ଯୋଗୀଙ୍କ ଦୁଆରେ କୃଷକମାନେ ଆଳୁ ଜମା କରିବା ପରେ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଓ ୪ କନେଷ୍ଟବଳ ନିଲମ୍ବିତ

Advertisment
ଯୋଗୀଙ୍କ ଦୁଆରେ କୃଷକମାନେ ଆଳୁ ଜମା କରିବା ପରେ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଓ ୪ କନେଷ୍ଟବଳ ନିଲମ୍ବିତ

Image Courtesy of HT

ଲକ୍ଷ୍ନୌ: ଶନିବାର ଦିନ କୃଷକମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ବାସଭବନ ସମ୍ମୁଖ ପଚା ଆଳୁ ଜମା କରିବାବେଳେ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା କାରଣରୁ ଚାରି ଜଣ କନେଷ୍ଟବଳ ଏବଂ ଜଣେ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କୁ ନିଲମ୍ବିତ କରାଯାଇଛି।

କୁଇଣ୍ଟାଲ୍‌ ପିଛା ଆଳୁର ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ସରକାର ୪୮୭ ଟଙ୍କା ନିର୍ଦ୍ଧାରଣ କରିଥିଲେ। କିନ୍ତୁ ଏହା ହଜାର ଟଙ୍କା କରାଯାଉ ବୋଲି ଚାଷୀମାନେ ଦାବି କରିଥିଲେ। ଘଟଣାଟି ସେ ଦିନ ବଡ଼ି ଭୋର୍‌ରେ ଘଟିଥିଲା।

ଦୁଇ କନେଷ୍ଟବଳ ଏବଂ ସବ୍‌-ଇନ୍‌ସ୍‌ପେକ୍ଟର୍‌ କାଳିଦାସ ମାର୍ଗ ନିକଟସ୍ଥ ଗୌତମପଲ୍ଲୀ ଥାନାର ହୋଇଥିବା ବେଳେ ଅନ୍ୟ ଦୁଇ କନେଷ୍ଟବଳ ବିଧାନ ଭବନ ଅନ୍ତର୍ଗତ ହଜରତଗଞ୍ଜ ଥାନାର।

ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଦୀପକ କୁମାର କହନ୍ତି: ହଜରତଗଞ୍ଜର ରାତି ଇନ୍‌ସ୍‌ପେକ୍ଟର୍‌ ରାହୁଳ ସୋନାକର ଦେଖିଲେ ଯେ ଏକ ମିନି ଟ୍ରକ୍‌ ସେଠାରେ ଆଳୁ ଜମା କରୁଛି। ସେ ଟ୍ରକ୍‌ଟିର ରେଜିଷ୍ଟ୍ରେସନ୍‌ ନମ୍ବର ଟିପି ରଖିଛନ୍ତି। ସେ ଟ୍ରକ୍‌ଟିକୁ ତଲାସ କରାଯାଇ ଚିହ୍ନଟ କରାଯାଇଛି। ଖୁବ୍‌ ଶୀଘ୍ର ସେ କୃଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ କୌଣସି ରାଜନୈତିକ ସଙ୍ଗଠନ ସମ୍ପୃକ୍ତ ଥିବା କଥା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ପୁଲିସ କହିଛି: ଅନ୍ଧାର ଓ ଘନ କୁହୁଡ଼ି ଯୋଗୁଁ ଅଚିହ୍ନା କୃଷକମାନେ ବିଧାନସଭା ମାର୍ଗ ଏବଂ କାଳିଦାସ ମାର୍ଗର ହାଇ-ସିକ୍ୟୁରିଟି ଭିତରକୁ ଲୁଚି ପଶି ଯାଇ ଶହ ଶହ କିଲୋ ଆଳୁ ଅଜାଡ଼ି ଦେଇଥିଲେ। ଶନିବାର ସକାଳେ ସେ ଆଳୁଗୁଡ଼ିକ ଯାନବାହନ ଚକା ତଳେ ଦଳି ହୋଇ ଯିବାରୁ ରାସ୍ତା ବଡ଼ କଦର୍ଯ୍ୟ ଦିଶିଥିଲା।

ଗରିବ ଲୋକେ ସେ ଆଳୁଗୁଡ଼ିକୁ ଗୋଟାଇ ନେଇ ପ୍ରଶାସନ ତରଫରୁ ଲଗା ଯାଇଥିବା ଧୂନିରେ ପୋଡ଼ି ଖାଇଥିଲେ। ପରେ ସଫେଇ କର୍ମଚାରୀମାନେ ଆସି ପ୍ରଥମେ ଝାଡୁ ଯୋଗେ ରାସ୍ତାକୁ ସଫା କରିବା ପରେ ପାଣିଛିଞ୍ଚି ରାସ୍ତାକୁ ପରିଷ୍କାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe