କାନପୁର ଏନ୍‌କାଉଣ୍ଟର: ୨୦୦ ପୁଲିସଙ୍କୁ ଜେରା,ପତ୍ନୀ ଏବଂ ଘରୋଇ ସହାୟକ ଗିରଫ

Advertisment

୧୦ ପୁଲିସ ନିଲମ୍ବିତ, ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ

୧୦ ପୁଲିସ ନିଲମ୍ବିତ, ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ

କୁଖ୍ୟାତ ଅପରାଧୀ ବିକାଶ ଦୁବେ ଏବେ ବି ପୁଲିସ ପାଇଁ ଅପହଞ୍ଚ

New Indian Express

କାନପୁର : କାନପୁର ଜିଲ୍ଲାର ବିକ୍‌ରୁ ଗ୍ରାମରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ୮ ଜଣ ପୁଲିସ କର୍ମୀଙ୍କୁ ବର୍ବର ହତ୍ୟା ଘଟଣାଏବେ ଜାତୀୟସ୍ତରରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଏବଂ ତା’ର ସହଯୋଗୀମାନଙ୍କ ଆକ୍ରମଣ‌ରେ ୮ ପୁଲିସ କର୍ମୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ତେବେ ଏହି ମାମଲାର ତଦନ୍ତ ହେବାପରେ ଅନେକ ରହସ୍ୟର ପର୍ଦ୍ଦାଫାସ ହେଉଛି। ଉକ୍ତ ଘଟଣାରେ ଯୋଗୀ ସରକାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପୁଣି ୩ ଜଣ ଗିରଫ‌ ହୋଇଛନ୍ତି। ଦୁବେର ପତ୍ନୀ ଏବଂ ଘରୋଇ ସହାୟକ ସମେତ ସମୁଦାୟ ୩ ଜଣ ଗିରଫ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଦୁବେର ପତ୍ନୀ ଏବଂ ଘରୋଇ ସହାୟକ ରେଖା ଏବଂ ଅନ୍ୟ ଜଣେ ପଡ଼ୋଶୀ ପୁଲିସ ଏନ୍‌କାଉଣ୍ଟର ସମୟରେ ପୁଲିସର ସ୍ଥିତି ସମ୍ପର୍କରେ ଗ୍ୟାଙ୍ଗଷ୍ଟର ଏବଂ ତା’ ଲୋକମାନଙ୍କୁ ସୂଚନା ଦେଉଥିଲେ। ସେମାନେ ମୋବାଇଲ୍‌ରେ ସିସିଟିଭି ସଂଯୋଗ ଦ୍ବାରା ଘଟଣାର ଲାଇଭ୍‌ ଦେଖୁଥିଲେ। ଏଥିପାଇଁ ସେମାନଙ୍କୁ ଗିରଫ କରାଯାଇଛି। ଦୁବେ ଏବଂ ତା’ର ପାଖାପାଖି ୧୦୦ ସହଯୋଗୀ ଏନ୍‌କାଉଣ୍ଟର ସମୟରେ ଚିତ୍କାର କରି କହୁଥିଲେ, କାହାକୁ ଛାଡ଼ନି ସମସ୍ତଙ୍କୁ ମାରିଦିଅ।

ଅନ୍ୟପକ୍ଷେ ସମ୍ପୃକ୍ତ ଘଟଣାରେ ଅଧିକରୁ ଅଧିକ ପୁଲିସଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିବାରୁ ତଦନ୍ତ ପ୍ରକ୍ରିୟାକୁ ଏହି ଦିଗରୁ ମଧ୍ୟ ତ୍ବରାନ୍ବିତ କରାଯାଇଛି।‌ ଚୌବେପୁର ଏବଂ ନିକଟସ୍ଥ ଅନ୍ୟ ପୁଲିସ ଷ୍ଟେସନ୍‌ଗୁଡ଼ିକର ପୁଲିସ ଏବେ ତଦନ୍ତ ରାଡାରରେ ଅଛନ୍ତି। କାନପୁର ଏନ୍‌କାଉଣ୍ଟର ଘଟଣାରେ ସମ୍ପୃକ୍ତି ଥିବା ନେଇ ୧୦ ପୁଲିସ କର୍ମୀ ନିଲମ୍ବିତ ହୋଇଛନ୍ତି। ୨୦୦ରୁ ଅଧିକ ପୁଲିସଙ୍କର ଗ୍ୟାଙ୍ଗଷ୍ଟର୍‌ ସହ ସମ୍ପୃକ୍ତି ଥିବା ନେଇ ସେମାନେ ତଦନ୍ତ ପରିସରରେ ରହିଛନ୍ତି। ଚୌବେପୁର, ବିଲାହୁର, କକ୍‌ୱାନ୍‌ ଏବଂ ଶିବରାଜପୁର ଥାନାର ୨୦୦ରୁ ଅଧିକ ପୁଲିସ ଏବେ ରାଡାର୍‌ରେ ଅଛନ୍ତି। ଏମାନଙ୍କ କଲ୍‌ ରେକର୍ଡ‌୍‌କୁ ଭଲଭାବେ ତଦନ୍ତ କରାଯାଉଛି। ଇନ୍ସ‌ପେକ୍ଟର କେକେ ଶର୍ମା କହିଛନ୍ତି, ଜୁଲାଇ ୨ରେ ଦୁବେ ଫୋନ୍‌ କରି ତାଙ୍କୁ ଧମକ ଦେଇଥିଲା। ସେ କହିଥିଲା ଯଦି ମାମଲାକୁ ଅଧିକ ଟଣାଯାଏ ତେବେ ବିକ୍‌ରୁ ଗ୍ରାମରେ ଅନେକ ଲୋକ ମରିବେ। ବିକାଶ ଦୁବେ ନିଜର ଧମକ ଏଭଳି କାର୍ଯ୍ୟକାରୀ କରିବ ବୋଲି ସେ ଆଶା କରିନଥିଲେ। ଅନ୍ୟପକ୍ଷେ ବିକାଶ ଦୁ‌ବେର ୨୦୧୭ ମସିହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଭିଡିଓଟିରେ ସେ କହିଛି , ସେ କିଛି ବିଧାୟକ ଏବଂ ସ୍ଥାନୀୟ ନେତାଙ୍କର ଅତି ନିକଟତର। ଦୁଇ ଜଣ ବିଜେପି ବିଧାୟକ ଭଗୱତି ସାଗର ଏବଂ ଅଭିଜିତ ସାଙ୍ଗା ଏବଂ ଜିଲ୍ଲା ପଞ୍ଚାୟତ ମୁଖ୍ୟ ସହ ଦୁବେର ଘନିଷ୍ଠ ସମ୍ପୃକ୍ତି ଥିଲା ବୋଲି ସେ ଦାବି କରିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଉଭୟ ସାଗର ଏବଂ ସାଙ୍ଗ ତାଙ୍କୁ ପୂର୍ବରୁ ବିଭିନ୍ନ ପୁଲିସ କାର୍ଯ୍ୟାନୁଷ୍ଠାନ ସମୟରେ ସହଯୋଗ କରିଥିବା ଦୁବେ କହିଛି। କିନ୍ତୁ ଏହି ୨ ବିଜେପି ବିଧାୟକଙ୍କ ଦୁବେ ସହ କିଛି ସମ୍ପୃକ୍ତି ଥିବା କଥାକୁ ସେମାନେ ପ୍ରତ୍ୟାଖ୍ୟାନ କରିଛନ୍ତି।

