ଶ୍ରୀନଗର: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ କ୍ୟାବିନେଟର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟର ସ୍ୱତନ୍ତ୍ର ପାହ୍ୟା ଫେରସ୍ତ ପାଇଁ ଅନୁରୋଧ କରାଯାଇଛି। ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଜ୍ୟର ମୂଳ ମାନ୍ୟତା ଫେରାଇ ଆଣିବା ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଅନୁମୋଦନ ମିଳିଛି। ଅଧିକାରୀମାନେ ଅଧିକ ବିବରଣୀ ନଦେଇ କହିଛନ୍ତି ଯେ ଉପରାଜ୍ୟପାଳ କ୍ୟାବିନେଟ୍ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଅନୁମୋଦନ ମିଳିଛି।
ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା ପୁନଃ ସ୍ଥାପନ କରିବା ହେଉଛି ସୁଧାର ପ୍ରକ୍ରିୟାର ଆରମ୍ଭ, ଯାହା ସାମ୍ବିଧାନିକ ଅଧିକାର ପୁନରୁଦ୍ଧାର କରିବ ଏବଂ ଜମ୍ମୁ-କଶ୍ମୀରବାସୀଙ୍କ ପରିଚୟକୁ ସୁରକ୍ଷିତ କରିବ ବୋଲି ମୁଖପାତ୍ର କହିଛନ୍ତି। ସେ କହିଛନ୍ତି ଯେ କ୍ୟାବିନେଟ ଏହି ପ୍ରସଙ୍ଗକୁ ଆନୁଷ୍ଠାନିକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କ ନିକଟରେ ଉଠାଇବ। ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ପରିଚୟ ଏବଂ ଲୋକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ନବନିର୍ବାଚିତ ସରକାରଙ୍କ ନୀତିର ଆଧାର ବୋଲି ମୁଖପାତ୍ର ଗୁରୁତ୍ୱାରୋପ କରିଛନ୍ତି। ଏ ନେଇ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ବୋଲି ସେମାନେ ଉଲ୍ଲେଖ କରିଛନ୍ତି।
Follow Us