ଚେନ୍ନାଇ: ପ୍ରଖ୍ୟାତ ତାମିଲ ଚିତ୍ରତାରକା କମଲ୍ ହାସନ ଆସନ୍ତା ୨୧ ତାରିଖରେ ନିଜ ରାଜନୈତିକ ଦଳ ଘୋଷଣା କରିବେ ବୋଲି ଜଣାଯାଇଛି। ତାହା ପୂର୍ବରୁ ଏହି ଲୋକପ୍ରିୟ କଳାକାର ଚେନ୍ନାଇ ଠାରେ ଅନ୍ୟତମ ସୁପରଷ୍ଟାର ରଜନୀକାନ୍ତଙ୍କୁ ତାଙ୍କ ପୋସ୍ ଗାର୍ଡନ ସ୍ଥିତ ବାସଭବନରେ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ତାମିଲ ସିନେମାର ଏହି ଦୁଇ ବିଶିଷ୍ଟ ତାରକାଙ୍କ ଏପରି ସାକ୍ଷାତରୁ ସେମାନଙ୍କ ମଧ୍ୟରେ ସମ୍ଭାବ୍ୟ ରାଜନୈତିକ ଗଠବନ୍ଧନ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅପରପକ୍ଷେ, ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କମଳା ହାସନ ସଫେଇ ଦେବା ସହ ତାହାକୁ କୌଣସି ରାଜନୈତିକ ରଙ୍ଗ ନଦେବାକୁ ଅନୁରୋଧ କରିଛନ୍ତି। ହାସନଙ୍କ କହିବା ଅନୁଯାୟୀ, ନିଜର ରାଜନୈତିକ ଯାତ୍ରା ଆରମ୍ଭ ପୂର୍ବରୁ ସେ ଶ୍ରଦ୍ଧା କରୁଥିବା ବ୍ୟକ୍ତିବିଶେଷଙ୍କୁ ଭେଟି ନିଜ ନିଷ୍ପତ୍ତି ସମ୍ପର୍କରେ କହିବାକୁ ସେ ଉଚିତ ମଣିଛନ୍ତି। ସେହି କ୍ରମରେ ବନ୍ଧୁତା ଦୃଷ୍ଟିରୁ ସେ ରଜନୀକାନ୍ତଙ୍କୁ ମଧ୍ୟ ଭେଟିଛନ୍ତି ବୋଲି ହାସନ କହିଛନ୍ତି। ସେହିପରି ଉଭୟଙ୍କର ଏହି ସାକ୍ଷାତ ପରେ ରଜନୀକାନ୍ତ ମଧ୍ୟ ହାସନଙ୍କର ଶୁଭକାମନା କରିଛନ୍ତି। ହାସନ ଆଉ ଅଧିକ ଯଶ କିମ୍ବା ଅର୍ଥ ପାଇଁ ରାଜନୀତି କରିବାକୁ ଯାଉନାହାନ୍ତି। ବରଂ ତାମିଲନାଡୁ ବାସୀଙ୍କ ହିତ ପାଇଁ ଏଭଳି ଉଦ୍ୟମ କରୁଥିବାରୁ ଈଶ୍ୱର ତାଙ୍କୁ ସହାୟ ହୁଅନ୍ତୁ ବୋଲି ରଜନୀକାନ୍ତ କାମନା କରିଛନ୍ତି। ଆସନ୍ତା ୨୧ ତାରିଖରେ ହାସନ ମଦୁରାଇ ଠାରେ ନିଜ ରାଜନୈତିକ ଦଳର ନାମ ଘୋଷଣା ସହ ଦଳୀୟ ପତାକା ମଧ୍ୟ ଉନ୍ମୋଚନ କରିବେ। ଏଥି ସହିତ ରାଜମନନ୍ତପୁରମ୍, ପରମକୁଡ଼ି ଏବଂ ମନମଦୁରାଇରେ ଜନସମାବେଶକୁ ମଧ୍ୟ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
କମଲ୍ ହାସନ ୨୧ରେ ଗଢ଼ିବେ ନିଜ ଦଳ, ରଜନୀକାନ୍ତଙ୍କୁ ଭେଟି ଆଲୋଚନା କଲେ
Advertisment
Follow Us