ଛାତ୍ର ସଂଘର୍ଷର ଦିନକ ପରେ, ଛାତ୍ରମାନଙ୍କୁ ସଂଯତ ରହିବାକୁ ଜେଏନ୍‌ୟୁ କର୍ତ୍ତୃପକ୍ଷଙ୍କ ଚେତାବନୀ

Advertisment
ଛାତ୍ର ସଂଘର୍ଷର ଦିନକ ପରେ, ଛାତ୍ରମାନଙ୍କୁ ସଂଯତ ରହିବାକୁ ଜେଏନ୍‌ୟୁ କର୍ତ୍ତୃପକ୍ଷଙ୍କ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଜବାହରଲାଲ ନେ‌ହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ଭିତରେ ସଂଘର୍ଷ ଉପୁଜିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ହିଂସାରୁ ନିବୃତ୍ତ ରହିବା ପାଇଁ ଛାତ୍ରମାନଙ୍କୁ ଚେତାଇ ଦିଆଯାଇଛି। ବିଶ୍ବବିଦ୍ୟାଳୟ ପରିସରରେ ଶାନ୍ତି ଓ ସଦ୍‌ଭାବ ଭଙ୍ଗ କରୁଥିବା ଯେକୌଣସି ପ୍ରକାର କାର୍ଯ୍ୟକଳାପ ଉପରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରାଯିବ ଏବଂ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଛାତ୍ର ବା ଛାତ୍ରୀ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଏନ୍‌ୟୁ ରେଜିଷ୍ଟ୍ରାର କହିଛନ୍ତି।

ସୋମବାର କୁଳପତି ହିଂସାର କେନ୍ଦ୍ର ବନିଥିବା ଛାତ୍ରାବାସ ପରିଦର୍ଶନ କରିଥିଲେ। ସେ ଛାତ୍ରମାନଙ୍କୁ ବୁଝାଶୁଝା କରିବା ସହ ସୁରକ୍ଷା କର୍ମୀଙ୍କୁ ସର୍ବଦା ସତର୍କ ଦୃଷ୍ଟି ରଖିବା ଓ ଯେକୌଣସି ଘଟଣା ଘଟିଲେ ତୁରନ୍ତ ପ୍ରଶାସନକୁ ଖବର ଦେବା ପାଇଁ ଆଦେଶ ଦେଇଥିଲେ। ଛାତ୍ରସଂଘର ବାମ ଶାଖା ଓ ଆର୍‌ଏସ୍‌ଏସ୍ ସହ ସମ୍ପୃକ୍ତ ଏବିଭିପି (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ) ହିଂସାକାଣ୍ଡ ସୃଷ୍ଟି ପାଇଁ ପରସ୍ପରକୁ ଦୋଷାରୋପ କରି ନିଜ ଦାବି ସପକ୍ଷରେ ସାମାଜିକ ଗଣମାଧ୍ୟମରେ ଭିଡିଓ ଓ ଫଟୋ ଛାଡ଼ିଛନ୍ତି। ଜବାହରଲାଲ ନେହରୁ ଛାତ୍ରସଂଘ (ଜେଏନ୍‌ୟୁଏସ୍‌ୟୁ) ସଭାପତି ଆଇଶେ ଘୋଷ ଅଭିଯୋଗ କରିଛନ୍ତି ଯେ ଏବିଭିପି ସଦସ୍ୟମାନେ ପ୍ରଥମେ ବିଶୃଙ୍ଖଳା ସୃଷ୍ଟି କରିଥିଲେ ଏବଂ ଚିକେନ୍ ରାନ୍ଧିବାକୁ ନେଇ କାବେରୀ ‌ହଷ୍ଟେଲ ମେସ୍ ସଦସ୍ୟଙ୍କୁ ଆକ୍ରମଣ କରିଥିଲେ। ଅପରପକ୍ଷେ ଏବିଭିପି ପକ୍ଷରୁ କୁହାଯାଇଛି ଯେ, ରାମନବମୀ ଉପଲକ୍ଷେ ସେମାନେ ଏକ ପ୍ରର୍ଥନାସଭାର ଆୟୋଜନ କରିଥିଲେ। ପ୍ରାର୍ଥନା ଚାଲିଥିବା ବେଳେ ବାମ ସଂଗଠନର ଛାତ୍ରମାନେ ବଡ଼ ପାଟିରେ ସ୍ଲୋଗାନ୍ ଦେଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏହି ହିଂସାକାଣ୍ଡରେ ଅନ୍ତତଃ ଛଅଜଣ ଛାତ୍ର ଆହତ ହୋଇଥିବା ବେଳେ ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବିଭିପିର ଅଜ୍ଞାତ ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe