Image Courtesy of India Today
ନୂଆଦିଲ୍ଲୀ: ମୁକ୍ତିଲାଭ କରିବାକୁ ଯାଉଥିବା ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର ନିର୍ମାତ୍ରୀ ଲୀନା ମଣିମେକଲାଈ ଆଜି କହିଛନ୍ତି ଯେ, ଏବେ ସେ କେଉଁଠି ବି ନିରାପଦ ମଣୁନାହାନ୍ତି।
ଟୁଇଟ୍ କରି ସେ ଲେଖିଛନ୍ତି, ମନେହେଉଛି, ମତେ ‘ସେନ୍ସର୍’ କରିବା ଲାଗି ସମଗ୍ର ଦେଶ ବୃହତ୍ତମ ଗଣତନ୍ତ୍ରରୁ ନିମ୍ନଗାମୀ ହୋଇ ବୃହତ୍ତମ ଘୃଣାର ମେସିନ୍ରେ ପରିଣତ ହୋଇଯାଇଛି।
ସୂଚନାଯୋଗ୍ୟ, ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟର୍ ସାମାଜିକ ଗଣମାଧ୍ୟମରେ ରିଲିଜ୍ କରିବା ପରଠାରୁ ଲୀନା ତୀବ୍ର ସମାଲୋଚନାର ସରବ୍ୟ ହୋଇ ଆସୁଛନ୍ତି। ତାଙ୍କ ନାଁରେ କେତେଗୁଡ଼ିଏ ‘ଏଫ୍ଆଇଆର୍’ ମଧ୍ୟ ପଞ୍ଜିକୃତ ହୋଇଛି। ‘କାଳୀ’ର ପୋଷ୍ଟର୍କୁ କେନ୍ଦ୍ର କରି ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ବି ବାଦବିସମ୍ବାଦ ଚାଲିଛି।
Image Courtesy of Zee Newsଏ ଭଳି ପରିସ୍ଥିତିରେ ଆଜି ସକାଳେ ମଧ୍ୟ ଲୀନା ଆଉ ଗୋଟିଏ ବିବାଦୀୟ ଫଟୋ ଟୁଇଟ୍ କରିଛନ୍ତି। ଜଣେ ଭଗବାନ ଶିବ ଏବଂ ଆଉ ଜଣେ ହିନ୍ଦୁ ଦେବୀଙ୍କ ବେଶରେ ସଜ୍ଜିତ ହୋଇ ଦୁଇଜଣ ବ୍ୟକ୍ତି ଧୂମପାନ କରୁଥିବା ଦୃଶ୍ୟ ଉକ୍ତ ଫଟୋରେ ରହିଛି। ଏହାର ପରିଚୟୋକ୍ତିରେ ଲୀନା ଲେଖିଛନ୍ତି: ଅନ୍ୟ ଆଡ଼େ ମଧ୍ୟ…।
ଉଲ୍ଲେଖଯୋଗ୍ୟ, ଭାରତର ମଦୁରାଇରେ ଜନ୍ମିତା ଏବଂ ଟରଣ୍ଟୋରେ ବସବାସ କରୁଥିବା ଲୀନା ମଣିମେକଲାଈ ପ୍ରଥମେ ‘କାଳୀ’ ଚଳଚ୍ଚିତ୍ରର ଏକ ପୋଷ୍ଟର୍ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଥିଲେ। ସେଥିରେ ଜଣେ ନାରୀ ଦେବୀ କାଳୀଙ୍କ ପରି ବେଶଭୂଷା ହୋଇ ହାତରେ ‘ଏଲ୍ଜିବିଟିକ୍ବ୍ୟୁ’ ପତାକା ଧରି ସିଗାରେଟ୍ ଟାଣୁଥିବାର ଦୃଶ୍ୟ ରହିଛି। ଏହି ପୋଷ୍ଟ୍ ଭାଇରାଲ୍ ହେବା ପରେ ବିବାଦ ଆରମ୍ଭ ହୋଇଥିଲା।
Follow Us