ବିଶେଷଜ୍ଞଙ୍କ ଚେତାବନୀ : ପ୍ରଳୟ ଆଣିବ ଜଙ୍ଗ୍‌ଙ୍କ ଆକ୍ରମଣ ପରମାଣୁ

ଇଏମ୍‌ପି ଆକ୍ରମଣରେ ଅକାମୀ ହୋଇଯିବ ପାଓ୍ଵାର ଗ୍ରିଡ୍‌, ବର୍ଷକରେ ମରିଯିବେ ୯୦ ପ୍ରତିଶତ ଆମେରିକୀୟ

ବିଶେଷଜ୍ଞଙ୍କ ଚେତାବନୀ : ପ୍ରଳୟ ଆଣିବ ଜଙ୍ଗ୍‌ଙ୍କ ଆକ୍ରମଣ ପରମାଣୁ

ଓ୍ଵାସିଂଟନ: ଉତ୍ତର କୋରିଆ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲେ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ପ୍ରଳୟ ସୃଷ୍ଟି କରିବେ ବୋଲି ଆମେରିକା କଂଗ୍ରେସକୁ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।  ଉତ୍ତର କୋରିଆ ବିଗତ କିଛି ବର୍ଷ ମଧ୍ୟରେ ଅତି ଭୟଙ୍କର ଅସ୍ତ୍ର ବିକଶିତ କରିବାରେ ସକ୍ଷମ ହୋଇଛି ଏବଂ ଏହା ବ୍ୟବହାର କରି ଆମେରିକାର ପାଓ୍ଵାର ଗ୍ରିଡ୍‌କୁ ଅଚଳ କରିଦେବାକୁ  ସକ୍ଷମ ହେବ। ଉତ୍ତର କୋରିଆ ପରମାଣୁ ଇଏମ୍‌ପି (ଇଲେକ୍ଟୋମ୍ୟାାଗ୍ନେଟିକ୍‌ ପଲ୍‌ସ) ଅସ୍ତ୍ର ହାସଲ କରିବାରେ ସକ୍ଷମ ହୋଇସାରିଛି ।  ପରମାଣୁ ଇଏମ୍‌ପି ଆକ୍ରମଣ ଆମେରିକା ପାଇଁ ସବୁଠାରୁ ବଡ଼ ବିପଦ ହେବ ବୋଲି ଚେତାଇ ଦିଆଯାଇଛି।  ଏଭଳି ସ୍ଥିତିରେ  ବର୍ଷକ ଭିତରେ ୯୦ ପ୍ରତିଶତ ଆମେରିକୀୟଙ୍କ ମୃତ୍ୟୁ ଘଟିବ ବୋଲି ବିଶେଷଜ୍ଞମାନେ କଂଗ୍ରେସକୁ କହିଛନ୍ତି।

ଉତ୍ତର କୋରିଆର ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ରକୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ  ଇଏମ୍‌ପି ଆକ୍ରମଣ  ଅତି ମାରାତ୍ମକ ହେବ ବୋଲି ଜଣାପଡ଼ିଛି।  ଉଦ୍‌ଯାନ ବୋମା ପରୀକ୍ଷଣରେ ମଧ୍ୟ ଉତ୍ତର କୋରିଆ ସଫଳ ହୋଇଥିବାରୁ  ଏହି ରାଷ୍ଟ୍ର ଏବେ ପୂରା ବିଶ୍ୱ ପାଇଁ ଭୟଙ୍କର ବିପଦ ପାଲଟିଛି ବୋଲି କୁହାଯାଇଛି ।  ଆମେରିକା ଇଏମ୍‌ପି କମିସନର ପୂର୍ବ ଅଧ୍ୟକ୍ଷ ଓ୍ଵିଲିୟମ ଗ୍ରାହମ କହିଛନ୍ତି ଯେ  ଉତ୍ତର କୋରିଆ ଇଏମ୍‌ପି ଆକ୍ରମଣ କଲେ ଆମେରିକାର ପାଓ୍ଵାର ଗ୍ରିଡ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯିବ । ଗ୍ରିଡ୍‌ ସୁରକ୍ଷା ପାଇଁ କ୍ଷେପଣାସ୍ତ୍ର ବିଧ୍ୱସିଂ ବ୍ୟବସ୍ଥା ମୁତୟନ କରାଯିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। କିମ୍‌ ଜଙ୍ଗ ଏବେ ଯୁଦ୍ଧ ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଥିବାରୁ ଏହାର ମୁକାବିଲା ପାଇଁ  ଆମେରିକା-ଜାପାନ-ଦକ୍ଷିଣ କୋରିଆ ଏକଜୁଟ ହୋଇଛନ୍ତି।

ତେବେ ଆମେରିକା ଉପରେ ଆକ୍ରମଣ ପୂର୍ବରୁ ଜାପାନ ଏବଂ ଦକ୍ଷିଣ କୋରିଆ ଉପରେ ପ୍ରଥମ ଆକ୍ରମଣ କରିବାକୁ କିମ୍‌ ଜଙ୍ଗ୍‌ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି। ଏବେ ତିନି ରାଷ୍ଟ୍ରର ମିଳିତ ସମରାଭ୍ୟାସ କୋରିଆ ଉପଦ୍ୱୀପ ଅଂଚଳରେ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହା ଆହୁରି ବ୍ୟାପକ ରୂପ ନେବ ବୋଲି ଆମେରିକା ସେନାର ବରିଷ୍ଠ କମାଣ୍ଡରମାନେ କହିଛନ୍ତି।  ଉତ୍ତର କୋରିଆ ଆମେରିକାର ମିଳିତ ସମରାଭ୍ୟାସକୁ ଦୃଢ଼ ବିରୋଧ କରିବା ସହ ଏହାକୁ ଯୁଦ୍ଧର ଆରମ୍ଭ ଭାବେ ଗ୍ରହଣ କରିଛି।   ଆମେରିକାର ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି ରହିଥିବା  ଗୁଆମ ଦ୍ୱୀପ ଉଡ଼ାଇ ଦେବୁ ବୋଲି ଉତ୍ତର କୋରିଆର ଧମକୁ ଆମେରିକା ଗମ୍ଭୀରତାର ସହ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe