Image Courtesy of New Indian Express
ନୂଆଦିଲ୍ଲୀ : କନ୍ଧମାଳ ଦଙ୍ଗା ପ୍ରଭାବିତ ପୀଡ଼ିତଙ୍କୁ ଅତିରିକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ମାମଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଜାତୀୟ ମାନବ ଅଧିକାର ଆୟୋଗ(ଏନ୍ଏଚଆରସି)ଙ୍କ ରିପୋର୍ଟ ଦାଖଲ କରାଯାଇଛି। ଏହି ମାମଲାର ଶୁଣାଣି ବିଚାରପତି ଉମେଶ ଲଳିତ, ବିଚାରପତି ହେମନ୍ତ ଗୁପ୍ତା ଓ ବିଚାରପତି ରବୀନ୍ଦ୍ର ଭଟ୍ଟଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ତିନି ସପ୍ତାହ ଘୁଞ୍ଚାଇ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୦୭ କନ୍ଧମାଳ ଦଙ୍ଗା ପୀଡ଼ିତଙ୍କୁ ଅତିରିକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ଦାବି କରି ଆର୍ଚବିଶପ୍ ଜନ୍ ବରୁଆଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ଦାୟର କରାଯାଇଥିଲା। ସୁପ୍ରିମକୋର୍ଟ ୨୦୧୬ରେ କନ୍ଧମାଳ ଦଙ୍ଗାରେ ଅତିରିକ୍ତ କ୍ଷତିପୂରଣ ପ୍ରଦାନ ନେଇ ରାୟ ପ୍ରକାଶ କରିଥିଲେ। ରାୟରେ ୨୦୦୮ କନ୍ଧମାଳ ଦଙ୍ଗା ପୀଡ଼ିତଙ୍କୁ କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୨୦୦୭ ଦଙ୍ଗା ପୀଡ଼ିତ କ୍ଷତିପୂରଣ ପାଇବାରୁ ବାଦ୍ ପଡିଥିବା ଜନ୍ ବରୁଆ ପିଟିସନ୍ରେ ଦର୍ଶାଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଏନ୍ଏଚଆରସିର ରିପୋର୍ଟ ଆଧାରରେ ୨୦୦୮ର ଦଙ୍ଗା ପୀଡ଼ିତଙ୍କୁ କ୍ଷତିପୂରଣ ଦିଆଯାଇଥିବା ନେଇ କୋର୍ଟରେ ସ୍ପଷ୍ଟୀକରଣ ଦିଆଯାଇଥିଲା। ଏହାପରେ ସୁପ୍ରିମକୋର୍ଟ ଏନ୍ଏଚଆରସିର ରିପୋର୍ଟ ଦାଖଲ ପାଇଁ ଗତ ନଭେମ୍ବର ୨୦୨୦ରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Follow Us