Image Courtesy of India Today
ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି। ପ୍ରଥମତଃ ଗତ କିଛି ବର୍ଷ ହେଲା ତାଙ୍କ ଶରୀର ଭଲ ରହୁ ନଥିବା କୁହାଯାଇଛି। ସେ ସେରିବ୍ରାଲ ଏନ୍ୟୁରିଜିମ (ଏକ ପ୍ରକାର ମସ୍ତିଷ୍କ ରୋଗ)ରେ ପୀଡ଼ିତ ଅଛନ୍ତି ବୋଲି ଦେଶର ସାମାଜିକ ଗଣମାଧ୍ୟମରେ ଜୋରଦାର ଖବର ପ୍ରସାରିତ ହେଉଛି। ଦ୍ବିତୀୟତଃ କୋଭିଡ-୧୯ କୁପରିଚାଳନା ଦୋଷ ମଧ୍ୟ ତାଙ୍କ ମୁଣ୍ଡରେ ଲଦାଯାଇଛି। ଉଭୟ କାରଣରୁ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
କୋଭିଡ-୧୯ ମହାମାରୀ ପରେ ଅର୍ଥନୀତି ପରିଚାଳନା କରିବାରେ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ବିଫଳ ହୋଇଥିବାରୁ ଶାସକ ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି) ଉପରେ ଦେଶବାସୀ ଖପ୍ପା ହୋଇଛନ୍ତି। କେବଳ ନାଗରିକମାନେ ନୁହନ୍ତି ପାଶ୍ଚାତ୍ୟ ଦେଶ ଏବଂ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଚୀନ ଚାପର ସମ୍ମୁଖୀନ ହୋଇଛି। ଏଥିସହିତ ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣ ଚୀନର ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ସିସିପିର ପଲିଟି ବ୍ୟୁରୋ ଷ୍ଟାଣ୍ଡିଂ କମିଟିର ବୈଠକ ପରେ ଜିନ୍ପିଙ୍ଗ୍ଙ୍କ ଇସ୍ତଫା ଚର୍ଚ୍ଚା ବଢ଼ିଛି। ଏଥିସହିତ କାନାଡାର ଜଣେ ବ୍ଲଗରଙ୍କ ଦାବି ଅନୁଯାୟୀ, ସି ଜିନ୍ପିଙ୍ଗ୍ଙ୍କୁ ସିସିପି ଇସ୍ତଫା ଦେବା ପାଇଁ ବାଧ୍ୟ କରିବ। ତାଙ୍କ ସ୍ଥାନରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ୍ ଦଳ ଏବଂ ସରକାରୀ କାର୍ଯ୍ୟର ଦୈନନ୍ଦିନ ପରିଚାଳନା ବୁଝିବେ।
କୁହାଯାଇଛି ଯେ ଜିନ୍ପିଙ୍ଗ୍ ୨୦୨୧ ଶେଷବେଳକୁ ଡାକ୍ତରଖାନରେ ମସ୍ତିଷ୍କ ରୋଗର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ପରିବର୍ତ୍ତେ ଚୀନର ପାରମ୍ପରିକ ଔଷଧରେ ଚିକିତ୍ସିତ ହେବାକୁ ସେ ପସନ୍ଦ କରିଥିଲେ। ୨୦୧୯ ମାର୍ଚ୍ଚରେ ଇଟାଲି ଓ ଫ୍ରାନ୍ସ ଗସ୍ତ ସମୟରେ ତାଙ୍କର ଚାଲିଚଳଣରୁ ତାଙ୍କର ରୋଗ ବାରି ହୋଇଥିଲା। ସେ ଚେୟାରରେ ବସିବା ପାଇଁ ଅନ୍ୟର ସହାୟତା ଲୋଡ଼ିଥିଲେ। ସେହିଭଳି ୨୦୨୦ରେ ସେନଝେନ୍ରେ ଲୋକଙ୍କୁ ସମ୍ବୋଧିତ କରିବା ପାଇଁ ବିଳମ୍ବରେ ଆସି ପହଞ୍ଚିବା, ଧୀରେ ଧୀରେ ଭାଷଣ ଦେବା ଏବଂ ଲଗାତାର କାଶିବା ଆଦି ଦ୍ବାରା ତାଙ୍କର ଦୁର୍ବଳ ସ୍ବାସ୍ଥ୍ୟ ସଂପର୍କରେ ଚର୍ଚ୍ଚା ହୋଇଥିଲା। ଏହା ସହିତ ଦେଶରେ କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଜନିପିଙ୍ଗ୍ ଶୂନ୍ୟ-କୋଭିଡ ନୀତି ଘୋଷଣା କରିଥିଲେ। କିନ୍ତୁ ବ୍ୟାପକ ଲକଡାଉନ୍ କାରଣରୁ ଚୀନର ବ୍ୟବସାୟ ବହୁମାତ୍ରାରେ ବାଧାପ୍ରାପ୍ତ ହେବାରୁ ତାଙ୍କ ରଣନୀତି ବିଫଳ ହୋଇଥିଲା।
Follow Us