ବିବାଦ ପଛରେ ୬ ଏକର ଜମି
ବିକ୍‌ରୁ ଗ୍ରାମ ପଂଚାୟତର ୬ ଏକର ଜମି ଯେ କୌଣସି ପ୍ରକାରେ ହାସଲ କରିବା ପାଇଁ ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେ ଚାହୁଥିଲା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସେ ତା’ର ଗୁଣ୍ଡା ବାହିନୀକୁ ଲଗାଇ ଦେଇଥିଲେ। ବିକ୍‌ରୁ ନିକଟସ୍ଥ ମୋହିନୀ ନିବାଦା ଗ୍ରାମରେ ଏହି ଜମି ରହିଛି ଏବଂ ବିକାଶ ଏହି ଜମି ତା’ର ଭଉଣୀକୁ ଦେବାକୁ ଚାହୁଥିଲା। ତେବେ ଏହି ଜମି ଉପରେ ମାଲିକାନା ଦାବି କରୁଥିବା ରାହୁଲ ତିୱାରୀ ଏହାର ଜୋର୍‌ଦାର ବିରୋଧ କରିବାରୁ ଏହାକୁ ନେଇ ବିବାଦ ବଢ଼ିଥିଲା ଏବଂ ମାମଲା ଥାନାକୁ ଯାଇଥିଲା। ଏନ୍‌କାଉଣ୍ଟରର ଦୁଇ ଦିନ ପୂର୍ବରୁ ସ୍ଥାନୀୟ ଥାନା ଅଧିକାରୀ ବିକ୍‌ରୁ ଗ୍ରାମକୁ ଯାଇ ଏ ବାବଦରେ ବିକାଶକୁ ଜେରା କରିଥିଲା।

ଦୁବେକୁ ଧରିବା ପାଇଁ ୪୦ ପୁଲିସ ଟିମ୍‌
କାନ୍‌ପୁର ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ଧରିବା ପାଇଁ ଉତ୍ତରପ୍ରଦେଶ ପୁଲିସ ବିଶାଳ ଅଭଯାନ ଚଳାଇଛି। ବିକାଶ ସଂପର୍କରେ ଖବର ଦେଲେ ଅଢ଼େଇ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏହା ସହିତ ୪୦ଟି ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ବିକାଶ ଦୁବେ ବିରୋଧରେ ଧାରା ୧୯୨, ୨୨୦, ୧୪୭, ୧୪୮, ୧୪୯, ୩୦୨, ୩୦୭ ଓ ୩୯୪ ଲଗାଯାଇ ମକଦ୍ଦମା ରୁଜୁ ହୋଇଛି। ବିକାଶର ଘନିଷ୍ଠ ସହଯୋଗୀ ଦୟାଶଙ୍କରକୁ ଜେରାରୁ ମିଳିଥିବା ତଥ୍ୟ ଆଧାରରେ ଚୌବେପୁର ଥାନାର ୩ ଜଣ ପୁଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି।

୧୪ ବର୍ଷର ଅପରାଧ ସାମ୍ରାଜ୍ୟ
କାନପୁର ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ତା’ର ଅପରାଧ ସାମ୍ରାଜ୍ୟକୁ ଦୀର୍ଘ ୧୪ ବର୍ଷ ଧରି ଚଳାଇ ଆସିଥିଲା। ପୁଲିସ ପ୍ରଶାସନ ଓ ରାଜନେତାଙ୍କ ସହିତ ତାଳମେଳ ରଖି ଦୁବେ ତା’ର ଅପରାଧ ନେଟ୍‌ୱର୍କ ବଢ଼ାଇ ଚାଲିଥିବା ବେଳେ ଶତାଧିକ ଯୁବକଙ୍କୁ ଏଥିରେ ସାମିଲ କରିଥିଲା। ୨୦୦୬ ଜୁନ୍‌ରେ ଦୁବେକୁ ପୁଲିସ ଗିରଫ କରିଥିଲେ ମଧ୍ୟ ସେ ଆଇନର ଫାଙ୍କ ଦେଇ ଖସି ଆସିବାକୁ ସକ୍ଷମ ହୋଇଥିଲା। ସେତେବେଳକୁ ତା’ ନାମରେ ୩୦ରୁ ଅଧିକ ମାମଲା ରହିଥିଲା। ତେବେ ପ୍ରାୟ ୧୦ଟି ହତ୍ୟା ମାମଲାର ଅଭିଯୁକ୍ତ ଦୁବେକୁ ଗିରଫ କରିବା ପାଇଁ ପୁଲିସ ଯଥୋଚିତ ପ୍ରୟାସ କାହିଁକି କରିନଥିଲା ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe