ଝାନ୍‌ସୀ ଡାକ୍ତରଖାନା ଅଗ୍ନିକାଣ୍ଡ ମୂଳରେ ନର୍ସଙ୍କ ଅବହେଳା: ଭୟାବହତା ବର୍ଣ୍ଣନା କଲେ ପ୍ରତ୍ୟକ୍ଷଦର୍ଶୀ

ଝାନ୍‌ସୀରେ ଏକ ହସ୍ପିଟାଲରେ ଗତରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି ଯେ ଏହି ଦୁର୍ଘଟଣା ପଛରେ ଜଣେ ନର୍ସଙ୍କ ଅବହେଳା ରହିଛି।

gjdgdgjdgjdjg

ଝାନ୍‌ସୀ: ଝାନ୍‌ସୀରେ ଏକ ହସ୍ପିଟାଲରେ ଗତରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି ଯେ ଏହି ଦୁର୍ଘଟଣା ପଛରେ ଜଣେ ନର୍ସଙ୍କ ଅବହେଳା ରହିଛି। ତେବେ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ତଦନ୍ତକାରୀ କମିଟିର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ। 

ହମିରପୁରନିବାସୀ ଭଗବାନ ଦାସ ଘଟଣା ସମୟରେ ୱାର୍ଡରେ ଥିଲେ କାରଣ ତାଙ୍କ ପୁଅ ସେଠାରେ ଭର୍ତ୍ତି ହୋଇଥିଲେ।  ଦାସ ଦାବି କରିଛନ୍ତି ଯେ ଅକ୍ସିଜେନ ସିଲିଣ୍ଡରର ପାଇପ୍ ସଂଯୋଗ କରିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ନର୍ସ ଏକ ଦିଆସିଲି କାଠି ଜାଳିଥିଲେ। ଅକ୍ସିଜେନଯୁକ୍ତ ପରିବେଶ ହୋଇଥିବାରୁ ସମଗ୍ର ୱାର୍ଡରେ ତୁରନ୍ତ ନିଆଁ ଲାଗିଯାଇଥିଲା। ବିଶୃଙ୍ଖଳା ଭିତରେ ଦାସ ତୁରନ୍ତ ୩-୪ ଜଣ ପିଲାଙ୍କୁ ବେକରେ ପକାଇଥିବା ଚଦରରେ ଗୁଡ଼ାଇ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ସେ ଅନ୍ୟ ଲୋକଙ୍କ ସହାୟତାରେ ଆଉ କିଛି ପିଲାଙ୍କୁ ବଞ୍ଚାଇଥିଲେ। 

ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ୱାର୍ଡରେ ଲାଗିଥିବା ଅଗ୍ନିକାଣ୍ଡ ଯୋଗୁଁ ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା। ଵାର୍ଡରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର କାମ କରୁ ନ ଥିବା ସହ ସେଫ୍ଟି ଆଲାର୍ମ ମଧ୍ୟ ବନ୍ଦ ହୋଇଥିବାରୁ ସ୍ଥାନାନ୍ତରରେ ବିଳମ୍ବ ହୋଇଥିଲା। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ବ୍ରଜେଶ ପାଠକ କହିଛନ୍ତି, ଅକ୍ସିଜେନ କନସେଣ୍ଟ୍ରେଟର ଭିତରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁମାନରୁ ଜଣାପଡିଛି। ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯିବ। ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ହୃଦୟବିଦାରକ ବୋଲି କହିବା ସହ ମୃତକଙ୍କ ପରିବାରକୁ ଅତିରିକ୍ତ ୨ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe