କପିଳ ଦେବଙ୍କୁ ହୃଦ୍‌ଘାତ

ଖେଳାଳି ଆଇପିଏଲ୍‌ ଅପେକ୍ଷା ଦେଶକୁ ଅଗ୍ରାଧିକାର ଦେବା ଆବଶ୍ୟକ: କପିଳ ଦେବ

Republic World

ନୂଆଦିଲ୍ଲୀ : କିଂବଦନ୍ତି ଭାରତୀୟ କ୍ରିକେଟର୍‌ ତଥା ଦେଶର ପ୍ରଥମ ବିଶ୍ବକପ୍‌ ବିଜେତା ଅଧିନାୟକ କପିଳ ଦେବଙ୍କୁ ହୃଦ୍‌ଘାତ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନୂଆଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ବର୍ତମାନ କପିଳ ଆଇସିୟୁରେ ଡାକ୍ତର ଅତୁଲ ମାଥୁରଙ୍କ ତତ୍ବାବଧାନରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଦିନେ ଦୁଇ ଦିନ ମଧ୍ୟରେ ସେ ଡାକ୍ତରଖାନାରୁ ମୁକ୍ତ ହେବା ଆଶା କରାଯାଉଛି ବୋଲି ଏକ ସ୍ବାସ୍ଥ୍ୟ ବୁଲେଟିନ୍‌ର କୁହାଯାଇଛି।

କ୍ରିକେଟ୍‌ ଦୁନିଆରୁ ଅବସର ନେବା ପରଠାରୁ ୬୧ ବର୍ଷୀୟ କପିଳ ଗଲ୍‌ଫ ଖେଳିବା ସହ ସାମାଜିକ ଜୀବନରେ ବେଶ ସକ୍ରିୟ ରହିଥିଲେ। କୋଭିଡ୍‌-୧୯ ମହାମାରୀ କାରଣରୁ କିନ୍ତୁ ତାଙ୍କ କାର୍ଯ୍ୟକଳାପ ସୀମିତ ରହିଯାଇଥିଲା। 'ସେ ଏବେ ସୁସ୍ଥ ଅନୁଭବ କରୁଛନ୍ତି। ମୁଁ ତାଙ୍କ ପତ୍ନୀ (ରୋମି) ସହ ଏବେ କଥା ହୋଇଛି। ଗୁରୁବାର କପିଳ ଛାତିରେ ଯନ୍ତ୍ରଣା ସହ ଅସହଜ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।' ବୋଲି ପ୍ରକାଶ କରିଛନ୍ତି ପୂର୍ବତନ ଟେଷ୍ଟ୍ କ୍ରିକେଟର୍‌ ତଥା ଭାରତୀୟ କ୍ରିକେଟ୍‌ର୍ସ ସଂଘ ସଭାପତି ଅଶୋକ ମାଲହୋତ୍ରା। କପିଳ ଦେବଙ୍କ ଅସୁସ୍ଥତା ଖବର ପ୍ରସାରିତ ହେବା ପରେ କ୍ରିକେଟ୍‌ ଦୁନିଆରୁ ଅଜସ୍ର 'ଶୀଘ୍ର ଅରୋଗ୍ୟ କାମନା' ବାର୍ତା ପ୍ରଦାନ କରାଯାଇଛି। ଏହାର ଜବାବରେ ଶୁକ୍ରବାର ଅପରାହ୍ନରେ କପିଳ ଦେବଙ୍କ ପକ୍ଷରୁ ମଧ୍ୟ ସମସ୍ତ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ନିଜ ଟ୍ବିଟର୍ ଆକାଉଣ୍ଟ୍ therealkapildev ପକ୍ଷରୁ ଜାରି ବାର୍ତାରେ ଲେଖାଯାଇଛି 'ଆପଣମାନଙ୍କ ଭଲ ପାଇବା ଏବଂ ଚିନ୍ତାପ୍ରକଟ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଆପଣମାନଙ୍କ ଶୁଭେଚ୍ଛା ପାଇ ମୁଁ ବହୁତ ଖୁସି ଏବଂ ଖୁବ୍ ଶୀଘ୍ର ଆରୋଗ୍ୟ ହେବାକୁ ଯାଉଛି'।

ଭାରତ ପାଇଁ ୧୩୧ ଟେଷ୍ଟ୍‌ ଓ ୨୨୫ ଦିନିକିଆ ଖେଳିଥିବା ଅଲରାଉଣ୍ଡର୍‌ କପିଳ ଦେବ ବିଶ୍ବର ଏକମାତ୍ର ଖେଳାଳଭାବେ ୪୦୦ରୁ ଊର୍ଧ୍ବ ୱିକେଟ୍ (୪୩୪) ନେବା ସହ ୫,୨୪୮ ରନ୍‌ କରିଥିଲେ। କପିଳ ଦେବଙ୍କ ନେତୃତ୍ବରେ ଭାରତ ୧୯୮୩ ମସିହାରେ ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜ୍‌କୁ ହରାଇ ପ୍ରଥମ ଥର ବିଶ୍ବକପ୍‌ ବିଜେତା ହୋଇଥିଲା। ୨୦୧୦ ମସିହାରେ କପିଳ ଦେବଙ୍କୁ ଆଇସିସି 'ହଲ୍‌ ଅଫ୍‌ ଦି ଫେମ୍'ରେ ସାମିଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe