ଜେରୁଜେଲମ୍: ବୁଧବାର ଦିନ ଇସ୍ରାଏଲ୍ ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ହମାସ୍ ଆତଙ୍କବାଦୀମାନଙ୍କ କବଳରୁ ରକ୍ଷା ପାଇଯାଇଥିବା ଯେଉଁ କେତେ ଜଣଙ୍କୁ ଭେଟିଥିଲେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଚେଲ୍ ଏଡ୍ରି ନାମ୍ନୀ ଜଣେ ୬୫ ବର୍ଷୀୟ ମହିଳା।
ଅକ୍ଟୋବର ୭ ତାରିଖ ଦିନ ହମାସ୍ ଆତଙ୍କବାଦୀମାନେ ରାଚେଲ୍ ଓ ତାଙ୍କ ସ୍ବାମୀ ଡେଭିଡ୍ଙ୍କୁ ପଣବନ୍ଦୀ କରି ନେଇଥିଲେ। ଏଡ୍ରିଙ୍କୁ ତାଙ୍କ ଘରେ ୫ଜଣ ହମାସ୍ ଆତଙ୍କବାଦୀ ବନ୍ଧୁକ ଦେଖାଇ ପ୍ରାୟ ୨୦ ଘଣ୍ଟା ପଣବନ୍ଦୀ କରି ରଖିଥିଲେ। ଇସ୍ରାଏଲୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଇସ୍ରାଏଲୀୟ ଉଦ୍ଧାରକାରୀ ସେନା ଆସି ପହଞ୍ଚିବା ପର୍ଯ୍ୟନ୍ତ ସେ କଫି ଓ ‘କୁକିଜ୍’ ଦେବା ସହିତ ଗପସପ କରି ଆତଙ୍କବାଦୀମାନଙ୍କ ମନଭୁଲାଇ ରଖିଥିଲେ।
‘ଚାନେଲ୍ ୧୨’ ରିପୋର୍ଟ ଅନୁସାରେ, ଡେଭିଡ୍ କହିଛନ୍ତି ଯେ, ଆତଙ୍କବାଦୀମାନେ ତାଙ୍କୁ ମାରଧର କରି ନ ଥିଲେ, କହିଥିଲେ ତୁମେମାନେ ‘ସହିଦ’ ହେବ। ସୁରକ୍ଷା ବଳ ପହଞ୍ଚିବା ପରେ ‘ପିନ୍’ ବାହାର କରି ସେମାନେ ରାଚେଲ୍ଙ୍କ ମୁଣ୍ଡ ଉପରେ ଗୋଟାଏ ‘ହ୍ୟାଣ୍ଡ୍ ଗ୍ରେନେଡ୍’ ବା ହାତ ବୋମା ଧରି ରଖିଲେ। ନିରପତ୍ତା ବଳଙ୍କ ସହିତ ମୁକାବିଲା କରିବା ବେଳେ ଆମକୁ ମାରି ଦେବେ ବୋଲି ଆତଙ୍କବାଦୀମାନେ ଧମକ ଦେଇଥିଲେ।
Image Courtesy of Hindustan‘ଦି ଟାଇମସ୍ ଅଫ୍ ଇସ୍ରାଏଲ୍’ ରିପୋର୍ଟ ଅନୁସାରେ, ଏଡ୍ରିଙ୍କ ଘରକୁ ବୋମା ଫିଙ୍ଗି ନଷ୍ଟ କରିଦେବେ ବୋଲି ପ୍ରଥମେ ସୁରକ୍ଷା ବଳ ଚିନ୍ତା କରିଥିଲେ। କିନ୍ତୁ, ଏହା ଜଣେ ପୁଲିସ ଅଧିକାରୀଙ୍କ ଘର ବୋଲି କୁହାଯିବାରୁ ସେମାନେ ତାହା କଲେ ନାହିଁ।
ତେଣେ ଘର ଭିତରେ ଏଡ୍ରି ଆତଙ୍କବାଦୀମାନଙ୍କ ସହିତ ଗପ ଜମାଇ କଫି ତିଆରି କରି ‘କୁକିଜ୍’ ସହିତ ପରିବେଷଣ କରିଥିଲେ। କେବଳ ସେତିକି ନୁହେଁ ଜଣେ ଆହତ ଆତଙ୍କବାଦୀଙ୍କ ହାତରେ ଏଡ୍ରି ‘ବ୍ୟାଣ୍ଡେଜ୍’ ମଧ୍ୟ ବାନ୍ଧି ଦେଇଥିଲେ।
Image Courtesy of India Todayପରିଶେଷରେ ନିରାପତ୍ତା ବଳ ସେମାନଙ୍କ ଘର ଭିତରକୁ ଧଷେଇ ପଶିଥିଲେ। କାଳେ ସ୍ତ୍ରୀଙ୍କର କିଛି କ୍ଷତି ହେବ ଏହି ଆଶଙ୍କାରେ ଡେଭିଡ୍ ମଧ୍ୟ ଏଡ୍ରିଙ୍କ ପାଖକୁ ଧାଇଁଯାଇଥିଲେ। କୌଣସି ମତେ ଦୁହେଁ ବର୍ତ୍ତିଗଲେ ଓ ବଞ୍ଚାଇ ରଖିଲେ ସେମାନଙ୍କର ୪୦ ବର୍ଷର ବୈବାହିକ ଜୀବନ।
ରାଷ୍ଟ୍ରପତି ବାଇଡେନ୍ ଇସ୍ରାଏଲ୍ରେ ରାଚେଲ୍ ଏଡ୍ରିଙ୍କୁ ଭେଟୁଥିବା ଦୃଶ୍ୟ ଆମେରିକୀୟ କେବୁଲ୍ ଟିଭି ନେଟ୍ୱାର୍କ ‘ସି-ସ୍ପାନ୍’ ସେୟାର୍ କରିଥିବା ଭିଡିଓରେ ଦେଖାଯାଉଛି।
Follow Us