ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ପଦବିକୁ ନେଇ ସଂପ୍ରତି କର୍ଣ୍ଣାଟକ କଂଗ୍ରେସ ଗୋଷ୍ଠୀ କନ୍ଦଳ ମୁହାଁ। ଏହାକୁ ନେଇ ଆଜି ଦଳର କେତେକ ନେତା, ସାଂସଦ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ଏଭଳି ଟଣାଓଟରାରେ ଦଳୀୟ ସଦସ୍ୟଙ୍କ ନୈତିକ ବଳ ହ୍ରାସ ପାଉଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ମୁଖ୍ୟମନ୍ତ୍ରୀ ପଦବି ନିମନ୍ତ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପ୍ରମୁଖ ଦାବିଦାର ଥିବା ବେଳେ, ବରିଷ୍ଠ ନେତା ପରମେଶ୍ବର, ପୂର୍ତ୍ତ ବିଭାଗ ମନ୍ତ୍ରୀ ସତୀଶ ଜାରକିହୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି। ଏହାକୁ ନେଇ ଦଳରେ ଟଣାଓଟରା ଆରମ୍ଭ ହୋଇଯାଇଛି। ଆଜି ରାହୁଲଙ୍କୁ ଲେଖାଯାଇଥିବା ଚିଠିରେ କଂଗ୍ରେସ ନେତା ବିଏଲ୍ ଶଙ୍କର, ଭିଏସ୍ ଉଗ୍ରାପ୍ପା, ଏଚ୍ଏମ୍ ରେବାନ୍ନା, ଭିଆର୍ ସୁଦର୍ଶନ, ଏଲ୍ ହନୁମନ୍ତାୟା ଓ ପ୍ରକାଶ ରାଥୋଡ଼ଙ୍କ ସହ ଅନ୍ୟ ଦଳୀୟ ନେତାମାନେ ସ୍ବାକ୍ଷର କରିଛନ୍ତି।
ଏଥିରେ ସେମାନେ ଦର୍ଶାଇଛନ୍ତି, ବିଜେପି ଓ ଜେଡିଏସ୍ ବିରୋଧରେ ଲଢ଼ିବା ପରିବର୍ତ୍ତେ ୬ ବିଧାୟକ, ପୂର୍ବ ବିଧାୟକ ଓ ବରିଷ୍ଠ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀ ପଦବିର ଦାବିଦାର ବୋଲି ମନ୍ତବ୍ୟ ଦେଉଛନ୍ତି। ଏଭଳି ବୟାନ ଯୋଗୁଁ ଆଭ୍ୟନ୍ତରୀଣ କନ୍ଦଳ ବଢ଼ିଛି ଏବଂ ଏହା ଦଳର କର୍ମୀମାନଙ୍କ ନୈତିକ ବଳ ହ୍ରାସ କରୁଛି। ଦଳ ଓ ସରକାର ଉପରେ ସେମାନଙ୍କ ଆସ୍ଥା କମିବାରେ ଲାଗିଛି। ଦଳ ଉପରେ କର୍ଣ୍ଣାଟକ ଜନତାଙ୍କ ବିଶ୍ବାସ ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି। ଏଣୁ ଭବିଷ୍ୟତରେ ଦଳକୁ କ୍ଷତି ପହଞ୍ଚାଇବା ଭଳି ମନ୍ତବ୍ୟ ନଦେବାକୁ ନେତମାନଙ୍କୁ ତାଗିଦ୍ କରିବାକୁ ଚିଠିରେ କୁହାଯାଇଛି । ସୂଚନାଯୋଗ୍ୟ ସୋମବାର, କର୍ଣ୍ଣାଟକ କଂଗ୍ରେସର କାର୍ଯ୍ୟକାରୀ ସଭାପତି ମଞ୍ଜୁନାଥ ଭଣ୍ଡାରୀ, ବିଧାନ ପରିଷଦ ସଦସ୍ୟ ଦିନେଶ ଗୁଲିଗୌଡ଼ା ମଧ୍ୟ ଅନୁରୂପ ଭାବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ପାଇଁ ଚାଲିଥିବା ବିବାଦର ଅବସାନ ଘଟାଇବାକୁ ଅନୁରୋଧ କରିଥିଲେ।
Follow Us