ଲକ୍ଷ୍ନୌ: ଅଯୋଧ୍ୟାରେ ୧୯୯୨ ଡିସେମ୍ବର ୬ ତାରିଖରେ ରାମ ଜନ୍ମଭୂମି-ବାବରି ମସ୍ଜିଦର ବିବାଦୀୟ ନିର୍ମାଣ ଭଙ୍ଗାଯିବା ଅବସରରେ କରସେବକମାନଙ୍କ ଉପରକୁ ଗୁଳିକରିବାକୁ ଅନୁମତି ନଦେବା ନିଷ୍ପତ୍ତି ପାଇଁ ସେ ଗର୍ବିତ ବୋଲି ତତ୍କାଳୀନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଗୁରୁବାର କହିଛନ୍ତି। ଘଟଣାଦିନର ପରିବର୍ତ୍ତିତ ପରିସ୍ଥିତିରେ କରସେବକଙ୍କ ଉପରକୁ ପୁଲିସ ଗୁଳି ଚଳାଇବା ଉଚିତ ହୋଇଥାନ୍ତା କି ପ୍ରଶ୍ନର ଉତ୍ତର ରଖି ବିଜେପି ନେତା ଶ୍ରୀ ସିଂହ ଏପରି କହିଛନ୍ତି। ଅଯୋଧ୍ୟା ସ୍ଥିତ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ସ୍ଥଳରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦେଶବ୍ୟାପୀ ଅଭିଯାନ ଚାଲୁ ରହିଥିବା ବେଳେ ଘଟଣା ଦିନ ଅଯୋଧ୍ୟାରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଲକ୍ଷ ଲକ୍ଷ ସଂଖ୍ୟାରେ କରସେବକ ଆସି ଠୁଳ ହୋଇଥିଲେ।
ସେମାନେ ବିବାଦୀୟ ବାବରି ମସଜିଦ ନିର୍ମାଣ ଢାଞ୍ଚାଠାରୁ ରାମଜନ୍ମଭୂମି ସ୍ଥଳକୁ ସୁରକ୍ଷା ଦେବା ପାଇଁ ପ୍ରତିବାଦ ଜଣାଇଥିଲେ। ତେବେ ସେମାନଙ୍କ ଏହି ଆନ୍ଦୋଳନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ବିବାଦୀୟ ନିର୍ମାଣ ଢାଞ୍ଚା ମାଟିରେ ମିଶିଯାଇଥିଲା। ଏହି ଘଟଣା ପରେ ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସରକାରକୁ ବରଖାସ୍ତ କରାଯିବା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ତେବେ ଏହି ବାବରି ମସଜିଦ ଭଙ୍ଗ ହିଁ ସେଠାରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଫିଟାଇଥିଲା ବୋଲି ଏକ ସାକ୍ଷାତକାରରେ ୮୮ ବର୍ଷୀୟ ଶ୍ରୀ ସିଂହ କହିଛନ୍ତି। ଦୀର୍ଘ ୨୮ ବର୍ଷ ତଳର ସେହି ଘଚଣା ପାଇଁ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ସେ ସ୍ବୀକାର କରିବା ସହ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଦେଖି ସାରି ଶେଷ ନିଃଶ୍ବାସ ନେବାକୁ ଚାହିବେ ବୋଲି କହିଛନ୍ତି। ସେହିପରି ସେହି ପବିତ୍ର ଅଯୋଧ୍ୟା ସହରରେ ପୁଣି ଥରେ ଜନ୍ମ ନେବାକୁ ମଧ୍ୟ ସେ ଅଭିଳାଷ ପ୍ରକଟ କରିଛନ୍ତି।
Follow Us