ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହାରିସ

Advertisment
ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହାରିସ

The Week

ୱାସିଂଟନ : ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ କମଳା ହାରିସ ଆଜି ଶପଥ ଗ୍ରହଣ କରିଛନ୍ତି । ୱାସିଂଟନ ଡିସିରେ ଆମରିକୀୟ ସଂସଦ ଭବନ କ୍ୟାପିଟଲରେ ଅନୁଷ୍ଠିତ ଭବ୍ୟ ସମାରୋହରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୋନିଆ ସୋଟୋମେୟର ହାରିସଙ୍କୁ ଶପଥ ପାଠ କରାଇଥିଲେ। କମଳା ତା‌ଙ୍କ ରାଜନୈତିକ ଜୀବନରେ ଅନେକ ‘ପ୍ରଥମ’ ଯୋଡ଼ି ପାରିଛନ୍ତି। ସେ ଆମେରିକାର ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ, ପ୍ରଥମ ଭାରତୀୟ-ଆମେରିକୀୟ ଏବଂ ପ୍ରଥମ ଏସୀୟ ଉପରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। କମଳା ହାରିସଙ୍କ ଭାରତ ସହ ସମ୍ପର୍କ ଏବେ ଉଭୟ ଭାରତ ଓ ଆମେରିକା ପାଇଁ ଅନେକ ଗୁରୁତ୍ବ ବହନ କରୁଛି। ୫୬ ବର୍ଷୀୟ କାଲିଫର୍ଣ୍ଣିଆ ସିନେଟର କମଳା ହାରିସ ଆମେରିକାର ଉପରାଷ୍ଟ୍ରପତି ହେବାରେ ପ୍ରଥମ ମହିଳା ଭାବେ ବିରଳ ସମ୍ମାନ ହାସଲ କରିଛନ୍ତି।

ମହିଳା ବାରାକ ଓବାମା: ଆଜିକୁ ଦଶବର୍ଷ ତଳେ ଆମେରିକାର ବରିଷ୍ଠ ସାମ୍ବାଦିକ ଗେୱେନ୍‌ ଆଇଫିଲ୍‌ କମଳା ହାରିସ୍‌ଙ୍କୁ ‘ମହିଳା ବାରାକ୍‌ ଓବାମା’ ବୋଲି ସମ୍ବୋଧନ କରିଥିଲେ। ସେହିଭଳି ଶିଳ୍ପପତି ଟୋନି ପିଣ୍ଟୋ କମଳା ହାରିସଙ୍କୁ ‘ରାଷ୍ଟ୍ରପତି ବାରାକ ଓବାମାଙ୍କ ଯୁବତୀ ରୂପ’ ଭାବେ ବର୍ଣ୍ଣନା କରିଥିଲେ। ତତ୍‌କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ କମଳା ହାରିସଙ୍କ ଅନେକ ସାମଞ୍ଜସ୍ୟ ଲକ୍ଷ୍ୟ କରି ଅନେକ କମଳାଙ୍କୁ ବାରାକ ଓବାମାଙ୍କ ମହିଳା ରୂପ ଭାବେ ସମ୍ବୋଧନ କରୁଥିଲେ। ୨୦୧୬ରେ ସିନେଟ୍‌ ନିର୍ବା‌ଚିତ ହେବା ପରେ କମଳା ହାରିସଙ୍କୁ ବାରାକ ଓବାମାଙ୍କ ଶ୍ରେଷ୍ଠ ପ୍ରତିନିଧି ଭାବେ ଗଣାଯାଉଥିଲା।

କମଳାଙ୍କ ଜୀବନରେ ମାଙ୍କ ଗଭୀର ପ୍ରଭାବ: କମଳାଙ୍କ ବାପା ଡୋନାଲ୍‌ଡ ହାରିସ ଜାମାଇକାର ନାଗରିକ ଥିବା ବେଳେ ମା’ ଶ୍ୟାମଳା ଗୋପାଳନ୍‌ ଜଣେ ଭାରତୀୟ ଥିଲେ। ଚେନ୍ନାଇ ଜନ୍ମିତ ଶ୍ୟାମଳା ୧୯ ବର୍ଷ ବୟସରେ ଭାରତ ଛାଡ଼ି ଆମେରିକା ଚାଲି ଆସିଥିଲେ ଏବଂ ନିଜକୁ ଜଣେ ଆମେରିକୀୟ ବୋଲି ଗର୍ବ କରୁଥିଲେ। ବୃତ୍ତିରେ ଶ୍ୟାମଳା ଜଣେ କ୍ୟାନ୍‌ସର ରୋଗ ବିଶେଷଜ୍ଞ ଡାକ୍ତର ଥିଲେ। କମଳାଙ୍କ ଏ ସଫଳତା ପଛରେ ମା’ଙ୍କର ଏକ ବଡ଼ ପ୍ରଭାବ ରହିଛି। ବାପା ଓ ମା’ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଯିବା ପରେ କମଳା ମା’ଙ୍କ ନିକଟରେ ରହୁଥିଲେ। ଦୁଇ ଝିଅ କମଳା ଏବଂ ମାୟାଙ୍କୁ ଖୁବ୍‌ ଯତ୍ନର ସହ ଶ୍ୟାମଳା ଛୋଟରୁ ବଡ଼ କରିଥିଲେ। କମଳା ନିଜ ପିତାଙ୍କ ଆଫ୍ରିକୀୟ-ଆମେରିକୀୟ ପରିଚୟକୁ ନେଇ ଗର୍ବ କରୁଥିଲା ବେଳେ ମା’ଙ୍କ ଭାରତୀୟ ପରମ୍ପରା, ସଂସ୍କୃତିକୁ ଛାଡ଼ି ପାରି ନଥିଲେ।

ଆଇନଜୀବୀରୁ ରାଜନୈତିକ ଯାତ୍ରା: କମଳା କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରି ଶେଷ କରି ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ୨୦୦୩ ବେଳକୁ ସେ ଜଣେ ପ୍ରମୁଖ ଆଇନଜୀବୀ ଭାବେ ପରିଚିତ ହୋଇସାରିଥିଲେ। ୨୦୧୦ରେ ସେ କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ହୋଇପାରିଥିଲେ। ୨୦୧୭ରେ ସେ ସିନେଟର ନିର୍ବାଚିତ ହୋଇଥିଲେ। କମଳା ହାରିସ ୨୦୧୪ରେ ଆଇନଜୀବୀ ଡୁଗଲ୍‌ସ ଏମ୍‌ହଫ୍‌ଙ୍କୁ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe