Kanpur Accident Photograph: (sambad.in)
କାନପୁର: କାନପୁରର ହାଇପ୍ରୋଫାଇଲ ଲାମ୍ବୋର୍ଗିନି ଦୁର୍ଘଟଣା ଘଟଣାରେ ପୁଲିସ ଗୁରୁବାର ଟବାକୋ ଟାଇକୁନ୍ କେକେ ମିଶ୍ରାଙ୍କ ପୁଅ ଶିବମ୍ ମିଶ୍ରାଙ୍କୁ ଗିରଫ କରିଛି। ଟବାକୋ ଟାଇକୁନ୍ଙ୍କ ପକ୍ଷରୁ ଗିରଫଦାରୀରୁ ପୁଅକୁ ବଞ୍ଚାଇବାକୁ କରାଯାଇଥିବା ସମସ୍ତ ପ୍ରକାରର ପ୍ରଚେଷ୍ଟା ବିଫଳ ହୋଇଛି। ଫେବ୍ରୁଆରି ୮ ତାରିଖ ଅପରାହ୍ଣ ୩ଟାରେ ୧୦ କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ଇଟାଲୀୟ ସ୍ପୋର୍ଟସ୍ କାର୍ ଲାମ୍ବୋର୍ଗିନି ରେଭ୍ୟୁଏଲ୍ଟୋ ରାସ୍ତାରେ ଯାଉଥିବା ଲୋକ ଏବଂ ଅନ୍ୟ ଗାଡ଼ି ଉପରେ ମାଡ଼ି ଯାଇଥିଲା। କାନପୁରର ଗ୍ୱାଲଟୋଲି ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଛଅ ଜଣ ଆହତ ହୋଇଥିଲେ ଏବଂ ବହୁ ଯାନବାହନ କ୍ଷତିଗ୍ରସ୍ତ ହୋଇଥିଲା। ଗିରଫଦାରୀ ପରେ ୩୫ ବର୍ଷୀୟ ଶିବମ୍ଙ୍କୁ କାନପୁର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ପୁଲିସ ରିମାଣ୍ଡରେ ପଠାଇ ଦେଇଛି। ତଦନ୍ତରେ ଅସହଯୋଗ ଏବଂ ପୁଲିସକୁ ଚକମା ଦେବା ପାଇଁ ଶିବମଙ୍କୁ ଗିରଫ କରାଯାଇଥିଲା।
ମାମଲା ନେଇଥିଲା ନାଟକୀୟ ମୋଡ଼
ଅନ୍ୟପକ୍ଷରେ ବୁଧବାର ମାମଲା ନାଟକୀୟ ମୋଡ଼ ନେଇଥିଲା। ମୋହନ ନାମକ ଜଣେ ବ୍ୟକ୍ତି ନିଜକୁ ଲାମ୍ବୋର୍ଗିନି ଗାଡ଼ିର ଡ୍ରାଇଭର ଭାବେ ପରିଚୟ ଦେବା ସହିତ ଦୁର୍ଘଟଣା ସମୟରେ ସେ ଗାଡ଼ି ଚଳାଉଥିଲେ ବୋଲି ଦାବି କରିଥିଲେ। ମୋହନ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ଗ୍ବାଲଟୋଲି ପୁଲିସ ମୋହନଙ୍କ ନାଁ ଅଭିଯୁକ୍ତ ଭାବେ ଦର୍ଶାଇନଥିବାରୁ କୋର୍ଟ ତାଙ୍କ ଆତ୍ମସମର୍ପଣକୁ ଗ୍ରହଣ କରିନଥିଲେ। ସ୍ଥାନୀୟ ପୁଲିସ ଷ୍ଟେସନରୁ ସବିଶେଷ ବିବରଣୀ ମାଗିଥିଲେ।
ମୋହନଙ୍କ ଦାବି ସତ୍ତ୍ବେ ପୁଲିସ ସାକ୍ଷ୍ୟ ପ୍ରମାଣ ଶିବମ୍ଙ୍କୁ ଦୋଷୀ ଭାବେ ଦର୍ଶାଇଥିଲା। ପୁଲିସ କମିସନର୍ ରଘୁବୀର ଲାଲ କହିଛନ୍ତି, ସିସିଟିଭି ଫୁଟେଜ୍, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ତଥା ଅନ୍ୟ ସୂତ୍ରରୁ ଶିବମ୍ ଦୁର୍ଘଟଣା ସମୟରେ ଗାଡ଼ି ଚଳାଉଥିବା ସ୍ପଷ୍ଟ ହୋଇଥିଲା। ଶିବମ୍ଙ୍କ ନାଁରେ ଅଭିଯୋଗ କରିଥିବା ତୌଫିକ୍ ମଧ୍ୟ ଅଭିଯୁକ୍ତଙ୍କ ସହିତ ଅପୋଷ ବୁଝାମଣା କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଚାହୁଁ ନଥିଲେ। ପରିବାର ପକ୍ଷରୁ କୁହାଯାଇଥିଲା ଯେ ଶିବମ୍ ସ୍ନାୟୁଗତ ରୋଗରେ ପୀଡିତ ଏବଂ ଦିଲ୍ଲୀରେ ତାଙ୍କର ଚିକିତ୍ସା ଚାଲିଛି। ଦ୍ରୁତ ଗତିରେ ଗାଡି ଚାଳନା କିମ୍ବା ମଦ୍ୟପାନ ଅଭିଯୋଗକୁ ପରିବାର ପକ୍ଷରୁ ଅସ୍ୱୀକାର କରାଯାଇଥିଲା। ପୁଲିସ ସମସ୍ତ ଦାବିକୁ ଖାରଜ କରିଦେଇଥିଲା।
Follow Us