ରାଞ୍ଚି: ଝାଡ଼ଖଣ୍ଡର ଚତରା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ୧୦ ଦିନ ପର୍ଯ୍ୟନ୍ତ ବେଆଇନ ଅଟକ ରଖିବା ମାମଲାରେ ଆଜି ଝାଡ଼ଖଣ୍ଡ ହାଇକୋର୍ଟ ଚତରା ଡିଏସ୍‌ପିଙ୍କ ସମେତ ୩ ଜଣ ପୁଲିସ ଅଫିସରଙ୍କ ଉପରେ ବର୍ଷିଛନ୍ତି। କୋର୍ଟ ୩ ଜଣ ବରିଷ୍ଠ ଅଧିକାରୀଙ୍କ ମୋବାଇଲ ଫୋନ୍‌ ଜବତ କରିଛନ୍ତି। ଛାତ୍ରଙ୍କ ମା’ ଏନେଇ ଏକ ଆବେଦନ କରିଥିଲେ। ପୁଅକୁ ଜାନୁଆରି ୨୬ ତାରିଖ ରାତିରେ ପୁଲିସ ବେଆଇନ ଭାବେ ଜେଲ୍‌ରେ ରଖିଥିଲା ବୋଲି ସେ ଅଭିଯୋଗ କରିଥିଲେ।

Advertisment

ଜଷ୍ଟିସ ସୁଜିତ ନାରାୟଣ ପ୍ରସାଦ ଓ ଜଷ୍ଟିସ ଏକେ ରାୟଙ୍କ ଖଣ୍ଡପୀଠ ତାଙ୍କ ଆବେଦନର ଶୁଣାଣି କରିଥିଲେ। ଶୁଣାଣି ସମୟରେ ଖଣ୍ଡପୀଠ ଚତରା ଡିଏସ୍‌ପି, ତଣ୍ଡୱା ଥାନା ମୁଖ୍ୟ ଓ ଲୱାଲୌଙ୍ଗ ଥାନାର ଅଫିସର ଇନ ଚାର୍ଜଙ୍କୁ ପ୍ରଶ୍ନ କରିଥିଲେ ଯେ, ଛାତ୍ରଙ୍କୁ ଅଟକ ରଖାଯିବା ଘଟଣାକୁ ଔପଚାରିକ ଭାବେ ରେକର୍ଡ କରାଯାଇଛି କି। ଏହି ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ କୋର୍ଟ ସେମାନଙ୍କୁ କୋର୍ଟରୁମ୍‌ରେ ବସିବାକୁ କହିଥିଲେ ଏବଂ ସେମାନଙ୍କ ମୋବାଇଲ ଫୋନ୍‌ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: Dead: ନିର୍ଦ୍ଦୋଷ ପ୍ରମାଣିତ ହେବାର ଦିନକ ପରେ ଆଖି ବୁଜିଦେଲେ

ପଚରାଉଚୁରା ପାଇଁ ହାଜତକୁ ନିଆଯାଇଥିବା ଛାତ୍ରଙ୍କୁ କାହିଁକି ତୁରନ୍ତ ଛଡ଼ାଗଲାନି ଏବଂ କେଉଁ ଅଧାରରେ ୧୦ ଦିନ ହାଜତରେ ରଖାଯାଇଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ପଞ୍ଜୀକୃତ ହୋଇଥିବା କେସ୍‌ ଫାଇଲ୍‌ରେ ଛାତ୍ରଙ୍କୁ ଅଟକ ରଖାଯିବା ବିଷୟରେ ରହିଛି କି ନା’ ସେ ନେଇ ଖଣ୍ଡପୀଠ ସ୍ପଷ୍ଟୀକରଣ ମାଗିଥିଲେ। କୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ, ଛାତ୍ରଙ୍କୁ ପ୍ରଥମେ ଲୱାଲୌଙ୍ଗ ପୁଲିସ ନେଇଥିଲା ଏବଂ ପରେ ତାଙ୍କୁ ତଣ୍ଡୱା ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଡିଏସ୍‌ପି ଦାବି କରିଛନ୍ତି ଯେ ପୂରା ଘଟଣା ଷ୍ଟେସନ୍‌ ଡାଏରିରେ ପ୍ରବେଶ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚତରା ଏସ୍‌ପି ଭିଡିଓ କନଫରେନ୍ସ ମାଧ୍ୟମରେ ହାଜତ ହୋଇ ଏହି ମାମଲାର ଗୁରୁତ୍ବପୂର୍ଣ୍ଣ ଅଂଶ ସବୁ ପଢ଼ିଥିଲେ। ଏସ୍‌ପି ସମ୍ପୂର୍ଣ୍ଣ ରେକର୍ଡ ଖଣ୍ଡପୀଠଙ୍କ ନିକଟ‌ରେ ରଖିଥିଲେ ସୁଦ୍ଧା ଖଣ୍ଡପୀଠ ଔପଚାରିକ ଭାବେ କେସ୍‌ ଡାଏରି ଉପସ୍ଥାପନ କରିବା ପାଇଁ କହିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୩ ତାରିଖରେ ରଖିଛନ୍ତି। ୩ ଅଧିକାରୀ ବ୍ୟକ୍ତିଗତ ଭାବେ ସେଦିନ ଶୁଣାଣି ସମୟରେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।