରେ କାମ କରନ୍ତି। ଏମ୍ସ ପରିଦର୍ଶନ ସମୟରେ ସେ ଜାଣିପାରିଲେ ଯେ ମହିଳା ଡାକ୍ତରମାନେ କାମକୁ ଯିବା ସମୟରେ ସେମାନଙ୍କ କୋଠରୀକୁ ତାଲା ଦିଅନ୍ତି ନାହିଁ। ତା’ପରେ ସେ ଜଣେ ଡାକ୍ତରଙ୍କ କୋଟ ପିନ୍ଧି ଚୋରି କରିବା ଆରମ୍ଭ କରିଥିଲେ।
Follow Us