ଜଷ୍ଟିସ୍ ନାଗରତ୍ନାଙ୍କ ବିରୋଧକୁ ଅଣଦେଖା: ଜଷ୍ଟିସ୍ ପାଞ୍ଚୋଲିଙ୍କ ସୁପ୍ରିମ୍‌କୋର୍ଟ ପଦୋନ୍ନତି ବିଜ୍ଞପ୍ତି ଜାରି

କେନ୍ଦ୍ର ସରକାର ବୁଧବାର ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଆଲୋକ ଆରାଧେ ଏବଂ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ବିପୁଲ ଏମ୍ ପାଞ୍ଚୋଲିଙ୍କୁ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ddahbxbx

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଆଲୋକ ଆରାଧେ ଏବଂ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ବିପୁଲ ଏମ୍ ପାଞ୍ଚୋଲିଙ୍କୁ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କଲେଜିୟମ୍‌ର ଅନ୍ୟତମ ସଦସ୍ୟ ଜଷ୍ଟିସ୍ ବିଭି ନାଗରତ୍ନା ଜଷ୍ଟିସ୍ ପଞ୍ଚୋଲିଙ୍କ ପଦୋନ୍ନତିକୁ ବିରୋଧ କରିବା ସହ ତାଙ୍କ ନିଯୁକ୍ତି ନ୍ୟାୟ ପ୍ରଶାସନ ପାଇଁ ‘ପ୍ରତିକୂଳ’ ହେବ ଏବଂ କଲେଜିୟମ୍ ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ବିପଦ ସୃଷ୍ଟି କରିବ ବୋଲି ଚେତାବନୀ ଦେଇଥିବା ବେଳେ ୪-୧ ବହୁମତରେ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ଙ୍କ ସୁପାରିସ ପରେ ପରେ ବିଦ୍ୟୁତ୍‌ ବେଗରେ କେନ୍ଦ୍ର ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୨୦୩୧ ମେ ମାସରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଅବସର ନେବା ପରେ ଜଷ୍ଟିସ୍ ପାଞ୍ଚୋଲି ପ୍ରାୟ ୧୮ ମାସ ପାଇଁ ପ୍ରଧାନ ବିଚାରପତି (ସିଜେଆଇ) ହେବେ।

କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ‘ଏକ୍ସ’ରେ ଘୋଷଣା କରି କହିଛନ୍ତି ଯେ, ରାଷ୍ଟ୍ରପତି ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରି ଖୁସି ଅନୁଭବ କରୁଛନ୍ତି ଏବଂ ଦୁଇ ନୂଆ ବିଚାରପତିଙ୍କ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ଶପଥ ଗ୍ରହଣ କରିବାର ରାସ୍ତା ସଫା ହୋଇଛି। କଲେଜିୟମ୍ ଏହାର ସଂକଳ୍ପ ପାରିତ କରିବାର ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହି ବିଜ୍ଞପ୍ତି ଦ୍ରୁତ ଗତିରେ ଆସିଛି। ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌କୋର୍ଟ ୱେବ୍‌ସାଇଟ୍‌ରେ ଅପଲୋଡ୍ ହୋଇଥିବା ପ୍ରସ୍ତାବରେ ଜଷ୍ଟିସ୍ ପାଞ୍ଚୋଲିଙ୍କ ପଦୋନ୍ନତିକୁ ୪-୧ ସଂଖ୍ୟାଗରିଷ୍ଠତା ମିଳିଛି ବୋଲି କୁହାଯାଇ ନାହିଁ। ପ୍ରଧାନ ବିଚାରପତି ଜଷ୍ଟିସ ଭୂଷଣ ଆର୍‌ ଗବାଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସୂର୍ଯ୍ୟକାନ୍ତ, ବିକ୍ରମ ନାଥ ଓ ଜଷ୍ଟିସ ଜେକେ ମାହେଶ୍ୱରୀଙ୍କୁ ନେଇ ଗଠିତ ୫ ଜଣିଆ କଲେଜିୟମ୍‌ର ଏକମାତ୍ର ମହିଳା ସଦସ୍ୟ ଜଷ୍ଟିସ ନାଗରତ୍ନା ଜଷ୍ଟିସ ପାଞ୍ଚୋଲିଙ୍କ ପଦୋନ୍ନତିକୁ ବିରୋଧ କରିଥିଲେ। 

