ତିବ୍ଦତ ଗୋଚରାଳିଙ୍କୁ ଜିନ୍‌ପିଙ୍ଗଙ୍କ ଆହ୍ଵାନ

Advertisment

ସୀମା ଜଗ, ବସତି କର

ସୀମା ଜଗ, ବସତି କର

ମୃତ୍ୟୁକୁ ନ ଡରିବାକୁ ଚୀନ୍‌ ସେନାକୁ ଜିନ୍‌ ପିଙ୍ଗ୍‌ଙ୍କ ପରାମର୍ଶ

ବେଜିଂ: ତିବ୍ଦତରେ ରହୁଥିବା ଗୋଚରାଳିମାନଙ୍କୁ ସେମାନଙ୍କ ବସତି ଭାରତ-ଚୀନ୍‌ ସୀମାରେ ନିର୍ମାଣ କରିବାକୁ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଆହ୍ଵାନ ଦେଇଛନ୍ତି। ଅରୁଣାଚଳ ସୀମାକୁ ଲାଗି ରହିଥିବା ତିବ୍ଦତ ଅଂଚଳରେ ବସତି ନିର୍ମାଣ ହେଲେ ଚୀନ୍‌ର ଅଂଚଳ ସୁରକ୍ଷିତ ରହିପାରିବ ଏବଂ ଉକ୍ତ ଅଂଚଳରେ ବିକାଶ କାର୍ଯ୍ୟ ମଧ୍ୟ ତ୍ୱରାନ୍ଵିତ ହେବ ବୋଲି ଜିନ୍‌ପିଙ୍ଗ କହିଛନ୍ତି।
ତିବ୍ଦତର ଲୁଂଝେ ସ୍ଥିତ ଏକ ପରିବାର ସେମାନଙ୍କ ସମସ୍ୟା ନେଇ ଜିନ୍‌ପିଙ୍ଗଙ୍କୁ ପତ୍ର ଲେଖିଥିଲେ। ଏହାର ଜବାବରେ ଚୀନ୍‌ ରାଷ୍ଟ୍ରପତି କହିଛନ୍ତି ଯେ ସୀମାରେ ବସତିର ବିକାଶ ହେଲେ ସେଠାରେ ଅନ୍ୟ ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ପ୍ରୟାସ ମଧ୍ୟ ତ୍ୱରାନ୍ଵିତ ହେବ। ତିବ୍ଦତର ଗୋଚରାଳିମାନେ ଏହି ଅଂଚଳର ସୁରକ୍ଷା କ୍ଷେତ୍ରରେ ମଧ୍ୟ ସରକାରଙ୍କୁ ସର୍ବଦା ସହଯୋଗ କରି ଆସିଥିବାରୁ ଜିନ୍‌ପିଙ୍ଗ୍‌ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଲୁଂଝେ ଅଂଚଳ ଅରୁଣାଚଳ ସୀମାକୁ ଲାଗି ରହିଥିବା ବେଳେ ଜିନ୍‌ପିଙ୍ଗ୍‌ଙ୍କ ଏହି ବୟାନ ସାମରିକ ରଣନୀତି ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଭାରତ-ଚୀନ୍‌ ସୀମା ବିବାଦ ଦୀର୍ଘ ୪୦୫୭ କିମି ପରିବ୍ୟାପ୍ତ ଅଂଚଳକୁ ନେଇ ରହିଥିବା ବେଳେ ଚୀନ୍‌ ଏହା କେବଳ ୨୦୦୦ କିମିରେ ସୀମିତ ବୋଲି କହିଛି। ଅରୁଣାଚଳ ପ୍ରଦେଶର କେତେକ ଅଂଚଳକୁ ଚୀନ୍‌ ନିଜର ବୋଲି ଦାବି କରୁଛି ଏବଂ ତାହା ଲୁଂଝେ ଅଂଚଳ ସହ ସଂଲଗ୍ନ। ଅରୁଣାଚଳ ସୀମାରେ ଭାରତର ପୂର୍ବ ସ୍ଥିତି କାଏମ ରହିଥିବା ବେଳେ ଏ ନେଇ କୌଣସି ସାଲିସର ପ୍ରଶ୍ନ ଉଠୁନାହିଁ ବୋଲି ସର୍ବଦା କହିଆସିଛି।

ଚୀନ୍‌ କେନ୍ଦ୍ରୀୟ ସାମରିକ ଆୟୋଗର ମୁଖ୍ୟ ଜି ଜିନ୍‌ପିଙ୍ଗ ଦ୍ୱିତୀୟବାର ରାଷ୍ଟ୍ରପତି ନିର୍ବାଚିତ ହୋଇ କାର୍ଯ୍ୟକାଳ ଆରମ୍ଭ କରିବା ସହିତ ଚୀନ୍‌ର ସାମରିକ ଶକ୍ତି ଉପରେ ଅଧିକ ଗୁରୁତ୍ୱାରୋପ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର ପ୍ରଥମ ଦିବସରେ ଜିନ୍‌ପିଙ୍ଗ୍‌ ଚୀନ୍‌ ସେନାକୁ ଯୁଦ୍ଧ ପାଇଁ ତୟାର ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଭାରତ ସହ ସୀମା ଅଂଚଳର ସ୍ଥିତି ନେଇ ଗୁରୁତ୍ୱାରୋପ କରିଛନ୍ତି। ତିବ୍ଦତ-ଅରୁଣାଚଳ ସୀମାରେ ତିବ୍ଦତର ଗୋଚରାଳିଙ୍କ ବସତି ଗଢ଼ି ଉଠିଲେ ଏହି ଅଂଚଳକୁ ନେଇ ଉତ୍ତେଜନା ବଢ଼ିବା ଆଶଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe