ଥମୁନି ସାମ୍ପ୍ରଦାୟିକ ହିଂସା: ଯୋଧପୁର ସହରରେ ଥିବା ୧୦ଟି ପୁଲିସ ଷ୍ଟେସନରେ କର୍ଫ୍ୟୁ ଲାଗୁ

ଥମୁନି ସାମ୍ପ୍ରଦାୟିକ ହିଂସା: ଯୋଧପୁର ସହରରେ ଥିବା ୧୦ଟି ପୁଲିସ ଷ୍ଟେସନରେ କର୍ଫ୍ୟୁ ଲାଗୁ

abplive

ଜୟପୁର: ଇଦ୍‌ ପର୍ବ ଆରମ୍ଭ ହେବା ପୂର୍ବରୁ ଯୋଧପୁରର ଜାଲୋରୀ ଗେଟ୍‌ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ବ୍ୟାପିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଉତ୍ତ୍ୟକ୍ତ ଜନତାଙ୍କ ଟେକାପଥର ମାଡ଼ରେ ଅନ୍ୟୂନ ୪ଜଣ ପୁଲିସ କର୍ମଚାରୀ ଓ ୪ଜଣ ସମ୍ବାଦଦାତା ଆହତ ହୋଇଥିଲେ। ବର୍ତ୍ତମାନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏଠାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।

ସୂଚନା ମୁତାବକ, ସୋମବାର ମଧ୍ୟରାତ୍ରି ପରେ ଏହି ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ସଦସ୍ୟ ଇଦ୍‌ ପାଇଁ ଜାଲୋରୀ ଫାଟକ ନିକଟରେ ଥିବା ସ୍ୱାଧୀନତା ସଂଗ୍ରାମୀ ବାଲମୁକୁନ୍ଦ ବିସାଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକ ପତାକା ଲଗାଉଥିଲେ, ଯାହାକୁ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ବିରୋଧ କରିଥିଲେ। ଏହା ପରେ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ହିଂସାରେ ପରିଣତ ହୋଇଥିଲା। ଏବେ ସାମ୍ପ୍ରଦାୟିକ ଉତ୍ତେଜନା ପରେ ରାଜସ୍ଥାନର ଯୋଧପୁର ସହରରେ ଥିବା ୧୦ଟି ପୁଲିସ ଷ୍ଟେସନରେ କର୍ଫ୍ୟୁ ଲାଗୁ କରାଯାଇଛି।

ଘଟଣାକୁ ଦୁଃଖଦାୟକ କହି ଶାନ୍ତି ବଜାୟ ରଖିବା ଲାଗି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି: ଯୋଧପୁରର ମାରୱାଡ୍‌ରେ ପ୍ରୀତି ଓ ଭାଇଚାରା ପ୍ରଥାକୁ ସମ୍ମାନ ଜଣାଇ ସବୁ ପକ୍ଷଙ୍କୁ ମୋର ମାର୍ମିକ ନିବେଦନ, ଶାନ୍ତି ବଜାୟ ରଖିବା ସହ ଆଇନଶୃଙ୍ଖଳା ଫେରାଇ ଆଣିବାରେ ସହଯୋଗ କରନ୍ତୁ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଥିବା କଥା ମଧ୍ୟ ଗେହ୍‌ଲଟ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe