ଜଷ୍ଟିସ ୟୁୟୁ ଲଳିତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ

ଜଷ୍ଟିସ ୟୁୟୁ ଲଳିତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ

Free Press Journal

ନୂଆଦିଲ୍ଲୀ : ଜଷ୍ଟିସ ଉଦୟ ଉମେଶ ଲଳିତ ସୁପ୍ରିମକୋର୍ଟର ୪୯ତମ ପ୍ରଧାନ ବିଚାରପତି ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଲଳିତଙ୍କ ନିଯୁକ୍ତିପତ୍ରରେ ମୋହର ମାରିଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମଣା ଆସନ୍ତା ୨୬ ତାରିଖରେ ଅବସର ନେବେ। ତାଙ୍କ ସ୍ଥାନରେ ଜଷ୍ଟିସ ଲଳିତ ନୂଆ ପ୍ରଧାନ ବିଚାରପତି ହେବେ। ଆସନ୍ତା ୨୭ ତାରିଖରେ ସେ ଶପଥପାଠ କରିବେ। ତେବେ ତାଙ୍କର କାର୍ଯ୍ୟକାଳ ସଂକ୍ଷିପ୍ତ ସମୟ ପାଇଁ ରହିବ। ଚଳିତବର୍ଷ ନଭେମ୍ବର ୮ ତାରିଖରେ ତାଙ୍କୁ ୬୫ ବର୍ଷ ପୂରଣ ହେବ ଏବଂ ସେହିଦିନ ସେ ଉକ୍ତ ପଦରୁ ଅବ୍ୟାହତି ନେବେ।

୧୯୫୯ ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ରର ସୋଲାପୁରରେ ବିଚାରପତି ୟୁୟୁ ଲଳିତ ଜନ୍ମ ହୋଇଥିଲେ। ୧୯୮୩ରେ ଜୁନରେ ଓକିଲାତି ଆରମ୍ଭ କରିଥିଲେ। ୧୯୮୬ ଜାନୁଆରିରୁ ସେ ସୁପ୍ରିମକୋର୍ଟରେ ଓକିଲାତି କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଭାବେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।

ବିଚାରପତି ୟୁୟୁ ଲଳିତ ଦେଶର ଦ୍ବିତୀୟ ପ୍ରଧାନ ବିଚାରପତି ଯିଏ କି ସିଧାସଳଖ ଓକିଲାତିରୁ ସୁପ୍ରିମକୋର୍ଟର ବିଚାରପତି ହୋଇଛନ୍ତି। ବିଚାରପତି ଲଳିତଙ୍କ ପୂର୍ବରୁ ସୁପ୍ରିମକୋର୍ଟର ତ୍ରୟୋଦଶ ପ୍ରଧାନ ବିଚାରପତି ଏସ୍‌ଏମ୍‌ ସିକ୍ରି ଆଇନଜୀବୀରୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ୧୯୬୪ ମସିହା ମାର୍ଚ୍ଚ ‌ମାସରେ ସେ ସୁପ୍ରିମକୋର୍ଟର ବିଚାରପତି ଏବଂ ୧୯୭୧ ଜାନୁଆରିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe