Image Source: India Today
ଅନ୍ୟ ୩ ରାଜ୍ୟ ତେଲେଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ର
ତଥ୍ୟ ଦିଆନିଆ ହେବ, ପ୍ରତି ମାସରେ ଡିଜିପିଙ୍କ ବୈଠକ
ନୂଆଦିଲ୍ଲୀ : ଓଡ଼ିଶା ସୀମାନ୍ତରେ ଚାଲିଥିବା ଅପରେସନ୍ର ପ୍ରତିଶୋଧ ନେବା ପାଇଁ ମାଓବାଦୀ ରକ୍ତମୁଖା ହୋଇପଡ଼ିଥିବା ବେଳେ ସେପଟେ କେନ୍ଦ୍ର ସରକାର ସେମାନଙ୍କ ଦମନ ପାଇଁ ଏକ ବଡ଼ ଅଭିଯାନ ଆରମ୍ଭ କରାଯିବାକୁ ସ୍ଥିର କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂତ୍ର ଅନୁସାରେ, ଓଡ଼ିଶା ସମେତ ଛତିଶଗଡ଼, ତେଲେଙ୍ଗାନା ଓ ମହାରାଷ୍ଟ୍ର ରାଜ୍ୟର ପୁଲିସ ସବଳ ଦ୍ୱାରା ମାଓବାଦୀମାନଙ୍କ ବିରୋଧରେ ଅଭିଯାନ ଜୋରଦାର କରିବେ। ଆନ୍ତଃରାଜ୍ୟ ସମନ୍ବୟ ଆଧାରରେ ଚାରି ରାଜ୍ୟର ପୁଲିସ ଫୋର୍ସ ସମ୍ମିଳିତ ହୋଇ ଏ ସଂକ୍ରାନ୍ତ ରଣନୀତି ପ୍ରସ୍ତୁତ କରିବା ଲାଗି କୁହାଯାଇଛି।
କେବଳ ସେତିକି ନୁହେଁ, ଚାରି ରାଜ୍ୟ ମଧ୍ୟରେ ଯେଉଁଠି ମାଓବାଦୀଙ୍କ ଗତିବିଧି ଯାହା ରହିବ, ସେ ସଂକ୍ରାନ୍ତ ନିତିଦିନ ତଥ୍ୟ ଆଦାନ ପ୍ରଦାନ ହେବ। ପ୍ରତ୍ୟେକ ମାସରେ ଚାରିରାଜ୍ୟର ଡିଜିପି ବା ପୁଲିସ ମହାନିର୍ଦେଶକ ଏବଂ ତାଙ୍କ ଟିମ୍ ଏକାଠି ବସି ୩୦ ଦିନ ପାଇଁ ଖସଡ଼ା ପ୍ରସ୍ତୁତ କରିବେ ଓ ସେ ଅନୁସାରେ ଆଗକୁ ଯିବେ। ଆବଶ୍ୟକ ପଡ଼ିଲେ ଚାରି ରାଜ୍ୟ ପରସ୍ପରର ସହଯୋଗ ନେବେ।
ଖବର ଅନୁସାରେ, ଓଡ଼ିଶା ସରକାର ଆସନ୍ତା ଦିନରେ ପୁଣି କିଛି ଜିଲ୍ଲାକୁ ସମ୍ପୂର୍ଣ୍ଣ ମାଓ ମୁକ୍ତ କରିବା ନେଇ ଜୋରସୋର୍ ଉଦ୍ୟମ ଆରମ୍ଭ କରିଛନ୍ତି। ଅନ୍ୟରାଜ୍ୟମାନେ ବି ସମାନ ଲକ୍ଷ୍ୟରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଯେଉଁ ରାଜ୍ୟରେ ଅପରେସନ୍ ଜୋରଦାର ହେଉଛି, ତାର ସୀମାନ୍ତ ଅଞ୍ଚଳରେ ଥିବା ଅନ୍ୟ ରାଜ୍ୟରେ ମାଓବାଦୀମାନେ ବେଶ୍ କିଛି ଆତ୍ମଗୋପନ କରିଯାଉଛନ୍ତି ବା କ୍ୟାମ୍ପ କରି ଶକ୍ତି ବଢାଉଛନ୍ତି। ପଡ଼ୋଶୀ ରାଜ୍ୟ ସହିତ ଉତ୍ତମ ସମନ୍ବୟ ରହିନପାରିବାରୁ ସେମାନେ ଏହାର ଫାଇଦା ନେଉଥିବା କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏଣୁ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଓ ମହାରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରିବାକୁ ଯୋଜନା ଚାଲିଛି।
Follow Us