Image Courtesy of Hindustan Times
ଗୋଆଲିଅର: ଶିକ୍ଷୟିତ୍ରୀ ହେବାକୁ ଚାହୁଁଥିବା ଅନ୍ତଃସତ୍ତ୍ବା ପତ୍ନୀଙ୍କୁ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ସ୍କୁଟର ପଛ ସିଟ୍ରେ ବସାଇ ଖାଲଖମା ଭରା ରାସ୍ତାରେ ବର୍ଷା ସତ୍ତ୍ବେ ୧୨୦୦ରୁ ଅଧିକ କିଲୋମିଟର୍ ଦୂର ପରୀକ୍ଷା କେନ୍ଦ୍ରକୁ ନେଇଥିବା ଖବର ମିଳିଛି।
୨୭ ବର୍ଷିୟ ଧନଞ୍ଜୟ କୁମାର ଏବଂ ତାଙ୍କର ୨୨ ବର୍ଷୀୟ ପତ୍ନୀ ସୋନି ହେମ୍ବ୍ରମ୍ ଦୁଇ ଚକିଆ ଯାନରେ ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲା ଅନ୍ତର୍ଗତ ଗନ୍ତା ତୋଳା ଗାଁରୁ ‘ଡିପ୍ଲୋମା ଇନ୍ ଏଜୁକେସନ୍’ ପରୀକ୍ଷା ଲାଗି ଗୋଅଲିଅର୍ ଏକ କେନ୍ଦ୍ରକୁ ଯାଇଥିଲେ।
ପତ୍ନୀଙ୍କୁ ସ୍କୁଲ୍ ଶିକ୍ଷୟିତ୍ରୀ ଭାବେ ଦେଖିବା ଇଚ୍ଛା ହିଁ କୁମାରଙ୍କୁ ଏଭଳି କଠିନ ଯାତ୍ରା ଲାଗି ପ୍ରେରିତ କରିଥିଲା। ରାସ୍ତାରେ ଖାଲଖମା ସାଙ୍ଗକୁ ବର୍ଷା ପୁଣି କୋଭିଡ୍-୧୯ ଜନିତ ଲକ୍ଡାଉନ୍କୁ ଖାତିର ନ କରି ସେ ଚାରିଟି ରାଜ୍ୟ ମଧ୍ୟ ଦେଇ ୧୨୦୦ରୁ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରିଥିଲେ।
ଶୁକ୍ରବାର ଦିନ କୁମାର ଗଣମାଧ୍ୟମକୁ କହିଛନ୍ତି, ଟ୍ରେନ୍, ବସ୍ ଏବଂ ପରିବହନର ଅନ୍ୟାନ୍ୟ ସାଧନ ଉପଲବ୍ଧ ନ ହେବାରୁ ଆମେ ସଡ଼କ ପଥରେ ଦୁଇଚକିଆ ଯାନରେ ଯାତ୍ରା କରିବାକୁ ସ୍ଥିର କଲୁ।
ଏଭଳି କଷ୍ଟସାଧ୍ୟ ଯାତ୍ରାରେ ଯିବାକୁ ଅନ୍ତଃସତ୍ତ୍ବା ଥିବା ମୋ ପତ୍ନୀ କୁଣ୍ଠା ପ୍ରକାଶ କରୁଥିଲେ। କିନ୍ତୁ, ମୋର ପ୍ରତିବଦ୍ଧତା ଦେଖି ସେ ଏହି ଦୀର୍ଘ ଯାତ୍ରାରେ ଯିବାକୁ ରାଜି ହୋଇଥିଲା।
Image Courtesy of Rozana Spokesmanମଧ୍ୟପ୍ରଦେଶ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ ଦ୍ବାରା ପରିଚାଳିତ ‘ଡିଇଡି’ ପରୀକ୍ଷା ଦେବା ଲାଗି ଅଗଷ୍ଟ ୩୦ ତାରିଖ ଦିନ ସେ ଦମ୍ପତି ଗୋଆଲିଅରରେ ପହଞ୍ଚିଥିଲେ। ପରୀକ୍ଷା ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।
ଅଷ୍ଟମ ଶ୍ରେଣୀଯାଏଁ ପଢ଼ିଥିବା କୁମାର କହନ୍ତି, ଆମେ ଯଦି ଟ୍ୟାକ୍ସି ଭଡ଼ା କରିଥାଆନ୍ତୁ ୩୦ ହଜାର ଟଙ୍କା ପଡ଼ିଥାଆନ୍ତା। ଆମ ପାଖରେ ଯାହାକିଛି ଅଳଙ୍କାର ଥିଲା ବନ୍ଧା ପକାଇ ୧୦ ହଜାର ଟଙ୍କା ଯୋଗାଡ଼ କରିଛୁ। ସେଥିରୁ ଆମେ ଦୀନଦୟାଲ୍ ନଗରରେ ଘରଭଡ଼ା ଏବଂ ଗାଁରୁ ଏତେ ବାଟ ଆସିବାରେ ୫ ହଜାର ଟଙ୍କା ଖର୍ଚ୍ଚ କରି ସାରିଲୁଣି।
ଏହି ଦମ୍ପତି ଓ ସେମାନଙ୍କ ଯାତ୍ରାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସେମାନଙ୍କ ସହାୟତା ଲାଗି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି। ସେମାନଙ୍କର ଦେଖାରଖା କରିବା ଓ ତୁରନ୍ତ ୫ ହଜାର ଟଙ୍କା ସହାୟତା କରିବା ଲାଗି ଗୋଆଲିଅର୍ ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହ ଜିଲ୍ଲା ମହିଳା ସଶକ୍ତିକରଣ ଅଧିକାରିଣୀ ଶାଳୀନ ଶର୍ମାଙ୍କୁ ନିର୍ଦେଶ ଦେଇଛନ୍ତି।
ଶର୍ମା କହିଛନ୍ତି, ପ୍ରଶାସନ ସେମାନଙ୍କ ଭାଡ଼ା ଦେୟ ଭରଣା କରିବ ଏବଂ ଖାଦ୍ୟପେୟ ବ୍ୟବସ୍ଥା କରିବ। ସେମାନଙ୍କୁ ନିରାପଦରେ ଗାଁକୁ ଫେରାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ମହିଳାଜଣକ ଅନ୍ତଃସତ୍ତ୍ବା ଥିବାରୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ଏବଂ ରବିବାର ଦିନ ଡାକ୍ତରୀ ପରୀକ୍ଷା ଓ ଅଲ୍ଟ୍ରାସାଉଣ୍ଡ୍ କରାଯିବ।
Follow Us