Image Courtesy of NDTV
କାନପୁର: ଭୋଟ୍ ବୁଥ୍ ଭିତରେ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଆଜି କାନ୍ପୁର୍ ମେୟର୍ ପ୍ରମିଳା ପାଣ୍ଡେ ବିବାଦ ସୃଷ୍ଟି କରିଛନ୍ତି। ଆଜି ଉତ୍ତର ପ୍ରଦେଶ ବିଧାନସଭାର ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଭୋଟ୍ ଦେବା ବେଳେ ସେ ଉଠାଇଥିବା ‘ଇଲେକ୍ଟ୍ରୋନିକ୍ ଭୋଟିଙ୍ଗ୍ ମେସିନ୍’ର ଫଟୋ ମଧ୍ୟ ସେୟାର୍ କରିଥିଲେ।
ପାଣ୍ଡେ କାନପୁରସ୍ଥିତ ହଡ୍ସନ୍ ସ୍କୁଲ୍ରେ ହୋଇଥିବା ବୁଥ୍ରେ ଭୋଟ୍ ଦେଇଥିଲେ। ଭୋଟ୍ ଦେଉଥିବା ବେଳର ଭିଡିଓ ଉତ୍ତୋଳନ କରି ସେ କେତେଗୁଡ଼ିଏ ହ୍ବାଟ୍ସ୍ଆପ୍ ଗ୍ରୁପ୍ରେ ସେୟାର୍ କରିଥିଲେ।
UP Voters Image Courtesy of India Todayଏ ସଂକ୍ରାନ୍ତରେ ଅବଗତ ହେବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଟୁଇଟ୍ କରି ଜିଲ୍ଲା ମାଜିଷ୍ଟ୍ରେଟ୍ ଲେଖିଛନ୍ତି, ହଡ୍ସନ୍ ସ୍କୁଲ୍ ଭୋଟ୍ ଦାନ କେନ୍ଦ୍ରରେ ଭୋଟ୍ଦାନ ଗୋପନୀୟତା ଉଲ୍ଲଂଘନ କରିଥିବାରୁ ଆଇନ ଅନୁସାରେ ପ୍ରମିଳା ପାଣ୍ଡେଙ୍କ ନାଁରେ ‘ଏଫ୍ଆଇଆର୍’ ଦାଏର କରାଯାଇଛି।
ସୂଚନାଯୋଗ୍ୟ, ଆଜି ତୃତୀୟ ପର୍ଯ୍ୟାୟ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ୧୬ଟି ଜିଲ୍ଲାରେ ଥିବା ୫୯ଟି ବିଧାନସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଛି। ସେଠାରେ ସମୁଦାୟ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାଯିବ ବୋଲି ନିର୍ବାଚନ କମିସନ ସ୍ଥିର କରିଛନ୍ତି।
ଆଜି ଭୋଟ୍ ଗ୍ରହଣ ହେଉଥିବା ଆସନ ପାଇଁ ୬୨୭ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଏବଂ ୨.୧୫ କୋଟି ଜନତା ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।
Follow Us