ଜଷ୍ଟିସ ନାଗରତ୍ନାଙ୍କ ମୁଖ୍ୟ ଆପତ୍ତି
ଜୁଲାଇ ୨୦୨୩ରେ ଜଷ୍ଟିସ ପଞ୍ଚୋଲି ଗୁଜରାଟ ହାଇକୋର୍ଟରୁ ପାଟନା ହାଇକୋର୍ଟକୁ ବଦଳି ହେବା ତାଙ୍କ ଆପତ୍ତିର କେନ୍ଦ୍ରବିନ୍ଦୁ, ଯାହାକୁ ସେ ନିୟମିତ ସ୍ଥାନାନ୍ତର ନୁହେଁ ବୋଲି ବର୍ଣ୍ଣନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମ୍‌କୋର୍ଟରେ ପଦୋନ୍ନତି ପାଇଁ ଯିବା ପୂର୍ବରୁ ସେହି ନିଷ୍ପତ୍ତିର ଗୋପନୀୟ ତଥ୍ୟ ଓ ବିବରଣୀ ମଗାଯିବା ସହ ଯାଞ୍ଚ କରିବାକୁ ସେ ଅନୁରୋଧ କରିଛନ୍ତି। ପ୍ରଥମତଃ ହାଇକୋର୍ଟ ବିଚାରପତିଙ୍କ ସର୍ବଭାରତୀୟ ବରିଷ୍ଠତା ତାଲିକାରେ ଜଷ୍ଟିସ୍ ପଞ୍ଚୋଲି ୫୭ତମ ସ୍ଥାନରେ ଥିବା ବେଳେ ହାଇକୋର୍ଟରେ ଅନେକ ମେଧାବୀ ଓ ବରିଷ୍ଠ ବିଚାରପତି ଅଛନ୍ତି। ଦ୍ବିତୀୟତଃ, ଗୁଜରାଟ ହାଇକୋର୍ଟର ବିଚାରପତି ପାର୍ଦିୱାଲା ଓ ଜଷ୍ଟିସ୍ ଏନ୍‌ଭି ଅଞ୍ଜାରିଆ ପୂର୍ବରୁ ସୁପ୍ରିମ୍‌କୋର୍ଟ ବେଞ୍ଚରେ ଥିବାରୁ ସେହି ହାଇକୋର୍ଟର ତୃତୀୟ ବିଚାରପତିଙ୍କୁ ଯୋଡ଼ିବା ଦ୍ୱାରା ଭୌଗୋଳିକ ଓ ଆନୁଷ୍ଠାନିକ ସନ୍ତୁଳନ ଖରାପ ହେବାର ଆଶଙ୍କା ରହିଛି। ଜଷ୍ଟିସ୍ ନାଗରତ୍ନା ମଧ୍ୟ ଦର୍ଶାଇଛନ୍ତି ଯେ ଯଦି ବର୍ତ୍ତମାନ ନିଯୁକ୍ତ ହୁଅନ୍ତି, ତେବେ ଜଷ୍ଟିସ୍ ପାଞ୍ଚୋଲି ଅକ୍ଟୋବର ୨୦୩୧ରୁ ମେ ୨୦୩୩ ପର୍ଯ୍ୟନ୍ତ ଭାରତର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ। ତାଙ୍କ ଆକଳନ ଅନୁଯାୟୀ, ଏହି ଫଳାଫଳ ଅନୁଷ୍ଠାନର ସର୍ବୋତ୍ତମ ସ୍ୱାର୍ଥ ପୂରଣ କରିବ ନାହିଁ। ପ୍ରକ୍ରିୟାର ସଚ୍ଚୋଟତା ଓ ସ୍ୱଚ୍ଛତା ବିଷୟରେ ସେ ତାଙ୍କ ଅସନ୍ତୋଷକୁ ସୁପ୍ରିମ୍‌କୋର୍ଟର ୱେବ୍‌ସାଇଟ୍‌ରେ ଅପଲୋଡ୍ କରିବାକୁ କହିଥିଲେ, ଯାହା କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe