ମୁମ୍ବାଇ ଅଗ୍ନିକାଣ୍ଡ: ଜଳନ୍ତା କୋଠାରୁ ୧୨ ଜଣଙ୍କୁ ଉଦ୍ଧାର କରି ମୃତ୍ୟୁ ବରଣ କରିଥିବା ଦୁଇ ଭାଇ

Advertisment
ମୁମ୍ବାଇ ଅଗ୍ନିକାଣ୍ଡ: ଜଳନ୍ତା କୋଠାରୁ ୧୨ ଜଣଙ୍କୁ ଉଦ୍ଧାର କରି ମୃତ୍ୟୁ ବରଣ କରିଥିବା ଦୁଇ ଭାଇ

Image Courtesy of India Today

ମୁମ୍ବାଇ: କମଳା ମିଲ୍‌ସ୍‌ ପରିସରସ୍ଥ ‘ଓ୍ଵାନ୍‌ ଏବଭ୍‌’ ରେସ୍ତୋରାଁ ଅଗ୍ନିକାଣ୍ଡରୁ ୧୨ ଜଣଙ୍କୁ ଉଦ୍ଧାର କରିଥିବା ଦୁଇ ଭାଇ ନିଜକୁ ବଞ୍ଚାଇ ପାରି ନାହାନ୍ତି। ଆମେରିକାରେ ବସବାସ କରୁଥିବା ସେ ଦୁଇ ଭାଇ ବନ୍ଧୁ ପରିବାର ସହ ସେଠାକୁ ଡିନର୍‌ ଖାଇବା ପାଇଁ ଯାଇଥିଲେ।

ସେମାନେ ହେଲେ ୨୬ ବର୍ଷିୟ ଧୈର୍ଯ୍ୟ ଏବଂ ୨୨ ବର୍ଷିୟ ବିଶ୍ୱ ଲଲାନୀ। ନିଜ ପରିବାରର ସଦସ୍ୟ ଏବଂ ସମ୍ପର୍କୀୟମାନଙ୍କ ସହ ସେମାନେ ସେଠାକୁ ଯାଇଥିଲେ। ଧୈର୍ଯ୍ୟ ଜଣେ ଇଞ୍ଜିନିୟର୍‌ ଏବଂ ବିଶ୍ୱ ନିକଟରେ ସ୍ନାତକ ହାସଲ କରିଥିଲେ। ପିଉସୀ ଭାରତୀ ଦୋଶୀଙ୍କ ସହ ସେମାନେ ଆମେରିକାରେ ବସବାସ କରୁଥିଲେ।

ସେମାନଙ୍କ ପିତାମାତା ମୁମ୍ବାଇର ମାତୁଙ୍ଗା ଅଞ୍ଚଳରେ କ୍ୟାଟେରିଙ୍ଗ୍‌ ବ୍ୟବସାୟ କରନ୍ତି। ନିଅାଁରୁ ସେମାନଙ୍କର ଆଉ ଜଣେ ମାଉସୀ ପ୍ରମିଳା କେନିଆଙ୍କୁ ଉଦ୍ଧାର କରିବାକୁ ଯାଇ ଦୁହେଁ ଜୀବନ ହରାଇଥିଲେ। ୭୦ ବର୍ଷୀୟ କେନିଆ ମଧ୍ୟ ଜୀବନ ହରାଇଛନ୍ତି।

ନିଅାଁରୁ ଉଦ୍ଧାର ପାଇଯାଇଥିବା ପିଉସୀ ଦୋଶୀ କହନ୍ତି, ବହୁ ବର୍ଷ ହେବାରୁ ପିଲା ଦୁହେଁ ମୋ ପାଖରେ ଆମେରିକାରେ ରହୁଥିବାରୁ ସେମାନେ ଏଠାରେ ସେମାନଙ୍କ ବନ୍ଧୁବାନ୍ଧବମାନଙ୍କ ସହ ପରିଚୟ କରାଇ ଦେବାକୁ ମତେ ନେଇଥିଲେ। ତେଣୁ ଆମେ ଡିନର୍‌ ଖାଇବାକୁ ଯିବାକୁ ସ୍ଥିର କରିଥିଲୁ।

ସେତେବେଳ କିଛି ଭାବିବାକୁ ବେଳ ନ ଥିଲା। ନିଅାଁ ଏଡ଼େ ଯୋର୍‌ରେ ଚରିଲା ଯେ ସଭିଏଁ ଚିତ୍କାର କରି ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରୁଥିଲେ। ଧୈର୍ଯ୍ୟ ଏବଂ ବିଶ୍ୱ ମଧ୍ୟ ବାହାରି ଆସିଥିଲେ, କିନ୍ତୁ, ମାଉସୀ ପ୍ରମିଳା ଆସି ପାରି ନ ଥିବାରୁ ତାଙ୍କୁ ଖୋଜିବାକୁ ସେମାନେ ପୁଣି ଭିତରକୁ ଯାଇଥିଲେ।

ସଫ୍‌ଟେଓ୍ଵର୍‌ ଇଞ୍ଜିନିୟର୍‌ ଧୈର୍ଯ୍ୟ ଦୁଇ ମାସ ଛୁଟି ନେଇ ଆସିଥିଲା। ଆସନ୍ତା ମାସରେ ଆମେରିକା ଯାଇ ପୁଣି ନୂଆ ଚାକିରିରେ ଯୋଗ ଦେଇ ଥାଆନ୍ତା। ତିନି ବର୍ଷ ପରେ ସେ ମୁମ୍ବାଇ ଆସିଥିଲା। ଦୁଇ ଭାଇ ପ୍ରାୟ ୧୨ ଜଣ ଲୋକଙ୍କୁ ନିଅାଁ ମଧ୍ୟରୁ ଉଦ୍ଧାର କରିଥିଲେ, କିନ୍ତୁ ନିଜକ ରକ୍ଷା କରି ପାରିଲେ ନାହିଁ। ବିଶ୍ୱ ଏବେ ଆମେରିକାରୁ ଫେରି ବାପାଙ୍କ କ୍ୟାଟେରିଙ୍ଗ୍‌ ବ୍ୟବସାୟରେ ଯୋଗ ଦେଇଥିଲା।

ସମ୍ପର୍କୀୟା ନିଶା ଲଲାନୀ କହନ୍ତି: ନିଅାଁଗୋଳ କଥା ଶୁଣି ସେମାନଙ୍କର ବାପା ମାଆ କମଳା ମିଲ୍‌ସ୍‌ରେ ପହଞ୍ଚିଥିଲେ। ପ୍ରମିଳା ଏବଂ ବିଶ୍ୱଙ୍କର ଶବ ବାହାରକୁ ଅଣା ଯାଉଥିବାର ସେମାନେ ଦେଖିଲେ। ସେମାନେ କେଇଏମ୍‌ ହସ୍‌ପିଟାଲ୍‌ରେ ପହଞ୍ଚି ଦେଖିଲେ ଧୈର୍ଯ୍ୟର ଶବ।

publive-image Image Courtesy of TOI

ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ସବୁଠୁ ବୟସ୍କ ପୀଡ଼ିତା ହେଉଛନ୍ତି ପ୍ରମିଳା। ତାଙ୍କର ପୁଅ-ବୋହୂ ଓ ଝିଅ-ଜ୍ୱାଇଁ ଅଛନ୍ତି। ତାଙ୍କ ସ୍ୱାମୀ ଲକ୍ଷ୍ମୀଚାନ୍ଦ କେନିଆ କହନ୍ତି: ଆମେ ଆଘାତପ୍ରାପ୍ତ ଅବସ୍ଥାରେ ଅଛୁ, କିନ୍ତୁ ଘଟି ଯାଇଥିବା କଥାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ। ପିଲାଏ ସହର ବାହାରକୁ ଯାଇଥିଲେ। ଆମେ ତାଙ୍କ ଫେରିବା ବାଟକୁ ଚାହିଁ ବସିଥିଲୁ।

ଅନ୍ୟାନ୍ୟ ବନ୍ଧୁବର୍ଗ କହନ୍ତି ସେ ପରିବାର ବହୁ ଜନହିତକର କାମ କରନ୍ତି।

ଭଉଣୀ ପ୍ରମିଳାକୁ ମନେପକାଇ ଦୋଶୀ କହନ୍ତି: ମୋ ଭଉଣୀ ସେ ଭଳି ଜାଗାକୁ କେବେ ଡିନର୍‌ ଖାଇବାକୁ ଯାଏ ନାହିଁ। ଆମେ ଜିଗର ଲଗାଇ ତାକୁ ନେଇ ଯାଇଥିଲୁ। ଆମେ ଉଚ୍ଛନ୍ନ ହେଇଗଲୁ। ଆଜି ପୂର୍ବାହ୍ନରେ ତା’ର ଶବସତ୍କାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe