Image Courtesy of India Today
ବେଙ୍ଗାଲୁରୁ: ହୃଦ୍ଘାତ ଯୋଗୁଁ ମଙ୍ଗଳବାର ରାତିରେ କର୍ଣ୍ଣାଟକ ରାଜ୍ୟର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଉମେଶ ବିଶ୍ବନାଥ କଟ୍ଟୀଙ୍କର ୬୧ ବର୍ଷ ବୟସରେ ଦେହାନ୍ତ ଘଟିଛି।
ସଂଗୃହୀତ ସୂଚନା ଅନୁସାରେ, ଡଲାର୍ କଲୋନିସ୍ଥିତ ବାସଭବନର ସ୍ନାନାଗାରରେ ପଡ଼ିଯିବାରୁ କଟ୍ଟୀଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା।
ଡାକ୍ତରଙ୍କସୂତ୍ରରୁ ଉଦ୍ଧାର କରି ରାଜ୍ୟ ରାଜସ୍ବମନ୍ତ୍ରୀ ଆର୍. ଅଶୋକ କହିଛନ୍ତି, ଡାକ୍ତରଖାନାକୁ ନିଆଯିବା ବେଳେ କଟ୍ଟୀଙ୍କର ‘ପଲ୍ସ୍’ ନ ଥିଲା।
କଟ୍ଟୀଙ୍କ ମୃତ୍ୟୁ ‘ବିଜେପି’ ଏବଂ ବେଲଗାବୀ ଜିଲ୍ଲା ପାଇଁ ପ୍ରଭୁତ୍ବ କ୍ଷତି ବୋଲି ସେ କହିଛନ୍ତି।
ଡାକ୍ତରଖାନାକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବୋମ୍ମାଇ ଟୁଇଟ୍ କରି ଲେଖିଥିଲେ, ମୋ ସତୀର୍ଥ କର୍ଣ୍ଣାଟକର ବନ ବିଭାଗ ମନ୍ତ୍ରୀ ଉମେଶ କଟ୍ଟୀଙ୍କ ଅକାଳ ନିଧନ ଯୋଗୁଁ ମର୍ମାହତ। ତାଙ୍କର ମୃତ୍ୟୁରେ ରାଜ୍ୟ ଜଣେ ଦକ୍ଷ କୂଟନୀତିଜ୍ଞ, ସକ୍ରିୟ ନେତା ଏବଂ ବିଶ୍ବସ୍ତ ସରକାରୀ କର୍ମଚାରୀଙ୍କୁ ହରାଇଲା।
ସୂଚନାଯୋଗ୍ୟ, ବସବରାଜ ବୋମ୍ମାଇଙ୍କ ସରକାରରେ ଉମେଶ କଟ୍ଟୀ ବନ ବିଭାଗ ସହ ଖାଦ୍ୟ ଓ ଯୋଗାଣ ବିଭାଗର ଦାୟିତ୍ବ ତୁଲାଉଥିଲେ। ମୃତ୍ୟୁ ପରେ ଉତ୍ତରାଧିକାରୀ ଭାବେ ତାଙ୍କର ପତ୍ନୀ, ପୁଅ ଓ ଝିଅ ଅଛନ୍ତି।
Image Courtesy of The New Indian Expressବେଳଗାବୀ ଜିଲ୍ଲାର ଅନ୍ୟତମ ବରିଷ୍ଠ ନେତା ଉମେଶ କଟ୍ଟୀ ହୁକ୍କେରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୮ ଥର ବିଜୟୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପାଇଁ ମଧ୍ୟ ସେ ଇଚ୍ଛାବ୍ୟକ୍ତ କରିଥିଲେ। ପୃଥକ୍ ଉତ୍ତର କର୍ଣ୍ଣାଟକ ରାଜ୍ୟ ଦାବି କରି ସେ ସବୁବେଳେ ଚଚ୍ଚିର୍ତ ଥିଲେ। ୧୯୮୫ରେ ପିତା ବିଶ୍ବନାଥ କଟ୍ଟୀଙ୍କ ଦେହାନ୍ତ ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ।
୨୦୦୮ରେ ‘ବିଜେପି’ରେ ଯୋଗ ଦେବା ପୂର୍ବରୁ କଟ୍ଟୀ ଜନତା ପାର୍ଟି, ଜନତା ଦଳ, ଜେ.ଡୁ. (ୟୁ) ଏବଂ ଜେ.ଡି. (ଏସ୍)ର ସଦସ୍ୟ ଥିଲେ। ପୂର୍ବରୁ ସେ ଜେ. ଏଚ୍. ପଟେଲ୍, ବି. ଏସ୍. ୟେଦିୟୁରପ୍ପା, ଡି. ଭି. ସଦାନନ୍ଦ ଗୌଡ଼ା ଏବଂ ଜଗଦୀଶ ଶେଟ୍ଟାର୍ଙ୍କ ନେତୃତ୍ବରେ କ୍ୟାବିନେଟ ମନ୍ତ୍ରୀ ଥିଲେ।
କଟ୍ଟୀଙ୍କର ମୃତ୍ୟୁ ସମ୍ବାଦ ପାଇବା କ୍ଷଣି ଜଳ ସମ୍ପଦ ମନ୍ତ୍ରୀ ଗୋବିନ୍ଦ କାର୍ଜୋଲ୍, ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର ଏବଂ କେତେକ ‘ବିଜେପି’ ନେତାଙ୍କ ସମେତ ତାଙ୍କର କେତେକ କ୍ୟାବିନେଟ୍ ସହଯୋଗୀ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ।
ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ମଧ୍ୟ ଟୁଇଟ୍ କରି ଲେଖିଛନ୍ତି, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଉମେଶ କଟ୍ଟୀଙ୍କ ମୃତ୍ୟୁ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଆନ୍ତରିକ ସମବେଦନା। ତାଙ୍କର ଆତ୍ମାକୁ ଶାନ୍ତିରେ ବିଶ୍ରାମ କରୁ।
Follow Us