Sambad English
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କଲେଜିୟମ୍ ଦେଶର ବିଭିନ୍ନ ହାଇକୋର୍ଟର ୨୮ ଜଣ ବିଚାରପତିଙ୍କୁ ଅନ୍ୟ ହାଇକୋର୍ଟକୁ ବଦଳି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଂଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ରୂପେ ବଦଳି କରାଯିବାକୁ ନେଇ ସୁପାରିସ ହୋଇଛି। ସେହି ଭଳି କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ସୌମେନ ସେନଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯିବା ପାଇଁ ସୁପାରିସ କରାଯାଇଥିବାର ଜଣାପଡ଼ିଛି। ପଂଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ ଯୋଶବନ୍ତ ସିଂହଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ କରାଯାଇଥିବା ସୂଚନା ମିଳିଛି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍.ଭି. ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କଲେଜିୟମ୍ ଦେଶର ୫ଟି ହାଇକୋର୍ଟର କାର୍ଯ୍ୟରତ ମୁଖ୍ୟ ବିଚାରପତିଙ୍କୁ ଅନ୍ୟ ହାଇକୋର୍ଟକୁ ବଦଳି କରିବାକୁ ସୁପାରିସ କରିଥିବା ଜଣାପଡ଼ିଛି। କଲେଜିୟମ୍ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତିଙ୍କୁ ତ୍ରିପୁରା ହାଇକୋର୍ଟକୁ ବଦଳି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଏଥି ସହିତ କଲେଜିୟମ୍ ବିଭିନ୍ନ ହାଇକୋର୍ଟ ପାଇଁ ଆଠ ଜଣ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ଦ୍ବାରା ଗତକାଲି ଓ ଆଜି ଦୁଇଦିନ ଧରି ମାରାଥନ ବୈଠକ ପରେ କେନ୍ଦ୍ର ସରକାରଙ୍କୁ ବିଚାରପତିଙ୍କ ବଦଳି ଓ ନିଯୁକ୍ତି ସଂପର୍କିତ ସୁପାରିସ ପଠାଯାଇଥିବା ସୂତ୍ରରୁ ଜଣାପଡ଼ିଛି। କଲେଜିୟମଙ୍କ ସୁପାରିସ ସଂପର୍କୀତ ନିଷ୍ପତ୍ତିର ବିବରଣୀ ଏହି ରିପୋର୍ଟ ଲେଖିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ ଅପଲୋଡ କରାଯାଇନାହିଁ।
Follow Us